କେନ୍ଦ୍ରୀୟ ଚଳଚିତ୍ର ପ୍ରମାଣନ ବୋର୍ଡର ନୂତନ ଆଂଚଳିକ ଅଧିକାରୀ ଦାୟିତ୍ୱ ନେଲେ ଗୋପାଳ ମହାପାତ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଗୋପାଳ କୃଷ୍ଣ ମହାପାତ୍ର, କଟକସ୍ଥିତ କେନ୍ଦ୍ରୀୟ ଚଳଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଓଡିଶା ଆଂଚଳିକ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ବିଭାଗରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଗତ ୩୦ ବର୍ଷ ଧରି ଶ୍ରୀ ମହାପାତ୍ର ଭାରତୀୟ ସୂଚନା ସେବାର ଅଧିକାରୀ ଭାବେ ବିଭିନ୍ନ କେନ୍ଦ୍ରୀୟ ଗଣମାଧ୍ୟମ ଯଥା – ପତ୍ର ସୂଚନା କାର୍ଯ୍ୟାଳୟ, କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ, ଯୋଜନା ମାଗାଜିନ, ଦୂରଦର୍ଶନ ସମାଚାର ଆଦି ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୧୯୯୧ ମସିହାରେ କଟକ ବକ୍ସିବଜାରସ୍ଥିତ ଚଳଚିତ୍ର ଭବନରେ ପ୍ରତିଷ୍ଠିତ ସିବିଏଫସି କାର୍ଯ୍ୟାଳୟ ଓଡିଶାରେ ଚଳଚିତ୍ର ପ୍ରମାଣନ ପାଇଁ କାର୍ଯ୍ୟ କରିଆସୁଛି। ସମସ୍ତ ପ୍ରକାର ଚଳଚିତ୍ର, ପ୍ରାମାଣିକ ଚଳଚିତ୍ର, କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଲାଗି ମନୋନିତ ଚଳଚିତ୍ର, ବିଜ୍ଞାପନଧର୍ମୀ ଚଳଚିତ୍ରଗୁଡିକୁ ଉପଦେଷ୍ଟାମଣ୍ଡଳୀ ଦ୍ୱାରା ପରୀକ୍ଷା କରି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସଂସ୍ଥା ପ୍ରମାଣନପତ୍ର ପ୍ରଦାନ କରିଆସୁଛି। ୧୯୯୧ ପୂର୍ବରୁ ଓଡିଆ ଚଳଚିତ୍ର ଲାଗି ପ୍ରମାଣନପତ୍ର ଲାଗି ପ୍ରଯୋଜକମାନେ କଲିକତା ଯିବାକୁ ପଡୁଥିଲା। ବର୍ତମାନ କଟକ କାର୍ଯ୍ୟାଳୟ ଦ୍ୱାରା କେବଳ ଓଡିଆ ନୁହେଁ ଭୋଜପୁରୀ, ତେଲୁଗୁ, ବେଙ୍ଗଲି ଡବିଂଗ ଚଳଚିତ୍ରକୁ ପ୍ରମାଣନପତ୍ର ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *