କୋମାରେ ବୈରୀ ଆୟୁର୍ବେଦ ଚିକିତ୍ସାଳୟ: ମିଳୁନି ଔଷଧ, ଛାତରୁ ଗଳୁଛି ପାଣି!

ଯାଜପୁର, ୧୫/୫(ଓଡିଆ ପୁଅ/ମାନସ ରାଉତ) ଆୟୁର୍ବେଦ ଚିକିତ୍ସାର ବିକାଶ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ଯୋଗାଉଥିଲେ ମଧ୍ୟ ଏହି ସଂସ୍ଥାର ବିକାଶ ହେବାରେ ବାଧକ ସାଜୁଛନ୍ତି ଏଲିପାଥିକ ସଂସ୍ଥା। ସମଗ୍ର ଦେଶରେ ବସବାସ କରୁଥିବା ଲୋକଙ୍କୁ ବିଭିନ୍ନ ରୋଗର ନିରାକରଣ ପାଇଁ ଶତକଡା ୭୦ଭାଗ ଆୟୁବିଜ୍ଞାନ ଦ୍ୱାରା ଚିକିତ୍ସା ଏବଂ ଆଉ ୩୦ପ୍ରତିଶତ ସର୍ଜରୀ ଦ୍ୱାରା କରାଯାଇ ରୋଗର ନିରାକରଣ କରାଯାଇପାରିବ ବୋଲି ଆୟୁବିଜ୍ଞାନୀ ମାନେ ଯୁକ୍ତି ବାଢୁଛନ୍ତି। ଆମ ରାଜ୍ୟରେ ଆୟୁବିଜ୍ଞାନ ପ୍ରତି ଜନସାଧାରଣ ଆକୃଷ୍ଟ ହୋଇ ଆଗେଇ ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ନଦେବାରୁ ଏହା ଏବେ ଡୁବିବାକୁ ବସିଲାଣି। ତଥାପିି ଲୋକମାନେ ଆୟୁର୍ବେଦ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ଔଷଧ ଏବଂ ଉନ୍ନତ ମାନର ଚିକିତ୍ସା ଅଭାବ ହେତୁ ରୋଗୀ ମାନେ ମୁହ ଫେରାଉଥିବା ଦେଖିବାକୁ ମିଳିଲାଣି। ଏ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଠାରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଅବସ୍ଥା। ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ ୨୦୧୧ ମସିହାରେ ହୋଇଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି। ସିଢିଘରର ଛାତ ଉଡିଯିବାରୁ ଅସରାଏ ବର୍ଷାରେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଆଣ୍ଠୁଏ ଉଚ୍ଚର ପାଣି। ରୋଗୀ ଓ ତାଙ୍କ ସହଯୋଗୀ ଆସିଲେ ନାହି ନଥିବା ଅବସ୍ଥାର ସମ୍ମୁଖିନ ହୁଅନ୍ତି। ଛାତରୁ ପାଣି ଗଳୁଥିବାରୁ ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ସିଲିଂ ଫ୍ୟାନ ଓ ବିଦ୍ୟୁତ ଉପକରଣ ସର୍ଟ୍ଟସର୍କିଟ ହୋଇ ନଷ୍ଟ ହୋଇଯାଉଛି। ମୁଖ୍ୟଗେଟ ମଧ୍ୟ ଭାଙ୍ଗିରୁଜି ଯିବାରୁ ଗାଇଗୋରୁ ମାନେ ଅବାଧ ପ୍ରବେଶ କରିବାରୁ ସ୍ୱାସ୍ଥ୍ୟକେନ୍ଦ୍ରଟି ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହେଲାଣି। ଛତିଆ, ସୋଲର, ବୈରୀ, ପାରିଆ ଆଦି ଅନେକ ପଞ୍ଚାୟତର ଜନସାଧାରଣ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାବେଳେ ଏଠାରେ ଡାକ୍ତର ଖାଲି ଚିଠା ପ୍ରସ୍ତୁତି କରୁଥିବା ଦେଖାଯାଇଛି। ଔଷଧ ନମିଳିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାର ଏଲିଓପାଥିକ ଚିକିତ୍ସାଳୟକୁ ପ୍ରଚୁର ପରିମାଣର ଔଷଧ ଯୋଗାଉଥିବା ବେଳେ ଆୟୁର୍ବେଦ ଚିକିତ୍ସାଳୟକୁ ଔଷଧ ଯୋଗାଉନଥିବାରୁ ରୋଗୀ ମାନେ ଔଷଧ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ୪ବର୍ଷ ପୂର୍ବରୁ ଏହି ଚିକିତ୍ସାଳୟକୁ ଦୈନିକ ୭୦ରୁ ଉର୍ଦ୍ଧ ରୋଗୀ ଆସୁଥିବା ବେଳେ ଏବେ ୧୦ରୁ ୧୫ଜଣରେ ରୋଗୀଙ୍କ ସଂଖ୍ୟା ସିମିତ ଥିବା ଦେଖାଯାଇଛି। ଏହି ଚିକିତ୍ସାଳରେ ମାତ୍ର ଜଣେ ଡାକ୍ତର, ଜଣେ ରାତ୍ର ଜଗୁଆଳିକୁ ନେଇ ଚିକିତ୍ସାଳୟ ଚାଲୁଥିବା ଦୃଷ୍ଟିଗୋଚର ହୋଇଛି। ଏଭଳି ଘଟଣାକୁ ନେଇ ଡାକ୍ତର ସାରଦା ପ୍ରସନ୍ନ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ବିଭାଗ ତରଫରୁ ଜୋଗରାଜ ଗୁଗୁଲ ଓ ଲକ୍ଷ୍ମୀବିଳାସ ଔଷଧ ଯୋଗାଇଛନ୍ତି ଅନ୍ୟ ଔଷଧ ଖୁବଶିଘ୍ର ରୋଗୀ ମାନଙ୍କୁ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଥିପ୍ରତି ରାଜ୍ୟ ଆୟୁର୍ବେଦ ନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *