କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓଡ଼ିଶାରେ ‘ଅତିଥି ଦେବୋ ଭବଃ’ ପରମ୍ପରାକୁ ଭଙ୍ଗ କରିଛି କଂଗ୍ରେସ : ବିଜେପି

–    ରାଜ୍ୟରେ ନିଜର ସ୍ଥିତି ଓ ପରିଚୟ ବଂଚାଇବାକୁ ଯାଇ କଂଗ୍ରେସ ଦଳ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କରୁଛି
–    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ କଂଗ୍ରେସ କାର୍ଯ୍ୟ କରୁଛି
–    କେନ୍ଦ୍ରମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ବାରମ୍ବାର ଘଟିବା ଅତ୍ୟନ୍ତ ନୀନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ
–    ରାଜ୍ୟବାସୀ ଏହି ଘଟଣା ପାଇଁ ଉଚିତ୍ ଜବାବ୍ ଦେବେ

ଭୁବନେଶ୍ୱର, ୧୦/୦୬ (ଓଡ଼ିଆ ପୁଅ): ଓଡ଼ିଶାର ‘ଅତିଥି ଦେବୋ ଭବଃ’ ପରମ୍ପରାକୁ ଭଙ୍ଗ କରିଛି କଂଗ୍ରେସ। ଓଡ଼ିଶୀ ହେଉ କି ଶ୍ରୀ ଜଗନ୍ନାଥ; ଏଭଳି ଜଗତ ବନ୍ଦିତ ପରମ୍ପରାକୁ ଗୋଇଠା ମାରି ଜାତୀୟ ସ୍ତରରେ ଓଡ଼ିଶାକୁ ନିନ୍ଦିତ କରୁଛି କଂଗ୍ରେସ ଦଳ। ଦେଶବାସୀଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇ ଦେଶରୁ କଂଗ୍ରେସ କ୍ରମଶଃ ମୁଳପୋଛ ହେବାକୁ ବସିଲାଣି। ସେହି ପରୀପ୍ରେକ୍ଷୀରେ ରାଜ୍ୟରେ ନିଜର ସ୍ଥିତି ଓ ପରିଚୟ ବଂଚାଇବାକୁ ଯାଇ କଂଗ୍ରେସ ଦଳ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କରିବାକୁ ବି ପଛାଉନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଆଜି ଭୁବନେଶ୍ୱର ରାଜଭବନରେ ରାଜ୍ୟପାଳଙ୍କ ସହ ଆଲୋଚନ କରିବାକୁ ଯାଇଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହଙ୍କୁ କଂଗ୍ରେସର କର୍ମୀମାନେ ଅଣ୍ଡାମାଡ଼ କରିବା ସୂଚାଇ ଦେଇଛି ଯେ ପ୍ରଦେଶ କଂଗ୍ରେସ ଏଭଳି ଘୃଣ୍ୟ କାର୍ଯ୍ୟ କରିବା ପଛରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ନିର୍ଦ୍ଦେଶ ରହିଛି। କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ସିଂହ ଜେଡ୍ କେଟାଗୋରିର ମନ୍ତ୍ରୀ। ରାଜ୍ୟ ସରକାର ଏ ସଂପର୍କରେ ଅବଗତ ଥିବା ସତ୍ୱେ ଆଜି ଶ୍ରୀ ସିଂହଙ୍କ ଉପରେ ଯେଭଳି ଆକ୍ରମଣ ହୋଇଛି, ସେଥିରୁ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଗତବର୍ଷ ବରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ। ଯଦ୍ୱାରା ଆମ ରାଜ୍ୟ ସବୁ ଆଡେ ଲଜ୍ଜିତ ହୋଇଥିଲା। ଏବର୍ଷ ପୁଣି ସେଭଳି ଘଟଣାର ପୁନରାବୃତି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାକୁ ବାରମ୍ବାର ଲଜ୍ଜିତ ହେବାକୁ ପଡ଼ୁଛି। ଆଗାମୀ ଦିନରେ ରାଜ୍ୟବାସୀ ଏହି ଘଟଣା ପାଇଁ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Leave a Reply

Your email address will not be published. Required fields are marked *