କେରଳକୁ ଦାଦାନଖଟିବାକୁ ଯାଇ ଯୁବକ ନିଖୋଜ, ବାପାଙ୍କୁ ଫେରାଇ ଆଣିଦେବା ପାଇଁ ପୁଅ ଗୁହାରି କଲେ ଜିଲ୍ଲାପାଳଙ୍କୁ

ମାଲକାନଗିରି, ୨ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଦାଦନଶ୍ରମିକ ମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଜିଲ୍ଲାର କିଛି ଦଲାଲ ବିଭିନ୍ନ ଗ୍ରାମକୁ ଯାଇ ଗରିବ ଖଟିକିଆ ଲୋକମାନଙ୍କୁ ଅଧିକା ମଜୂରୀ ମିଳିବାର ଲୋଭ ଦେଖାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଚାଲାଣ କରୁଛନ୍ତି। କିଏ ଠିକ ଭାବେ ମଜୁରୀ ପାଉନଥିବା ବେଳେ ଭୋକ ଉପାସରେ ନାନା ପ୍ରାକାର ରୋଗରେ ପଡି ନିଜ ଘରକୁ ଫେରୁଥିବା ବେଳେ ଅନ୍ୟକିଏ ନିଖୋଜ ହେଉଛନ୍ତି ତ ଆଉକିଏ ମୃତ୍ୟୁ ବରଣ କରୁଛନ୍ତି। ଏମିତି ଏକ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଡମବେଢା ଗ୍ରାମର ଜଗନାଥ କାନ୍ତାରି(୪୪) ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଲୋକ, ଘରକୁ ସେ ଏକ ମାତ୍ର ରୋଜଗାରିଆ, ଗାଁରେ ସେମିତି କିଛି କାମ ନମିଳିବାରୁ ଅଧିକ ମଜୁରୀ ପାଇବା ଲୋଭରେ ଜଣେ ଦଲାଲ ହାବୁଡରେ ପଡି କେରଳକୁ କାମକରିବା ପାଇଁ ୨୦୧୭ ମସିହା ଜୁଲାଇ ମାସରେ ଯାଇଥିଲେ। ଦୀର୍ଘଦିନପରେ ତାଙ୍କ ସହିତ ଗତ ଏପ୍ରିଲ ମାସ ୫ ତାରିଖରେ ଫୋନ ଯୋଗେ ପରିବାର ଲୋକେ କଥା ହୋଇଥିଲେ। ସେ ନିଜ ଘରକୁ ଫେରୁଛନ୍ତି ବୋଲି କହିଥିଲେ। ତାପର ଠାରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନାହିଁ, ଫୋନ ମଧ୍ୟ ଲାଗିନଥିଲା, କେରଳର ସାଇନବସ ନାମକ ଏକ କମ୍ପାନିରେ ସେ କାମ କରୁଥିଲେ। ତାଙ୍କ ଫୋନ ନଲାଗିବାରୁ କମ୍ପାନିକୁ ପଚାରିବାରୁ ସେ କହିଲେ ଆମେ ଜାଣିନାହୁଁ ସେ କୁଆଡେ ଗଲେ। ଜଗନ୍ନାଥଙ୍କ ଉପରେ ସାତ ପ୍ରାଣି କୁଟୁମ୍ବ ନିର୍ଭର କରନ୍ତି। ତାଙ୍କର ରୋଗିଣା ସ୍ତ୍ରୀ ୭ ବର୍ଷରୁ ୧୮ ବର୍ଷର ପୁଅ ଓ ଝିଅ ୪ ଜଣଙ୍କ ସହିତ ୩ ବର୍ଷର ଭାଇ, ୬ ବର୍ଷର ଭଉଣୀ ଘରେ ଅଛନ୍ତି। ତାଙ୍କ ନିଖୋଜ ସଂପର୍କରେ ମାଥିଲି ଥାନାରେ ଜଣାଇବା ପରେ ମଧ୍ୟ ପୁଲିସ କୌଣସି ପଦ କ୍ଷେପ ନ ନେବାରୁ ବାଧ୍ୟ ହୋଇ ତାଙ୍କ ପୁଅ ଶ୍ୟାମ କାନ୍ତାରୀ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇ ତାଙ୍କ ବାପା ଜଗନ୍ନାଥଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *