କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦିନିକିଆ ନୂଆପଡା ଜିଲା ଗସ୍ତ

ଖଡିଆଳ/ନୂଆପଡା -୮/୬ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡଃ ମହେଶ ଶର୍ମା ଦିନିକିଆ ନୁଆପଡା ଜିଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିବା ବେଳେ ସବକି ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ନୂଆପଡା ଠାରେ ଏକ ସାଧାରଣ ସଭାକୁ ଯୋଗଦେଇ ଭାରତ ସ୍ୱାଧିନତାର ୭୦ ବର୍ଷରେ ଯେଉଁ ଭଲି ବିକାଶ ହୋଇନଥିଲା ମୋଦି ସରକାରଙ୍କ ତିନି ବର୍ଷ ମଧ୍ୟରେ ତାଠାରୁ ଅଧିକ ବିକାଶ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି।

ସେହିପରି କୋମନା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ। ଖଡିଆଳ ବ୍ଳକ ବଡମହେଶ୍ୱର ଗ୍ରାମଠାରେ ମନ୍ତ୍ରୀ ମହେଶ ଶର୍ମା ଏକ ଦଳିତ ମହିଲା ସଞ୍ଜୁ ତାଣ୍ଡିଙ୍କ ଘରକୁ ଯାଇ ତାଙ୍କ ଘରର ଚଟାଣରେ ବସି ଭୋଜନ କରି ଜାତୀ, ଧର୍ମ, ବର୍ଣ୍ଣର ଭେଦଭାବ ନରଖୁଥିବା କେନ୍ଦ୍ର ସରକାରଙ୍କ ବାର୍ତ୍ତାଙ୍କୁ ଲୋକଙ୍କ ପାଖକୁ ପହଞ୍ଚାଇଛନ୍ତି।

ମନ୍ତ୍ରୀଙ୍କ ସାଙ୍ଗରେ ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ପୂବର୍ତନ ରାଜ୍ୟ ସଭାପତି ତଥା ମନ୍ତ୍ରୀ କନକ ବଦ୍ଧନ ସିଂଦେଓ ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ନୁଆପଡା ଜିଲା ପକ୍ଷରୁ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟି ରଖି ସ୍ୱାଗତ କାର୍ଯ୍ୟକ୍ରମ ରଖିଥିବା ବେଳେ ଖଡିଆଳ ବ୍ଳକ ସାନ ମହେଶ୍ୱର ଗ୍ରାମ ଠାରେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ବହୁ ନୂତନ ସଦସ୍ୟ ଯୋଗଦାନ କରିଥିବା ବେଳେ ସମସ୍ତଙ୍କୁ ମନ୍ତ୍ରୀ ସ୍ୱାଗତ କରିଥିଲେ।

ପରେ ଖଡିଆଳ ଅଗ୍ରେସନ ଧର୍ମଶାଳା ଠାରେ ଭାରତ ସରକାରଙ୍କ ସବକେ ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଲୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ହିତାଧିକାରଙ୍କ ସହ ଆଲୋଚନା କରିଛନ୍ତି।

ନୂଆପଡା, କୁରୁମପୁରୀ, ତରବୋଡ, ଉଦ୍ୟାନବନ୍ଧ ପରେ ବଡମହେଶ୍ୱର ଏବଂ ସାନ ମହେଶ୍ୱର ଗ୍ରାମରେ ତାଙ୍କୁ ସ୍ୱାଗତ କରାଯାଇଛି। ଏହି ଅବସରରେ ଜିଲା ପ୍ରଶାସନ ସହ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ମାତ୍ରାରେ ପ୍ରସ୍ତୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଲା ଯୋଗଦାନ କରିଥିଲେ। ଅନ୍ୟପକ୍ଷରେ ନୂଆପଡା ଜିଲା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ଅଘଟଣ ଘଟିବା ଆଗରୁ ପୋଲିସ ସେମାନଙ୍କୁ କାବୁ କରିନେଇ ଥାନାରେ ଅଟକ ରଖିଥିଲା।

Leave a Reply

Your email address will not be published. Required fields are marked *