କେହି ଏଯାଏ ଜୁଟି ନଥିଲେ …

– ପ୍ରଶାନ୍ତ କୁମାର ବେହେରା
ପର୍ଶୁରାମ ପାଣି ସ୍କୁଟରରେ ଯାଉ ଯାଉ ପେଟ୍ରୋଲ୍ ପମ୍ପ ନିକଟରେ ବିଷ୍ଣୁ ବାବୁ ବିଷର୍ଣ୍ଣ ମୁହଁରେ ଠିଆ ହୋଇଥିବାର ଦେଖି ତାଙ୍କ ପାଖରେ ଗାଡ଼ି ଅଟକାଇ ପଚ଼ାରିଲା, ” ସାର୍ ଏଠି କାହିଁକି ଏପରି ମନ ଦୁଃଖରେ ଠିଆ ହୋଇଛନ୍ତି।”

ପାଣିକୁ ଦେଖି ବିଷ୍ଣୁ ବାବୁଙ୍କ ବିଷର୍ଣ୍ଣ ମୁହଁଟା ପୁରା ଖୁସିରେ ଉତ୍ଫୁଲିତ ହୋଇ ଉଠିଲା। ସେ ହସ ହସ ମୁହଁରେ କହିଲେ, ” ଆରେ ପାଣି, ତତେ ତ ମୁଁ ମନେ ମନେ ଖୋଜୁଥିଲି। ଯାହା ହେଉ ଠିକ୍ ବେଳାରେ ଦେଖା ହୋଇଗଲା। ମୁଁ ପରା ଏ ଯାଏ କିଛି ଖାଇନି ରେ। ”

ପାଣି ଆଶ୍ଚର୍ଯ୍ଯ୍ୟ ହୋଇଯାଇ କହିଲା, ” ସାର୍ ଏ କି କଥା ? ଦିନ ଆସି ୧୧ଟା ବାଜିଲାଣି ଆପଣ ଏଯାଏ କିଛି ଖାଇ ନାହାନ୍ତି କାହିଁକି ?”

ବିଷ୍ଣୁ ସାର୍ ସ୍କୁଟର ପଛ ସିଟ୍ ରେ ବସିପଡ଼ି କହିଲେ, ” କେମିତି ଖାଇ ଥାଆନ୍ତି କହିଲୁ ? ଏ ଯାଏ ପରା କେହି ବି ଜୁଟି ନ ଥିଲେ। ଚ଼ାଲ୍ ଗୋଟେ ଭଲ ଜଳିଖିଆ ଦୋକାନକୁ ଯିବା, ମୁଁ ଆଗ ଖାଇବି ତାପରେ ସାଙ୍ଗ ହୋଇ ଅଫିସକୁ ଯିବା।”

ପାଣି ବାଧ୍ୟ ହୋଇ ସେହି ପାଖରେ ଥିବା ଗୋଟେ ଜଳଖିଆ ଦୋକାନ ସାମ୍ନାରେ ସ୍କୁଟର ବ୍ରେକ୍ ମାରିଲା।

ବିଷ୍ଣୁ ସାର୍ ତରତର ହୋଇ ଜଳଖିଆ ଦୋକାନ ଭିତରକୁ ପଶିଯାଇ କହିଲେ, ” ଆରେ ତୁ ଖାଇଛୁ ନା ନାଇଁ ? ଆସେ ସାଙ୍ଗ ହୋଇ ଖାଇବା।”

ପାଣି କହିଲା, ” ନାଁ ସାର୍ ମୁଁ ଏବେ ସଙ୍ଗେ ସଙ୍ଗେ ଘରୁ ଖାଇକି ଆସିଲି, ଆପଣ ଖାଆନ୍ତୁ।”

ବିଷ୍ଣୁ ସାର୍ ଆଉ କିଛି ନ କହି ବିଭିନ୍ନ ପ୍ରକାରର ଜଳଖିଆ ମଗାଇ ଖାଇ ଚ଼ାଲିଲେ। ତାଙ୍କ ଖାଇବା ଭଙ୍ଗୀରୁ ଜଣା ଯାଉଥିଲା ସେ ଖୁବ୍ ଭୋକିଲା ଥିଲେ ବୋଲି।

ପାଣି ଜଣେ ସ୍ୱଳ୍ପ ବେତନ ଭୋଗୀ ତଳିଆ କର୍ମଚାରୀ। କିନ୍ତୁ ବିଷ୍ଣୁ ବାବୁ ଜଣେ ଖୁବ୍ ଉଚ୍ଚ ପଦସ୍ଥ ଅଧିକାରୀ ଓ ସେ ମୋଟା ଅଙ୍କର ଦରମା ପାଆନ୍ତି। କିନ୍ତୁ ପାଣି ଜାଣେ ଏବେ ବିଷ୍ଣୁ ସାର୍ ଖାଉଥିବା ଜଳଖିଆର ବିଲ୍ ତାକୁ ହିଁ ଦେବାକୁ ହେବ। ପୂର୍ବରୁ ବହୁବାର୍ ଏମିତି ହୋଇଛି ମଧ୍ୟ। ସେ କେବଳ ଏକା ନୁହେଁ, ତାଙ୍କ ଅଫିସର ଅନ୍ୟ କର୍ମଚାରୀ ମାନଙ୍କ ଏପରି ଦଶା ମଧ୍ୟ ବହୁବାର ହୋଇଛି।

ଖରାବେଳେ ଲଞ୍ଚ୍ ପାଇଁ କେଳେ ବିଷ୍ଣୁ ସାର୍ ଙ୍କ ହାବୁଡ଼ରେ ପଡ଼ିଯିବେ, ସେ ଭୟରେ କିଛି ତର୍ମଚ଼ାରୀ ଲୁଚ଼ିକି ପଳାନ୍ତି ମଧ୍ୟ। କାହାର ଯଦି ଭାଗ୍ୟ ଖରାପ ହୋଇଥିବ, ତାହେଲେ ଲୁଚ଼ିକି ଯିବାବେଳେ ପଛରୁ ବିଷ୍ଣୁ ସାର୍ ଡ଼ାକି ଦିଅନ୍ତି ଆଉ ସେ ତାଙ୍କୁ ହୋଟେଲରେ ନେଇ ଖାଦ୍ୟ ଖୁଆଇବାକୁ ବାଧ୍ୟ। ଦିନେ ଦିନେ ଅଫିସରେ ପହଞ୍ଚୁ ପହଞ୍ଚୁ ବିଷ୍ଣୁ ସାର୍ ଆଗୁଆ ବି କହିଦିଅନ୍ତି ଆଜି ଲଞ୍ଚ୍ ଦେବା ପାଳି କାହାର। ବିଷ୍ଣୁ ସାର୍ ଖାଇବାରେ ଖୁବ୍ ଓସ୍ତାଦ୍। ନିଜ ପକେଟରୁ ଟଙ୍କା ଯିବାର ନଥିବାରୁ ସେ ମନଭରି ଖାଆନ୍ତି। ଥରେ ଅଫିସ୍ ର ସବୁ କର୍ମଚ଼ାରୀ ମିଶି ଭୋଜି କଲେ। ଉକ୍ତ ଭୋଜିରେ ବିଷ୍ଣୁ ବାବୁ କିଛି ପଇସା ଦେଇ ନଥିଲେ। ସବୁ କର୍ମଚ଼ାରୀଙ୍କ ବସ୍ ହୋଇଥିବା ହେତୁ ତାଙ୍କୁ ପଇସା ମାଗିବ ବା କିଏ ? କିନ୍ତୁ ସେ ଭୋଜିରେ ବହେ ଖାସି ମାଂସ ସହ କିଛି ମାଛ ମୁଣ୍ଡ ଏପରି ଭାବରେ ବିଷ୍ଣୁ ସାର୍ ଖାଇଲେ, ସେଦିନ ସଂଧ୍ୟ୍ୟାରେ କଟକ ବଡ଼ ଡ଼ାକ୍ତରଖାନାରେ ଆଡ଼ମିଶନ ହେଲେ। ପାଖାପାଖି ୧୫ ଦିନ୍ ଲାଗିଲା ତାଙ୍କୁ ସମ୍ପୂର୍ଣ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଫେରିବାକୁ। ପ୍ରଥମେ ପ୍ରଥମେ ଅବସ୍ଥା ଏତେ ଗୁରୁତର ହୋଇଥିଲ, ସମେସ୍ତେ ଆଶା ବି ଛାଡ଼ିଦେଇଥିଲେ।

ଅଫିସରେ ଯାହାର ଫାଇଲ୍ କାର୍ଯ୍ୟ ହେବ ସେଥିପାଇଁ ମଧ୍ୟ ବିଷ୍ଣୁ ସାର୍ କିଛି ନିୟମ ଧାର୍ଯ୍ଯ କରିଛନ୍ତି। ହରେକମାଲ୍ ପରି ପ୍ରତି ଦସ୍ତଖସ୍ତର ମୂଲ୍ୟ ଦୁଇଶତ ଟଙ୍କା ଧାର୍ଯ୍ୟ କରିଛନ୍ତି। ଜଣଙ୍କ ଫାଇଲରେ ଯଦି ପାଞ୍ଚଟି ଦସ୍ତଖତ ଦରକାର ତେବେ ତାକୁ ଏକ ହଜାର ଟଙ୍କା ଦେବାକୁ ହୁଏ। ପାଣି ମଧ୍ୟ ପୂର୍ବ ରୁ ବହୁବାର ବିଷ୍ଣୁ ସାର୍ ଙ୍କ ଦସ୍ତଖତ ନେଇ ତା’ ବାବଦକୁ ତାଙ୍କୁ ଟଙ୍କା ଦେଇଛି।

ଜଳଖିଆ ଖାଇ ସାରିବାପରେ ଉଭୟ ସ୍କୁଟରରେ ବସି ଅଫିସକୁ ବାହାରିଲେ। ବାଟରେ ଯାଉ ଯାଉ ହଠାତ୍ ପାଣି ବିଷ୍ଣୁ ସାରଙ୍କୁ ପଚ଼ାରିଲା, ” ସାର୍ ଆପଣଙ୍କର ଚାକିରୀରୁ ଅବସର ନେବାକୁ ଆଉ କେତେ ବର୍ଷ ଅଛି ? ”

ବିଷ୍ଣୁ ସାର୍ ଖୁବ୍ ବିଷର୍ଣମନରେ କହିଲେ, ” କାହିଁକି ସେକଥା ପଚ଼ାରୁଛୁ – ଆଉ ବର୍ଷ କେଉଁଠି ଅଛି, ମୁଁ ପରା ଦୁଇ ମାସପରେ ଅବସର ନେବିରେ। ”

ପାଣି ଆଉ କିଛି କହିବା ଉଚିତ୍ ହେବନି ବୋଲି ଚିନ୍ତାକରି ମନେ ମନେ ଭାବିଲା – ଏ ଶଳାଟା ଅବସର ନେବାପରେ ଉପୁରି ପାଉଥିବା ଟଙ୍କା ଓ ଖାଦ୍ୟ ସବୁକୁ ଝୁରିଝୁରି ଖୁବ୍ ଶିଘ୍ର ନିଶ୍ଚେ ମରିଯିବ।

ଅଧ୍ୟାପକ
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ଯାଳୟ,
ଜଗତସିଂହପୁର।

Leave a Reply

Your email address will not be published. Required fields are marked *