କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ବୈଦ୍ୟରାଜପୁର ଗ୍ରାମର କଂସା ପିତ୍ତଳ କାରିଗର

ଯାଜପୁର -୧୫/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁର ଗ୍ରାମରେ କଂସା ପିତ୍ତଳ ସାମଗ୍ରୀ ନିର୍ମାଣ କରୁଥିବା କାରିଗରୀଙ୍କ ସଂଖ୍ୟା ସର୍ବାଧିକ। ଦିନ ଥିଲା ଉକ୍ତ ଗ୍ରାମର ସମସ୍ତ କଂସା ଓ ପିତ୍ତଳରେ ବାସନ ନିର୍ମାଣ କରି ବିକ୍ରି କରି ନିଜ ପରିବାର ଭରଣପୋଷଣ କରୁଥିଲେ। ବୈଦ୍ୟରାଜପୁର କାରିଗଙ୍କ ହାତି ତିଆରି ବାସନ ସମଗ୍ର ରାଜ୍ୟରେ ସୁନାମ ଅର୍ଜନ କରିଥିଲା। ଏହାର ହାତ ତିଆରି ନୋଟା ଏକ ବିଶେଷତ୍ୱ ଥିବାରୁ ଶୁଣିବାକୁ ମିଳୁଥିଲା। ସ୍ୱାଧୀନତା ବହୁ ପୂର୍ବରୁ ବୈଦ୍ୟରାଜପୁର ଗ୍ରାମରେ ଘରେ ଘରେ ଗଢ଼ିଉଠିଥିଲା କୁଟୀର ଶିଳ୍ପ। ଗ୍ରାମର ସମସ୍ତ ପରିବାର କଂସା ବାସନ ନିର୍ମାଣରେ ନିୟୋଜିତ ହେଉଥିଲେ। ଏହାର ଚାହିଦାକୁ ଦେଖି ୧୯୨୨ ମସିହାରେ ବୈଦ୍ୟରାଜପୁର କଂସା ପିତ୍ତଳ ସହଯୋଗ ସମିତି ଗଠନ କରାଯାଇ କାରିଗରଙ୍କଠାରୁ ଜିନିଷ କ୍ରୟ କରାଯାଉଥିଲା। କିନ୍ତୁ ଏବେ ଆଧୁନିକ ଯୁଗରେ କଂସା ବାସନ ପ୍ରତି ଗ୍ରାହକ ମୁହଁ ଫେରାଇ ଷ୍ଟିଲ ଓ ପ୍ଲାଷ୍ଟିକ୍, ଫାଇବର ଜିନିଷ ପ୍ରତି ଆକୃଷ୍ଟ ହେଉଛନ୍ତି। ଫଳରେ କଂସା ଓ ପିତ୍ତଳ ବାସନ ଉପରେ ଏହାର ପ୍ରଭାବ ପଡ଼ିଛି। କେବଳ ବିବାହ ଓ ଅନ୍ୟ ଉତ୍ସବରେ କଂସା ଓ ପିତ୍ତଳ ବାସନ ଆବଶ୍ୟକ ପଡ଼ୁଥିବାରୁ ବିଧି ରକ୍ଷା କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କୁଟୀର ଶିଳ୍ପ ରୁଗ୍ଣ ହେବାସହ କୌଳିକ ବୃତ୍ତିକୁ ଜାବୁଡ଼ି ଧରିଥିବା କାରିଗର ଏବେ ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଏହି କୌଳିକ ବୃତ୍ତିକୁ ଜାବୁଡ଼ି ଧରିଲେ ପରିବାର ଭରଣପୋଷଣ କରିବା କଷ୍ଟକର ବୋଲି କେତେକ କାରିଗର କହୁଥିବା ଶୁଣିବାକୁ ମିଳିଛି। ରାଜ୍ୟ ସରକାର ପଞ୍ଚାୟତ ଓ କୁଟୀର ଶିଳ୍ପ ଉପରେ ଗୁରୁତ୍ୱ ଦେଉଥିବାବେଳେ ଓଡ଼ିଶା ପ୍ରସିଦ୍ଧ ବୈଦ୍ୟରାଜପୁର ଗ୍ରାମର କାରିଗରଙ୍କ ହାତ ତିଆରି କଂସା ଓ ପିତ୍ତଳ ବାସନ ପ୍ରତି ସରକାର ଓ ଶିଳ୍ପ ବିଭାଗ ବିମୁଖ କାହିଁକି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭାବ ବିକ୍ରି ସାଙ୍ଗକୁ କଞ୍ଚାମାଲର ଅଭାବ କାରିଗରଙ୍କୁ ରୁଗ୍ଣ କରିଦେଇଛି। ଭୋକ ଉପାସରେ ପଡ଼ିରହିବା ଅପେକ୍ଷା କୌଳିକ ବୃତ୍ତିରୁ ନିଜକୁ ଦୂରେଇ ରଖିବା ସହ ଅନ୍ୟ ବ୍ୟବସାୟ କରିବାକୁ କାରିଗରମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବୈଦ୍ୟରାଜପୁର, ବାସୁପୁର, ରଘୁନାଥପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ୍ୱ ପରିବାର କୌଳିକ ବୃତ୍ତିକୁ ଆଦରି ନେଇଥିବାବେଳେ ବର୍ତ୍ତମାନ ଉପରୋକ୍ତ ଗ୍ରାମର ସଦାନନ୍ଦ ସାହୁ, ପବିତ୍ର ସାହୁ, ବିନୋଦ ସାହୁ, ଲୋକନାଥ ସାହୁ, ବୈଦ୍ୟନାଥ ସାହୁ, ଗୋକୁଳି ସାହୁ, ପଦ୍ମନାଭ ସାହୁ, ପର୍ଶୁରାମ ସାହୁ, ଅଶୋକ କୁମାର ସାହୁ, ବିଷ୍ଣୁ ସାହୁ ସମେତ ହାତଗଣତି କେତେକ କାରିଗର ଏହି ବୃତ୍ତିକୁ ଆଦରିଥିବା ଦେଖିବାକୁ ମିଳିଛି। ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଆଉ ସମୟ ନଥିବାରୁ ବାଧ୍ୟହୋଇ ଏହି ବୃତ୍ତିକୁ ଆଦରିବାକୁ ବାଧ୍ୟ ହୋଇଥିବା କହିଥିଲେ। ୧୯୨୨ ମସିହା ଫେବୃଆରୀ ମାସରେ ବୈଦ୍ୟରାଜପୁର କଂସା ପିତ୍ତଳ ସହଯୋଗ ସମିତି ଗଠନ କରାଯାଇଥିଲା। ସେତେବେଳେ ସମଗ୍ର ଜିଲାରେ ୫୮୯ ଜଣ କାରିଗର ନାମ ପଞ୍ଜୀକୃତ କରିଥିଲେ। ବୈଦ୍ୟରାଜପୁର, ବାସୁପୁର, ରଘୁନାଥପୁର, ବାସୁଦେବପୁର, ଜାହାନପୁର, ବଖାଣପୁର, ବାଣପୁର, ଜାଫରପୁର, ମୁଗୁଦି, ଅବଦଲପୁର, କଳିନ୍ଦ୍ରାବାଦ ସମେତ ଜିଲାର ଅନ୍ୟ ଅଞ୍ଚଳର କାରିଗର ଏହି ସହଯୋଗ ସମିତିରେ ସେମାନଙ୍କର ହାତ ତିଆରି ଜିନିଷ ଦେଇ କଞ୍ଚାମାଲ ନେଇଥାନ୍ତି। ଶିଳ୍ପ ବିଭାଗର ଜଣେ ଅଫିସର ଥିଲେ ଶିଳ୍ପ ପ୍ରତି ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି। ବୈଦ୍ୟରାଜପୁର କଂସା ପିତ୍ତଳ ସହଯୋଗ ସମିତିର ପରିଚାଳନା ସଦସ୍ୟ ରଘୁନାଥ ସାହୁ, ରବିନ୍ଦ୍ର ସାହୁ, ବ୍ରଜକିଶୋର ସାହୁ, ଜୟନ୍ତ କୁମାର ସାହୁ, ଭରତ ଚନ୍ଦ୍ର ସାହୁ, କେଶବ ସାହୁ, ସୂର୍ଯ୍ୟମଣି ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖଙ୍କ କହିବା ଅନୁଯାୟୀ ଏହି ଶିଳ୍ପ ପ୍ରତି ରାଜ ଶିଳ୍ପ ବିଭାଗ ଗୁରୁତ୍ୱ ଦେଉନଥିବାରୁ କୁଟୀର ଶିଳ୍ପ ରୁଗ୍ଣ ହେବାକୁ ବସିଲାଣି। କାରିଗରମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁନଥିବାରୁ ସେମାନେ ଏ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି। ସେହିପରି ବୃଦ୍ଧ କାରିଗରମାନଙ୍କୁ ଭତ୍ତା ଦିଆଯାଉନାହିଁ ବୋଲି ଅଭିଯୋଗ କରିଥିଲେ। ବର୍ତ୍ତମାନ ଧୀରେ ଧୀରେ କଂସା ପିତ୍ତଳ ହାତ ତିଆରି ଜିନିଷର ଚାହିଦା ବୃଦ୍ଧି ପାଇବାକୁ ଯାଉଛି। ରାଜ୍ୟ ଶିଳ୍ପ ବିଭାଗ କାରିଗରମାନଙ୍କୁ ଉତ୍ସାହିତ କରିବା ସହ କମ୍ ସୁଧରେ ଋଣ ଓ ଅଭାବୀ ବିକ୍ରି ଦୂର କରିପାରିଲେ ପୂର୍ବ ଅବସ୍ଥାକୁ ଫେରିବା ଓ ପୁରାତନ ସହଯୋଗ ସମିତି ତାର ଗାରିମାକୁ ବଜାୟ ରଖିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *