କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ ଉତ୍ସବ

କେନ୍ଦ୍ରାପଡା ୧୧/୪(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାର ବାରିମୂଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ ଉତ୍ସବ ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଯୁଗ୍ମ କମିଶନର ଡଃ ସଚୀକାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନୀ ଉତ୍ସବରେ ଅନୁସୁଚିତ ଜନଜାତି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରି କହିଥିଲେ ଯେ ଏହି ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରମୁଖ ଭୁମିକା ରହିଛି। ଗୃହ ନିର୍ମାଣ ପାଇଁ ସ୍ଥାନ ନିରୁପଣ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ବାରମ୍ବାର ସମୀକ୍ଷା କରିବା ଏବଂ କେତେକ ଆବଶ୍ୟକତା ନିମନ୍ତେ ଶ୍ରୀ ପଣ୍ଡା ତାଙ୍କ ସାଂସଦ ପାଣ୍ଠିରୁ ପ୍ରାୟ ୬ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପ୍ରାୟ ୧୬କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ଗୃହଟି ପିଲାମାନଙ୍କ ଆବଶ୍ୟକତା ଠିକ ଭାବରେ ମେଣ୍ଟାଇ ପାରିବ। ଜନଜାତିର ପିଲାମାନଙ୍କୁ ବିନାମୂଲ୍ୟରେ ରହିବା ଓ ଖାଇବା ସହିତ ଉନ୍ନତମାନର ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରେ ଏକଶହଟି ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରିଯିବାକୁ ଅର୍ଥ ମଞ୍ଜୁର କରାଯାଇଛି। ପ୍ରତ୍ୟେକ ସ୍କୁଲ ପାଇଁ ୨୫କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏହି ବିଦ୍ୟାଳୟର ଗୋଟିଏ ସଫଳ ବିଦ୍ୟାଳୟରେ ପରିଣତ ହେବା ସହ ଏହି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ଓରାମ କହିଥିଲେ। ଉତ୍ସବରେ ସମ୍ମାନୀତ ଅତିଥି ଭାବେ କନେ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ କହିଲେ ଯେ ଏହି କେନ୍ଦ୍ରୀୟ ବିିଦ୍ୟାଳୟଟି ଦେଶର ଏକ ‘କ’ଶ୍ରେଣୀ ଭୁକ୍ତ ବିଦ୍ୟାଳୟ। ଏହି ବିଦୟାଳୟର ଆବଶ୍ୟକ ବେଳେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସେ ଶଙ୍କଳ୍ପ ବଦ୍ଧ ବୋଲି ପ୍ରକାଶ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଯୁଗ୍ମ କମିଶନର ଡଃ ସଚୀକାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ପି.ସି.ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାପାଳ ରଘୁଜୀ ଏବଂ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଉଭୟ ଅନୁପସ୍ଥିତ ଥିବାର ଦେଖାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ରିଜନର ଉପ କମିଶନର ଏ.ଭି.ଏଲ.ଜଗନ୍ନାଥ ରାଓ, ସହକାରୀ କମିଶନର ଡଃ ଦୁଶାସନ ଓଝା ପ୍ରମୁଖ ଉପସ୍ଥିତ ଥିଲେ। ଦୁହୁରିଆଠାରୁ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ପ୍ରାୟ ତିନିଶହ ବିଜେପି କର୍ମୀ ଏକ ବିଶାଳ ମଟର ସାଇକେଲ ରାଲିରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ।

Leave a Reply

Your email address will not be published. Required fields are marked *