କେନ୍ଦ୍ର ସହଯୋଗରେ ହେଉଥିବା ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଧନ୍ୟବାଦ ନଦେବା ଅତ୍ୟନ୍ତ ନିନ୍ଦନୀୟ : କେ.ଭି ସିଂହଦେଓ

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୌବେଙ୍କୁ ରାଜ୍ୟସରକାର ଅସମ୍ମାନ କରିବା ପ୍ରସଙ୍ଗରେ
– ରାଜ୍ୟର ପରିଚୟ ଓ ପରଂପରା ‘ଅତିଥି ଦେବୋ ଭବଃ’ କୁ ରାଜ୍ୟ ସରକାର ବଳି ପକାଇ ଦେଇଛନ୍ତି
ଭୁବନେଶ୍ୱର, ତା ୪/୦୯ (ଓଡ଼ିଆ ପୁଅ) : ରାଜ୍ୟର ପରିଚୟ ଓ ପରଂପରା ‘ଅତିଥି ଦେବୋ ଭବଃ’ କୁ ରାଜ୍ୟ ସରକାର ବଳି ପକାଇ ଦେଉଛନ୍ତି। ରାଜ୍ୟସରକାର ବାସ୍ତବରେ ଅତିଥିମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। ଅସହିଷ୍ନୁତା ଭାବ ପ୍ରଦର୍ଶନ କରି ରାଜ୍ୟ ଅତିଥିମାନଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ହୀନ ରାଜନୀତି ଅଭିସନ୍ଧି ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଲଜ୍ଜାର ବିଷୟ ବୋଲି ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିବା ସହ ଏଭଳି ଆଭିମୁଖ୍ୟକୁ ଦୃଢ ନିନ୍ଦା କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବାଲେଶ୍ୱରଠାରେ ନବନିର୍ମିତ ଫକୀର ମୋହନ ମେଡିକାଲ କଲେଜର ଶୁଭ ଉଦ୍ ଘାଟନ ପାଇଁ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୌବେ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରଠାରେ ପହଂଚିଥିଲେ। ମାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀଚୈାବେଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ କିମ୍ବା କୈାଣସି ଉଚ୍ଚ ପଦାଧିକାରୀ ଉପସ୍ଥିତ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହଦେଓ କ୍ଷୋଭ ପ୍ରକାଶ କରି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୈାବେ ଭୁବନେଶ୍ୱରରୁ ବାଲେଶ୍ୱରକୁ ହେଲିକ୍ୟାପ୍ଟର ଯୋଗେ ଯିବାର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସତ୍ୱେ ଶେଷ ମୁହୁର୍ତରେ ବାତିଲ କରାଯାଇଥିଲା। ଏହା ପରେ ଶ୍ରୀ ଚୈାବେଙ୍କୁ ସଡକ ପଥରେ ଯାଜପୁର ଜିଲ୍ଲା ସୀମା ପର୍ଯ୍ୟନ୍ତ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌବେଙ୍କୁ ‘ଣ’ କାଟାଗୋରୀ ସୁରକ୍ଷା ମିଳିଥିବା ବେଳେ ରାଜ୍ୟସରକାରଙ୍କ ଏପରି ଦାୟୀତ୍ୱହୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୂର୍ବରୁ ଶ୍ରୀ ଚୌବେଙ୍କୁ ବିମାନବନ୍ଦରରେ ସ୍ୱାଗତ କରାନଯିବା ଏବଂ ପରେ ସଡକ ପଥରେ ବାଲେଶ୍ୱର ଗସ୍ତ ସମୟରେ ସୁରକ୍ଷା ନଯୋଗାଇବା ରାଜ୍ୟସରକାରଙ୍କ ହୀନ ମାନସିକତାର ଲକ୍ଷଣ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ରାଜ୍ୟରେ ସମସ୍ତ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଅନୁଦାନ କରିଛନ୍ତି। କେନ୍ଦ୍ରୀୟ ସହାୟତା ଯୋଗୁଁ ରାଜ୍ୟରେ ୫ ଟି ମେଡିକାଲ କଲେଜରୁ ୪ଟି କାର୍ଯ୍ୟକ୍ଷମ ହୋଇପାରିଛି। ପୂର୍ବରୁ ୨ଟି ମେଡିକାଲ କଲେଜ ଉଦଘାଟନ କରିବା ସମୟରେ କେନ୍ଦ୍ର ସରକାରଙ୍କ କୌଣସି ଅଧିକାରୀ ତଥା ମନ୍ତ୍ରୀଙ୍କୁ ରାଜ୍ୟସରକାର ନିମନ୍ତ୍ରଣ କରିନଥିଲେ। ଗତ ୩୧ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ବଲାଙ୍ଗିର କଲେଜର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ରାଜ୍ୟ ସରକାର ନିମନ୍ତ୍ରଣ ପତ୍ରରେ ଶ୍ରୀ ନଡ୍ଡାଙ୍କ ନାଁ ଛାପି ନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ କରିଥିଲା। ସେହିପରି ବାଲେଶ୍ୱରରେ ମେଜିକାଲ କଲେଜ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ନାଁ କିମ୍ବା ଫଟୋ ନଦେଇ ରାଜ୍ୟ ସରକାର ହୀନ ରାଜନୀତି କରିଛନ୍ତି। ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହୁଥିବା ରାଜ୍ୟସରକାର କେନ୍ଦ୍ରର ସହଯୋଗରେ ହେଉଥିବା ରାଜ୍ୟରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରକୁ ଧନ୍ୟବାଦ ନଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *