କେସିଙ୍ଗା ତେଲନଦୀପୋଲକୁ ସଂଯୋଗୀ ଖୁବ ଶୀଘ୍ର ଆରମ୍ଭ ହେବ – ୮କୋଟି ୭୬ଲକ୍ଷ ଖର୍ଚ୍ଚ ହେବ

– ଆରଡି ଏବଂ ପିଏଚଡି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଜମି ଅଧିଗ୍ରହଣରେ ବିଳମ୍ବ
କେସିଙ୍ଗା, ୧୮ା୦୧ (ଓଡ଼ିଆ ପୁଅ/ଏଲ କୋଟେଶ୍ୱର ନାଇଡୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ତେଲନଦୀ ପୋଲକୁ ଏପୋ୍ରାଚ ରୋଡ ସହ ତାହା ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ବହୁ ଦିନଧରି ଆଲୋଚନା ଚାଲିଥିଲେ ମଧ୍ୟ ତାହା ହେବାରେ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଥିଲେ। ହେଲେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ହେବା ନେଇ ଆଶା ସଂଚାର ହୋଇଛି। ହାଉସିଂଗ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ ଓ ସଦର ବିଧାୟକ ଅନାମ ନାଏକ ଏହି ପୋଲକୁ ସଂଯୋଗ କରିବା ନିମନ୍ତେ ଆବଶ୍ୟକ ଜମିକୁ ଆଜି ପରିଦର୍ଶନ କରିଥିବା ବେଳେ ଏହି ଜମି ଅଧିଗ୍ରହଣ କରିବା ସହ ପୋଲସହ ସଂଯୋଗ ଆସନ୍ତା ଜୁନ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୁଥୁରବନ୍ଧ ପଟୁ ପୋଲକୁ ରାସ୍ତା ସଂଯୋଗୀକରଣ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ପ୍ରଶାସନିକ ସମନ୍ୱୟର ଅଭାବ ଯୋଗୁଁ କେସିଙ୍ଗା ପଟୁ ରାସ୍ତା ସଂଯୋଗ ହୋଇ ନପାରି ବର୍ତମାନ ତାହା ଲୋକଙ୍କ କାମରେ ଲାଗୁ ନ ଥିବା ବେଳେ ସାଧାରଣରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଥିଲା। ତେବେ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ତଥା ସଚେତନ ନାଗରିକ ମଞ୍ଚ, କେସିଙ୍ଗା ତରଫରୁ ପ୍ରଶାସନକୁ ଦାବି ଜଣାଇଭା ସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପୋଲ କୁ ସଂଯୋଗୀ କରଣା ପାଇଁ ରାସ୍ତା ନେଇ ସାଧାରଣରେ ଦାବି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ତତ୍ ପରତା ପାଇଥିବା ବେଳେ ୧୨୦୦ମିଟର ରାସ୍ତା ପାଇଁ ଜମିଅଧିଗ୍ରହଣ କରାଯାଇ ଜମିମାଲିକମାନଙ୍କୁ ସରକାରଙ୍କ ସମସ୍ତ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଥିବା ବେଳେ ଅତିଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯଆଇଛି। ପିଏଚଡି ବିଭାଗ ଓ ଆରଡି ବିଭାଗ ମଧ୍ୟରେ ସମନ୍ୱୟ ର ଅଭାବ ଯୋଗୁଁ ଏହି କାର୍ଯ୍ୟରେ ବିଳମ୍ବ ହୋଇଛି ବୋଲି ଅଭିଯୋଗ ଆସିଲା ପରେ ଆସନ୍ତା ବୁଧବାର ଦିନ ଏକ ସମନ୍ୱୟ ବୈଠକ କେସିଙ୍ଗା ବ୍ଲକ ଠାରେ ସବ୍ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଉକ୍ତ ବୈଠକରେ ଏହି ରାସ୍ତା କାର୍ଯ୍ୟ କିପରି ଶୀଘ୍ର ସମ୍ପୂର୍ଣ୍ଣ ସେ ନେଇ ଆଲୋଚନା କରାଯିବା ସହ ଦୁଇ ବିଭାଗ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇ ଜମିମାଲିକମାନଙ୍କ କ୍ଷତିପୂରଣ ପ୍ରଦାନ କରାଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଏହି ରାସ୍ତା ତେଲନଦୀ ଉପରେ ନିର୍ମିତ ବ୍ରିଜ୍ ଠାରୁ ବାହାରି ଓମ୍ ନଗର ଦେଇ ଜଗନ୍ନାଥ ମନ୍ଦିର ଛକ୍ ଠାରେ ଜାତୀୟ ରାଜପଥ ୨୬କୁ ସଂଯୋଗ କରିବ। ସେଥିପାଇଁ ୮କୋଟି ୭୬ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ରାଜ୍ୟ ସରକାର ତାହା ଯୋଗାଇଦେବେ ବୋଲି ହାଉସିଂଗ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ ପ୍ରକାଶ କରିବା ସହ ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି। ସେଥିପାଇଁ ଯାହାସବୁ ଆବଶ୍ୟକତା ରହିଛି ରାଜ୍ୟସରକାର ତାହା ଯୋଗାଇବେ ଏବଂ ସମସ୍ତ ପ୍ରତିବନ୍ଧକ ଦୂର କରିବେ ବୋଲି ମଧ୍ୟ ସେ କହିଛନ୍ତି। ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ କେସିଙ୍ଗା ଓ ଡିଡିଲାଗଡ ମଧ୍ୟରେ ଦୂରତା ୪୦କିମି ପରିବର୍ତେ ମାତ୍ର ୧୭କିମି ହେବ। ଏହା ଦ୍ୱାରା ଦୁଇ ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ମଧ୍ୟରେ ଯୋଗେଯାଗ ବ୍ୟବସ୍ଥା ହେବା ସହ ବହୁ ବ୍ୟବସାୟୀ ଓ ଜନସାଧାରଣ ଉପକୃତ ହେବେ। ଆଜିର ଏହି ପରିଦର୍ଶନ ସମୟରେ କଳାହାଣ୍ଡି ଉପଜିଲ୍ଲାପାଳ ସୂର୍ଯ୍ୟକାନ୍ତ ଦାସ, ଟିଟିଲାଗଡ ଆରଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଂଜୀବ ଦାସ, କେସିଙ୍ଗା ଆରଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ସେଠ୍,  କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ଏସଡିଓ ସତ୍ୟନାରାୟଣ ପଣ୍ଡା, ଅତିରିକ୍ତ ତହସିଲଦାର ରବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *