କୋଏଲ ବ୍ୟାଙ୍କ ପାଖ ଖାଲି ସ୍ଥାନରେ ବସ୍ତିବାସୀଙ୍କୁ ଥଇଥାନ ଦାବି

ରାଉରକେଲା ୧ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ୬ ଲେନ ବିଶିଷ୍ଠ ୨ୟ ବ୍ରାହ୍ମଣୀ ସେତୁ କାମ ଆରମ୍ଭ ହୋଇଯାଇଛି। ଗତକାଲି ଏନଏଚ୍ଏଆଇ ପକ୍ଷରୁ ନିରୀକ୍ଷଣ କରାଯାଇଛି। ବ୍ରାହ୍ମଣୀ ନଦୀରେ ମାଟି ଖୋଳା ଆରମ୍ଭ ହୋଇଯାଇଛି। ଆସନ୍ତା ସୋମବାର (ଜୁନ-୪)ରୁ ପାଇଲିଂ କାମ ଆରମ୍ଭ ହୋଇଯିବ। ଜମି ଅଧିଗ୍ରହଣ ମଧ୍ୟ ହୋଇଯାଇଛି। କେନ୍ଦ୍ର ଦ୍ୱାରା ସବୁ ବ୍ୟବସ୍ଥା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଟା ବାଧା ରହିଯାଇଛି। ବର୍ଷା ଦିନ ଆସିବା ପୂର୍ବରୁ କାମ ଆରମ୍ଭ ହୋଇଯିବ। ଆଗାମୀ ୨-ଅଢେଇ ବର୍ଷ ମଧ୍ୟରେ ସେତୁ କାମ ଶେଷ ହୋଇଯିବ ବୋଲି ଆଜି ବିଜେପି କାର୍ଯ୍ୟାଳୟରେ ସଭାପତି ଜଗବନ୍ଧୁ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଉରକେଲାର ଲାଇଫ ଲାଇନ ବୋଲାଉଥିବା ବ୍ରାହ୍ମଣୀ ସେତୁ କାମ ଶେଷ କରିବାକୁ କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ସବୁ ପ୍ରକାର ପନ୍ଥା ଆପଣାଯାଇଛି। ବିଧାୟକ ଦିଲୀପ ରାୟ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ ହାତ ସେତୁ ପାଇଁ ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି। ସେତୁ ନିର୍ମାଣ ହେଲେ ରାଉରକେଲା ତଥା ଏହାର ଆଖପାଖ ବାସିନ୍ଦା ଉପକୃତ ହେବେ। ପ୍ରଥମେ ୩ ଲେନ ବିଶିଷ୍ଠ ସେତୁ ନିର୍ମାଣ କରିବାକୁ ସ୍ଥିର କରାଯାଇଥିବା ବେଳେ ପରେ ୬ ଲେନ ବିଶିଷ୍ଠ ସେତୁ ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଥିଲା ବୋଲି ଶ୍ରୀ ବେହେରା କହିଛନ୍ତି। ବରିଷ୍ଠ ନେତା ନିହାର ରାୟ ରେଳ ପାର୍ଶ୍ୱ ବସ୍ତିବାସିନ୍ଦାଙ୍କୁ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ ନୋଟିସ ଜାରି କରାଯାଇଛି। ହେଲେ ପ୍ରଥମେ ଥଇଥାନ ତା’ପରେ ଉଚ୍ଛେଦ କରାଯାଉ। ସହରରେ ଥିବା ରାଜ୍ୟ ସରକାରଙ୍କ କୋଏଲ ବ୍ୟାଙ୍କ ପଛପାଖରେ ଥିବା ଖାଲି ଜମିରେ ବସ୍ତିବାସୀଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି। ପୂର୍ବ ଦିନରେ ବସ୍ତିବାସୀଙ୍କୁ ନେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବର୍ତ୍ତମାନ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ବିଜେପି ଆପଣେଇବ ବୋଲି ଶ୍ରୀ ରାୟ କହିଛନ୍ତି। ଏହି ସମ୍ମିଳନୀରେ ମୁଖପାତ୍ର ଭଗବାନ ରାଉତ, ଗଙ୍ଗାଧର ଦାଶ, ଦିଲୀପ ଦାସ ଓ ରାଇସନ ତୀର୍କୀ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *