ଓଡ଼ିଶା

କେରଳ ବନ୍ୟାଂଚଳ ପାଇଁ କେନ୍ଦ୍ରର ୬୦୦ କୋଟି ଟଙ୍କା ସହାୟତା: ରିଲିଫ କାର୍ଯ୍ୟର ସମୀକ୍ଷା କଲା ଜାତୀୟ ସଙ୍କଟ ପରିଚାଳନା କମିଟି

– ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ପଠାଇବ ଅତିରିକ୍ତ ୮୯, ୫୪୦ ଟନ୍ ଚାଉଳ
– ରାଷ୍ଟ୍ରାୟତ ତୈଳ କମ୍ପାନୀ ଦେଲେ ୨୫ କୋଟି ଟଙ୍କାର ସହାୟତା
– ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଲା ୩.୨ ଲକ୍ଷ ଏଲପିଜି ସିଲିଣ୍ଡର ଓ ୨.୨ ଲକ୍ଷ ରେଗୁଲେଟର
– ରେଲବାଇ ପଠାଇଲା ୨୪ ଲକ୍ଷ ଲିଟର ପାନୀୟ ଜଳ ସହ ୨.୭ ଲକ୍ଷ ପାଣି ବୋତଲ
– ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପଠାଉଛି ଜରୁରି ଖାଦ୍ୟ, ମସଲା, ଲୁଣ, ଚା’ ଓ କଫି

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) କେରଳର ବନ୍ୟାଂଚଳ ପାଇଁ ସହାୟତା ସ୍ୱରୂପ ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ଆଜି ୬୦୦ କୋଟି ଟଙ୍କା ମଂଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫୦୦ ଟଙ୍କା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଶହେ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ।

ରାଜ୍ୟର ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) କ୍ରମାଗତ ଷଷ୍ଠ ଦିନ ପାଇଁ ମଧ୍ୟ ଆଜି ବୈଠକ କରିଥିଲା। ବୈଠକରେ କ୍ୟାବିନେଟ ସଚିବ ପି.କେ ସିହ୍ନା ଅଧ୍ୟକ୍ଷତା କରିଥିଲେ। କେରଳର ମୁଖ୍ୟ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଭାଗ ନେଇଥିଲେ। ରାଜ୍ୟରେ ଏବେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ କେତେକ ସ୍ଥାନ ଏବେ ବି ବନ୍ୟାଜଳ ଘେରରେ ଥିବା ସେ ସୂଚନା ଦେଇଥିଲେ।

ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ଅତିରିକ୍ତ ୮୯, ୫୪୦ ଟନ୍ ଚାଉଳ ପଠାଇବାର ବ୍ୟବସ୍ଥା କରିଛି।

ଖାଉଟି ବ୍ୟାପାର ବିଭାଗ ପୂର୍ବରୁ ଶହେ ଟନ୍ ଡାଲି ପଠାଇଥିବା ବେଳେ ଏବେ ଅତିରିକ୍ତ ହରଡ଼ ଡାଲି ପଠାଇବାର ବ୍ୟବସ୍ଥା କରୁଛି।

କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ବନ୍ୟାଂଚଳରେ ଏଲପିଜି ବଂଟନ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସ୍ୱତନ୍ତ୍ର ପଏଂଟ ନିର୍ଦ୍ଧାରିତ କରିଛି। ପଂଜିକୃତ ହୋଇ ନଥିବା ଯାନ ଦ୍ୱାରା ଏ୍ଲପିଜି ସିଲିଣ୍ଡର ବଂଟନ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ଅନୁମତି ହାସଲ ହୋଇଛି। ବନ୍ୟାଂଚଳ ପାଇଁ ମନ୍ତ୍ରଣାଳୟ ୩.୨ ଲକ୍ଷ ଏଲପିଜି ସିଲିଣ୍ଡର ଓ ୨.୨ ଲକ୍ଷ ରେଗୁଲେଟର ପ୍ରଦାନ କରିଛି।

ରେଲବାଇ ପକ୍ଷରୁ ୨୪ ଲକ୍ଷ ଲିଟର ପାନୀୟ ଜଳ ସହ ୨.୭ ଲକ୍ଷ ପାଣି ବୋତଲ ଯୋଗାଇ ଦିଆଯାଇଛି। ଏର୍ଣ୍ଣାକୁଲମରେ ଏବେ ଅତିରିକ୍ତ ୧୪ ଲକ୍ଷ ଲିଟର ପାଣି ମହଜୁଦ ରହିଛି। ପ୍ରଭାବିତ ଅଂଚଳରେ ବେଡସିଟ୍ ଓ କମ୍ବଳ ବଂଟନ ପାଇଁ ମଧ୍ୟ ରେଳବାଇ ବ୍ୟବସ୍ଥା କରିଛି। ସବୁ ରୁଟରେ ଏବେ ଟ୍ରେନ ଚଳାଚଳ ଆରମ୍ଭ ହୋଇଗଲାଣି। ରେଳବାଇ ମଧ୍ୟ ବିଭିନ୍ନ ରାଜ୍ୟରୁ ମାଗଣାରେ ରିଲିଫ ସାମଗ୍ରୀ କେରଳକୁ ପରିବହନ କରୁଛି।

ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଯୋଗ ପୁନଃପ୍ରତିଷ୍ଠା କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଯ୍ୟାନ୍ୱୟନ ଯୋଜନା କରାଯାଇଛି। ୯୪% ଟେଲିଫୋନ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି। ଟେଲିଫୋନ୍ ଏକ୍ସଚେଞ୍ଜଗୁଡ଼ିକୁ ବିଦ୍ୟୁତ ସଂଯୋଗ ଲାଗି ପ୍ରାଥମିକତା ଦିଆଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ବନ୍ୟାଂଚଳକୁ ୧ କୋଟି କ୍ଳୋରିନ୍ ଟାବଲେଟ ଯୋଗାଇ ଦିଆଯାଇଥିବା ବେଳେ ଏବେ ଆଉ ୩ କୋଟି ଟାବଲେଟ ଦିଆଯିବ। ୩୦ ଟନ୍ ବ୍ଲିଚିଙ୍ଗ ପାଉଡର ଓ ୧.୭୬ ଲକ୍ଷ ସାନିଟାରୀ ନାପକିନ୍ ପଠାଯାଇଛି। ଆଗାମୀ ଦିନରେ ଅଧିକ ପଠାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏ ପର୍ଯ୍ୟନ୍ତ କୌଣସି ଠାରେ ରୋଗ ବ୍ୟାପିଥିବାର ସୂଚନା ମିଳିନାହିଁ।

ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଦ୍ୱାରା ଜରୁରି ଖାଦ୍ୟ ମସଲା, ଲୁଣ, ଚା’ ଏବଂ କଫି ପଠାଯାଉଛି।

କେରଳର ବନ୍ୟାଂଚଳ ପାଇଁ ମଗାଯାଉଥିବା ରିଲିଫ ସାମଗ୍ରୀ ଉପରୁ କଷ୍ଟମ ଡ୍ୟୁଟି ଓ ଆଇଜିଏସଟି ଛାଡ଼ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିସାରିଛି।

ଉଦ୍ଧାର ଅଭିଯାନ କମିବାରେ ଲାଗିଥିବାରୁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମୁତୟନ ଥିବା ସେନା ଟିମ୍ ଓ ଏନଡିଆରଏଫ୍ ଯବାନ୍ଙ୍କୁ ପର୍ଯ୍ୟାୟକ୍ରମେ ଅନ୍ତର କରୁଛନ୍ତି।

ଏନସିଏମସି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ, ଦୂରସଂଚାର, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ବିଭାଗ, ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍, ବାଣିଜ୍ୟ ଓ ବୟନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ସେନା, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍ଏ)ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top