ଓଡ଼ିଶା

କେନ୍ଦ୍ର ଶିକ୍ଷା ସଚିବଙ୍କୁ ଦାବିପତ୍ର ଦେଲା ରାଜ୍ୟ ବି.ଏଡ୍. ଶିକ୍ଷକ ସଂଘ

ଭୁବନେଶ୍ୱର, ତା ୨୧ା୬ (ଓଡ଼ିଆ ପୁଅ): ରାଜ୍ୟର ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସମୁଖରୁ ରକ୍ଷା କରିବା ସହ ରାଜ୍ୟସରକାରଙ୍କ କ୍ରମାଗତ ଅବହେଳା ଓ ଶିକ୍ଷକମାରଣ ନୀତ ବିରୁଦ୍ଧରେ ରାଜ୍ୟ ବି.ଏଡ୍ ଶିକ୍ଷା ସହାୟକ ସଂଘ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ, ନୂଆଦିଲ୍ଲୀର ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପ୍ରମୁଖ ସଚିବ ଶ୍ରୀଯୁକ୍ତ ଅନୀଲ ସ୍ୱରୂପଙ୍କୁ ଭେଟି ୧୦୦ ପୃଷ୍ଠା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏହି ଅବସରରେ ରାଜ୍ୟ ସଂଘର ଉପସଭାପତି ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ଶ୍ରୀଯୁକ୍ତ ସ୍ୱରୂପଙ୍କୁ ଭେଟି ରାଜ୍ୟର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଦିଗରେ ଏକ ଗଠନମୂଳକ ଆଲୋଚନା କରିଥିଲେ। ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ ଲାଗୁ ହେବାପରେ ଶିକ୍ଷକମାନଙ୍କୁ ଯେଉଁସବୁ ସୁବିଧା ମିଳିବା କଥା ସେମାନଙ୍କୁ ସେଥିରୁ ବଞ୍ଚିତ କରାଯାଉଥିବା ବିଷୟ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଶିକ୍ଷକ ବିରୋଧି ନୀତି ଯୋଗୁଁ ଏଠାରେ ଶିକ୍ଷକମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇ ଶୋଷଣ କରାଯିବା ସହିତ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଗ୍ରହଣ କରାନଯାଇ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଓ ପ୍ରାପ୍ୟ ପାଇବାରୁ ବଞ୍ଚିତ କରାଯାଉଥିବା ବିଷୟ ସଂଘର କର୍ମକର୍ତ୍ତାମାନେ ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଅଷ୍ଟମ ଶ୍ରେଣୀକୁ ହାଇସ୍କୁଲ୍କୁ ଉଚ୍ଛେଦ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏକ ଆଦର୍ଶ ଶିକ୍ଷକ ମଣ୍ଡଳୀ ବା ଷ୍ଟାଫିଙ୍ଗ ପାର୍ଟନ ଗଠନ କରାଯାଇପାରିନାହିଁ। ଏନ୍.ସି.ଟି.ଇ. ନିୟମ ଅନୁସାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ବି.ଏଡ୍. ଯୋଗ୍ୟତାଧାରୀ ତଥା ଓ.ଟି.ଇ.ଟି.-୨ ଯୋଗ୍ୟତାସମ୍ପନ୍ନ ଶିକ୍ଷକମାନଙ୍କୁ ଟି.ଜି.ଟି. ହାରରେ ଦରମା ନ ଦେଇ ବର୍ତ୍ତମାନସୁଦ୍ଧା ସେହି ମାଟି୍ରକ ସିଟି ହାରରେ ଦରମା ପ୍ରଦାନ କରାଯାଉଥିବା ବିଷୟ ଅବଗତ କରାଯାଇଥିଲା। ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରିଟ୍ ପିଟିସନ୍ କେଶ୍ ନଂ- ୧୩୬୧, ୧୭୬୨/୨୦୧୦ ମସିହା ନିର୍ଦ୍ଦେଶ ଅନୁସାରେ ଟି.ଜି.ଟି. ଶିକ୍ଷକ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଟିଜିଟି ଦରମା ନ ଦେବା ମାନ୍ୟବର କୋର୍ଟଙ୍କ ଅବମାନନା ହେଉଥିବା ବିଷୟ ମଧ୍ୟ ସଚିବ ମହୋଦୟଙ୍କୁ ଅବଗତ କରାଯାଇଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଯୋଗ୍ୟତା ଭିତ୍ତିରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ଟି.ଜି.ଟି. ହାରରେ ଦରମା ପ୍ରଦାନ ସହ ସେମାନଙ୍କୁ ଲେବୁଲ୍-୩ ପଦବୀରେ ନିୟମିତ କରାଯିବାକୁ ଦାବି ଉପସ୍ଥାପନ କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ବ୍ୟତୀତ ତିନିଜଣ ଲେଖାଏଁ ବି.ଏଡ୍. ଶିକ୍ଷକଙ୍କୁ ବିଷୟଭିତ୍ତିକ ଶିକ୍ଷକର ମାନ୍ୟତା ଦିଆଗଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ସହ ଗୁଣାତ୍ମକ ଶିକ୍ଷାର ପ୍ରସାର ହେବ ଓ କୌଣସି ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେବେନାହିଁ ବୋଲି ସଂଘ ତରଫରୁ ଅବଗତ କରାଯାଇଥିଲା। ଏତଦ୍ବ୍ୟତୀତ ପ୍ରତ୍ୟେକ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ, କମ୍ପୁ୍ୟଟର, ପ୍ରିଣ୍ଟର ଓ ଇଣ୍ଟରନେଟ୍ ସଂଯୋଗ ତଥା ସ୍ୱଚ୍ଛ ପାଣି ଯୋଗାଣର ସୁବିଧା କରିବା ଭଳି ଦାବି ଉପସ୍ଥାପନ କରାଯାଇଥିଲା। ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରି ଦାବିଗୁଡ଼ିକ ଯଥାର୍ଥ ଓ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବେବୋଲି ସଚିବ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ବି.ଏଡ୍ ଶିକ୍ଷା ସହାୟକ ସଂଘର ସଭାପତି ଅଜୟ ଧଳ, ଉପସଭାପତି ସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ମହାସଚିବ ଉମେଶ ଚନ୍ଦ୍ର ନାୟକ ଓ ଅନ୍ୟତମ ଉପସଭାପତି ନୃସିଂହ ସାହୁ, କ୍ଷୀରୋଦ ସ୍ୱାଇଁ, ସମ୍ପଦ ଜେନା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top