କୋରାଇ ବିଧାୟକ ଅକାଶଙ୍କ ଲୋକପ୍ରିୟତା ଆଗରେ ବିରୋଧି ଅଙ୍କ ଭୁଲ ହୋଇଯିବ

ଯାଜପୁର-୨୯/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲାରେ କୋରେଇ ନିର୍ବାଚନ ମଣ୍ଡଳୀର ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଜିଲ୍ଲାର ସମସ୍ତ ୭ଟି ଯାକ ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୋରେଇ ଏକ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ। ବହୁ ବଡ ବଡ ରାଜନେତାଙ୍କୁ ଜନ୍ମ ଦେଇଛି କୋରେଇ। ସେ ଯାଜପୁରର ଭୂମିପୂତ୍ର୰ ଅଶୋକ ଦାସ ହୁଅନ୍ତୁ ବା ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଅବା କଂଗ୍ରେସର ସିଡ୍ଲୁସି ସଦସ୍ୟ ଶ୍ରମିକ ନେତା ଡ. ରାମ ଚନ୍ଦ୍ର ଖୁଂଟିଆ। ସମସ୍ତଙ୍କ ରାଜନୈତିକ କ୍ୟାରିଅର କୋରେଇରୁ ଆରମ୍ଭ ହୋଇ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ଯାଇଛି। ଏବେ କୋରେଇର ବିଧାୟକ ଅଛନ୍ତି ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକଙ୍କ ସୁପୁତ୍ର ଅଭିନେତାରୁ ନେତା ସାଜିଥିବା ଆକାଶ ଦାସନାୟକ। ଆକାଶଙ୍କ ନମ୍ର, ଭଦ୍ର ଓ ଅମାୟିକ ବ୍ୟବହାର କେବଳ ନିଜ ଦଳ ନୁହେଁ ବରଂ ବିରୋଧିଙ୍କ ମୁର୍ହ ଚୁପ କରାଇଛି। ତାଙ୍କ କାର୍ଯ୍ୟକଳାପ ଅବଧି କାହାର କିଛି କ୍ଷତି କରିନାହିଁ। ସେ ଶତ୍ରୁ ହୁଅନ୍ତୁ ବା ମିତ୍ର, ନିଜ ଦଳ ହୁଅନ୍ତୁ ବା ବିରୋଧି ତାଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଏହା ଫଳରେ ସେ କୋରାଇବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଗତ ପଂଚାୟତ ନିର୍ବାଚନରେ ସାମାନ୍ୟ ଦୂରଦୃଷ୍ଟିର ଅଭାବ ଓ ପଡୋଶୀ ନେତାଙ୍କ ଦ୍ୱାରା ପ୍ରଭାବିତ ହେବା ସହ ଦଳର କିଛି ନେତାଙ୍କ ଆର୍ନ୍ତଘାତୀ କାର୍ଯ୍ୟ ଯୋଗୁ କଂଗ୍ରେସ ହାତକୁ ଚାଲିଗଲା କୋରେଇ ପଂଚାୟତ ସମିତି। କିନ୍ତୁ ଏବେ କୋରେଇ ରାଜନୀତିରେ ସମୀକରଣ ଦିନକୁ ଦିନ ବଦଳିବାରେ ଲାଗିଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ସବୁ ଦଳ ତାଙ୍କର ଗୋଟି ଚାଳନା ଆରମ୍ଭ କରିଛନ୍ତି। ହେଲେ ସମସ୍ତଙ୍କ ଠାରୁ ଦଳ ସଜାଡିବା ଏବଂ ଗୋଟି ଚାଳନାରେ ଆଗରେ ରହିଛି ଶାସକ ବିଜେଡି ଦଳ। କୋରେଇରେ ଗତ ୨୦୧୪ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବିଜେଡି ଟିକେଟ୍ ପାଇ ରେକର୍ଡ ସଂଖ୍ୟକ ବ୍ୟବଧାନରେ ବିଜୟ ଲାଭ କରି ଅଭିନେତାରୁ ହଠାତ୍ ନେତା ପାଲଟିଥିଲେ ଆକାଶ। ଦୀର୍ଘ ୪ ବର୍ଷର ରାଜନୈତିକ କ୍ୟାରିଅରରେ ଏବେ ଜଣେ ଅନଭିଜ୍ଞ ଅଭିନେତାରୁ ଅଭିଜ୍ଞ ରାଜନେତାରେ ପରିଣତ ହେଲେଣି ବିଧାୟକ ଆକାଶ। ଯାହାର ଉଦାହରଣ ସେ ମହାନଦୀ ଆନ୍ଦୋଳନ ବା କୋରେଇରେ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦେଖାଇଥିଲେ। କାର୍ଯ୍ୟକ୍ରମର ପୂର୍ବସଂଧ୍ୟାରେ ତିଆରି ହୋଇଥିବା ତମ୍ବୁ ବର୍ଷାରେ ଭାଙ୍ଗୀପଡିବା କଥାକୁ ନେଇ ବିରୋଧି ତୁମ୍ବିତୋଫାନ ଆରମ୍ଭ କରିଥିବା ବେଳେ ରାତାରାତି ତମ୍ବୁ ନିର୍ମାଣ କରି ପରଦିନ ୫ ହଜାର ମହିଳା କର୍ମୀଙ୍କ ସମାଗମ କରାଇବାରେ ଆକାଶ ସଫଳ ହୋଇଥିଲେ। ସମଗ୍ର ଜିଲ୍ଲାରେ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କୋରେଇରେ ହିଁ ସର୍ବାଧିକ ଲୋକଙ୍କ ସମାଗମ ଏବଂ ସଫଳ କାର୍ଯ୍ୟକ୍ରମ ହୋଇଥିବାରୁ ଖୋଦ ଜିଲ୍ଲାପାଳ ମଧ୍ୟ ପ୍ରଶଂସା କରିଥିଲେ। ଗତ ପଂଚାୟତ ନିର୍ବାଚନ ପରେ ବିଧାୟକ ଆକାଶଙ୍କ ଆଭିମୁଖ୍ୟରେ ବେଶ୍ ପରିବର୍ତ୍ତନ ହୋଇଥିବାର ପରିଲକ୍ଷିତ ହୋଇଛି। ବିରୋଧିଙ୍କୁ ମାତ୍ ଦେବା ହେଉ ବା ଦଳିୟ କର୍ମୀଙ୍କୁ ଏକଜୁଟ୍ କରିବା ସବୁଥିରେ ପରିପକ୍ୱତା ଦେଖାଇବାରେ ସଫଳ ହୋଇଛନ୍ତି ଆକାଶ। ପଂଚାୟତ ନିର୍ବାଚନରେ ପଡୋଶୀ ନେତାଙ୍କ ସହଯୋଗରେ କଂଗ୍ରେସ ପଂଚାୟତ ସମିତି ଗଠନ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ପରେ ଅଧ୍ୟକ୍ଷାଙ୍କ ସମେତ ସବୁ ନେତା ବିଜେପିରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ବିରୋଧି କ୍ୟାମ୍ପର ଗୋଟିଏ ପରେ ଗୋଟିଏ ସମର୍ଥକଙ୍କୁ ନିଜ ସହିତ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ବିଧାୟକ ଆକାଶ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧି ମାନଙ୍କ ପଂଚାୟତ ଗୁଡିକୁ ବହୁ ସଂଖ୍ୟାରେ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଇ ନିଜ ଆଡକୁ ଟାଣିବାର ବାଟ ତିଆରି କରିଛନ୍ତି। ଏପରିକି ଦଳଗତ ନିର୍ବିଶେଷରେ କୋରେଇର ସମସ୍ତ ପଂଚାୟତ ଓ ଗାଁ ମାନଙ୍କର ବିକାଶ କରାଇଲେ ହିଁ କୋରେଇର ବିକାଶ ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଆକାଶ। ପଂଚାୟତ ନିର୍ବାଚନ ପରେ କନ୍ତୋର, ତାହାରପୁର ଓ ତଣ୍ଡରା ପଂଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନିଜ କ୍ୟାମ୍ପରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ଆକାଶ। ଆହୁରି ମଧ୍ୟ ବିରୋଧିଙ୍କ ସମର୍ଥନରେ ଥିବା ୮ ରୁ ୯ ପଂଚାୟତର ସରପଂଚ ଏବଂ ସମିତିସଭ୍ୟ ଏବେ ଶାସକ ଦଳ ସହିତ ଯୋଗାଯୋଗରେ ଥିବାବେଳେ ସାଧାରଣ ନିର୍ବାଚନ ପୁର୍ବରୁ ବିରୋଧିଙ୍କୁ ଏକ ମାଷ୍ଟରଷ୍ଟ୍ରୋକ୍ ଦେବା ପାଇଁ ଆକାଶ ନକ୍ସା ପ୍ରସ୍ତୁ କରିଥିବାର ଶୁଣିବାକୁ ମିଳୁଛି। କୋରେଇ ବିଜେପିର ସେପରି କିଛି ଆଖିଦୃର୍ଶିଆ କାର୍ଯ୍ୟକ୍ରମ ହେଉନଥିବା ବେଳେ ବିଜେଡି କିନ୍ତୁ ଏବେ ଠାରୁ ବିଭିନ୍ନ ପଂଚାୟତରେ ହ୍ୱାଟସ୍ଅପ ଗୃପ ଏବଂ ବିଜୁ ଯୁବ ବାହୀନି ଜରିଆରେ ଯୁବପିଢୀଙ୍କୁ ଦଳପ୍ରତି ଆକୃଷ୍ଟ କରିବାର ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ କଂଗ୍ରେସ ପୁରା ଦୟନୀୟ ସ୍ଥିତିରେ ପହଂଚିଛି। ବିଜେପିରୁ ଅଶୋକ ବଳଙ୍କ ଇସ୍ତଫା ଦଳକୁ ହତୋତ୍ସାହିତ କରିଛି। ବହୁ ବିଳମ୍ବରେ ହେଲେ ମଧ୍ୟ ବିଜେପିର ଜିଲ୍ଲାସଭାପତି ଗୌତମ ରାୟ ତାଙ୍କ ନୂଆ ଟିମ ଗଠନ କରିଛନ୍ତି। ହେଲେ ଏହି ନୂଆ ଟିମକୁ ନେଇ ଅସନ୍ତୋଷ ତ୍ରୀବ ରୂପ ଧାରଣ କରିଛି। ୨୦୦୫ରୁ ୨୦୦୯ କୋରେଇରୁ ମେଂଟ ସରକାରର ବିଧାୟକ ଥିବା ବିଜେପି ନେତ୍ରୀ ସଂଚିତା ମହାନ୍ତିଙ୍କ ଦ୍ୱାରା ସଙ୍ଗଠନ କାର୍ଯ୍ୟରେ ପଦପଦବୀରେ ଥିବା ନେତାମାନଙ୍କୁ ବାଦ ଦିଆଯାଇ ନୂଆ ଲୋକଙ୍କୁ ବା କଂଗ୍ରେସରୁ ବିଜେପିକୁ ଡେଇଁଥିବା ନୂଆ ନେତା ବିଶ୍ୱଜିତ ନାୟକ ଙ୍କ ସମର୍ଥକ ମାନଙ୍କୁ ଅବସ୍ଥାପିତ କରାଯାଇଛି। ଦୀର୍ଘ ୨୦ ବର୍ଷ ଧରି ଯେଉଁମାନେ ବିଜେପି ସଙ୍ଗଠନକୁ କୋରେଇରେ ରଖିଥିଲେ ସେମାନେ ଏବେ କୋଣଠେସା ହୋଇଚନ୍ତି। ସଂଚିତାଙ୍କ ସମର୍ଥକ ମାନଙ୍କୁ ଦଳୀୟ ନେତୃତ୍ୱରୁ ବାଦ ଦେବା ଫଛରେ ବିଶ୍ୱଜିତଙ୍କୁ ହୀରୋ କରିବାର ବିଜେପି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଅନ୍ୟ ପକ୍ଷେ ରାଜ୍ୟ ପରିଷଦ ସଭ୍ୟ ଦଳୀୟ ଅବହେଳା ଓ କୋଣଠେସାର ପ୍ରତିବାଦ କରି ଦଳ ଛାଡିଥିବାବେଳେ ତାଙ୍କୁ ମନାଇବାରେ ସଂଚିତା ସଫଳ ହୋଇଥିଲେ ବି ପରବର୍ତି ଅବସ୍ଥାରେ ସମଦଶା ଭୋଗିବାକୁ ପଡିଛି ଅନ୍ୟ ସମର୍ଥକ ବା ନେତା ମାନଙ୍କୁ। ପୂର୍ବରୁ ବିଜେପିର କିଛି ମଣ୍ଡଳ ସଭାପତି, ପଂଚାୟତ ସଭାପତି ଅଶୋକ ବଳଙ୍କ ସହ ଦଳ ଛାଡି ବିଜେଡିରେ ଯୋଗଦେଇଥିବାବେଳେ ବର୍ତମାନ କୋଣଠେସା ହୋଇଥିବା ନେତା ଦଳରେ ରହିବେ ନା ଦଳ ଛାଡିବେ ସେ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ହେଲେ ସବୁ ପରେ ବି ଆସନ୍ତା ନିର୍ବାଚନରେ କୋରେଇରେ ବିଜେଡି କ୍ଲିନ୍ସ୍ୱିପ୍ କରିବା ଲକ୍ଷ୍ୟରେ ଏବେଠୁ ଗୋଟି ଚାଳନା ଆରମ୍ଭ କରିଛି। ଏପରିସ୍ଥଳେ ଆଗାମୀ ଦିନରେ ବିରୋଧି କିଭଳି ଭାବରେ ଶାସକ ଦଳି ମୁକାବିଲା କରିବେ ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *