କେବେ ସୁଧୁରିବ ଟ୍ରାଫିକ ସେବା

ପୁରୀ, ୨୪/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାର କୌଣସି ସମାଧାନ ହୋଇନଥିବା ଦେଖାଯାଏ। ପୁରୀ ସହରରେ ପ୍ରାୟ ୪ରୁ ୫ହଜାର ପର୍ଯ୍ୟନ୍ତ ଅଟୋ ଚଳାଚଳ କରୁଛି। ଅଟୋ ଚାଳକମାନେ ୟୁନିଫର୍ମ ଫିନ୍ଧିବା, ଆଇକାର୍ଡ ଲଗେଇବା ସହ ନିଜ ନିଜର ପରିଚୟ ପତ୍ର, ଅଟୋ ନମ୍ବର, ସମ୍ପୂର୍ଣ୍ଣ ଠିକଣା ଓ ଟେଲିଫୋନ ନମ୍ବର ଲେଖା ସହ ପ୍ରତ୍ୟେକ ଗାଡିରେ ଲଗାଯିବା ପାଇଁ ନିୟମ ରହିଥିଲେ ମଧ୍ୟ ପ୍ରାୟ ଶତକଡା ୮୦ଭାଗ ଗାଡିରେ ପରିଚୟ ପତ୍ର ଲଗାଯାଉନଥିବା ଦେଖାଯାଏ। ସେହିପରି ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ପ୍ରାୟତଃ ୯୮ପ୍ରତିଶତ ଅଟୋ ଚାଳକ ୟୁନିଫର୍ମ ପିନ୍ଧୁନଥିବା ଦେଖାଯାଏ। ଅଟୋଗୁଡିକର ଲାଇସେନ୍ସ, ଫିଟ୍ନେସ, ଇନସୁ୍ୟରେନ୍ସ ମଧ୍ୟ ଅନେକ ଗାଡିରେ ନଥାଇ ଗାଡିଗୁଡିକ ଚଳାଚଳ କରୁଥିବା ଅଭିଯୋଗ ହେଉଛି। ଆଞ୍ଚଳିକ ପରିବହନ ସଂସ୍ଥା ଜିଲ୍ଲା ପୁଲିସ ପ୍ରଶାସନ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଥିବା କୁହାଯାଇଛି। ଦ୍ରୁତ ବେଗରେ ଅଟୋ ଚାଳନା କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଏ। ସେହିପରି ଅଟୋରେ ୪ଜଣ ଯାତ୍ରୀ ନେବା ନିୟମ ଥିଲେ ସୁଦ୍ଧା ଅଧିକ ସଂଖ୍ୟକ ଯାତ୍ରୀ ଅଟୋରେ ଯାତ୍ରା କରୁଥିବା ଦେଖାଯାଏ। ଏପରିକି ଗୋଟିଏ ଗୋଟିଏ ଅଟୋରୁ ୮ରୁ ୧୦ଜଣ ପର୍ଯ୍ୟନ୍ତ ଯାତ୍ରୀ ଯାତାୟତ କରୁଥିବା ଅଭିଯୋଗ ହେଉଛି। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ଥାନା ଖୋଲା ଯାଇଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟ କରୁନଥିବା କୁହାଯାଉଛି। ଛୁଟି ଦିନ ଗୁଡିକରେ କୁମ୍ଭାରପଡା ଥାନା ଠାରୁ ଡାକ୍ତରଖାନା ଛକ ଓ ପୁଲିସ ଲାଇନ ଛକ ଠାରୁ ଦରଜୀପୋଖରୀ ଛକ ପର୍ଯ୍ୟନ୍ତ ଗାଡିଗୁଡିକର ଲମ୍ବା ଧାଡି ଲାଗିଥିବା ଯୋଗୁଁ ସାଧାରଣ ଚଳପ୍ରଚଳରେ ମଧ୍ୟ ପତ୍ରବିନ୍ଧକ ସୃଷ୍ଟି ହେଉଛି। ପୁଲିସ ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *