ଜିଲ୍ଲା ପରିକ୍ରମା

କେବେ ଖୋଲିବ ହକେଟ୍ ରୋଡ଼?

ରାଉରକେଲା ୧୫/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ୯ ଦିନ ହେଲା ସାରନା ଛକ ଠାରୁ ଦେଓଗାଁ ତରକେରା ଛକ ଯାଏ ଯାଇଥିବା ହେକେଟ ରୋଡକୁ ଆରଏସପି ପ୍ରଶାସନ ପକ୍ଷରୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏହି ରାସ୍ତାରେ ଟନେଲ ଖୋଳାଯାଇ ଶୀତଳପଡ଼ା ବସ୍ତିର ନିଖୋଜ ହୋଇଥିବା ୪ ଜଣ ଯୁବକଙ୍କୁ ଉଦ୍ଧାର କରାଯିବା ପ୍ରକୀୟା ଚାଲୁଥିବାରୁ ଏହି ରାସ୍ତାକୁ ଜନସାଧାରଣଙ୍କ ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଦକ୍ଷିଣ ରାଉରକେଲା ଅଂଚଳର ସାରନଗରୀ, ଲାଠିକଟା ବାସିନ୍ଦା ମାନଙ୍କ ଏହା ନିୟମିତ ଯିବା ଆସିବା କରିବାର ପ୍ରମୁଖ ରାସ୍ତା ହୋଇଥିବାରୁ ଏହାକୁ ଯଥାଶିଘ୍ର ପୁନଃ ଖୋଲିବାକୁ ସାଧାରଣରେ ଦାବି ହୋଇଛି। ବର୍ତମାନ ହେକେଟ ରୋଡ ବନ୍ଦ ଯୋଗୁ ଦକ୍ଷିଣ ରାଉରକେଲାରୁ ସମସ୍ତ ଯାତ୍ରୀବାହୀ ଅଟୋ, ମାଲବାହୀ ଅଟୋ, ଦୁଇ ଚକିଆ ଯାନ, କାର, ବୋଲେରୋ ସମେତ ସାଇକେଲରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ବାଧ୍ୟରେ ଜାତୀୟ ରାଜପଥ-୧୪୩ ଦେଇ ଯିବା ଆସିବା କରିବାକୁ ପଡୁଛି। ଫଳରେ ଜାତୀୟ ରାଜପଥରେ ପୂର୍ବ ଅପେକ୍ଷା ଟ୍ରାଫିକ ସମସ୍ୟାରେ ବୃଦ୍ଧି ହୋଇଛି। ପୂର୍ବରୁ ସାରନଗରୀରୁ ଜଣେ ଯାତ୍ରୀଙ୍କୁ ରାଉରକେଲା ଷ୍ଟେସନ କଲେ ୨୦ ଟଙ୍କା ଅଟୋ ଭଡ଼ା ଦେବାକୁ ପଡୁଥିବା ବେଳେ, ବର୍ତମାନ ୩୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। ଯାହା ସିଧାସଳଖ ଯାତ୍ରୀଙ୍କ ପକେଟରୁ ଯାଉଛି। ଗରିବ ଶ୍ରେଣୀୟ ଯାତ୍ରୀ ମାନେ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଜାତୀୟ ରାଜପଥ ଦେଇ ରାଉରକେଲା ପହଂଚିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ, ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଏହାକୁ ନେଇ ଯାତ୍ରୀ ମହଲରେ ଭୟ ସଂଚାର ହୋଇଛି। ସମୟ ସମୟରେ ଅଟୋ ଭଡ଼ାକୁ କେନ୍ଦ୍ର କରି ଅଟୋ ଚାଳକ ଓ ଯାତ୍ରୀମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଉଛି। ଯାତାୟତର ସୁଲଭ ମାଧ୍ୟମ ପାଲଟିଥିବା ଉକ୍ତ ହେକେଟ ରୋଡକୁ ଅତିଶୀଘ୍ର ଖୋଲିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top