କୋଚିଂ ସେଣ୍ଟର ଶିକ୍ଷକ ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ

ଭୁବନେଶ୍ବର ୩୦ ଜୁନ୍ ୨୦୧୮ (ଓଡ଼ିଆ ପୁଅ/ଗୌରବ ଦାସ) ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ଅକଥନୀୟ ନିର୍ଯାତନା ଦେବା ତଥା ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଏହାକୁ ମୋବାଇଲ୍‌ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ହୋଇଛି।

କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସେଠି ପଢ଼ାଉଥିବା ଜଣେ ଇଂରାଜୀ ଶିକ୍ଷକ। ଗତ ୫ ତାରିଖରେ ଘଟିଥିବା ଏହି ଘଟଣା ସଂପର୍କରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ବକେୟା ଦରମା ଦେବା ପାଇଁ ଉକ୍ତ ଶିକ୍ଷକ ଜଣକ କୋଚିଂ ସେଣ୍ଟର ମାଲିକ ତପନଙ୍କୁ  ବାରମ୍ୱାର ଅନୁରୋଧ କରୁଥିଲେ। ମାତ୍ର ଏଥିପ୍ରତି ତପନ କୌଣସି ଧ୍ୟାନ ଦେଉ ନ ଥିଲେ। ଫଳରେ ସେ ବାଧ୍ୟହୋଇ କୋଚିଂ ସେଣ୍ଟରକୁ ଯିବା ବନ୍ଦ କରିଦେଇଥିଲେ। ଏଥିରେ ତପନ ପ୍ରତିଶୋଧ ପରାୟଣ ହୋଇ ଗତ ୫ ତାରିଖରେ ସଂପୃକ୍ତ ଶିକ୍ଷକଙ୍କୁ ଡାକି ନେଇ ଏକ ଗାଡ଼ିରେ ବସାଇ କଣ୍ଟିଲୋ ବନ୍ଧ ଶେଷରେ ଥିବା ବରଗଛରେ ତାଙ୍କୁ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *