ଓଡ଼ିଶା

କେନ୍ଦ୍ରାପଡା ପୁସ୍ତକମେଳା ୪ଜଣଙ୍କୁ କେନ୍ଦ୍ରାପଡା ଗୈାରବ ସମ୍ମାନ ପ୍ରଦାନ

କେନ୍ଦ୍ରାପଡା ୧୨/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟସ୍ତରୀୟ ସପ୍ତଦଶ କେନ୍ଦ୍ରାପଡା ପୁସ୍ତକମେଳାର ଷଷ୍ଠ ସଂନ୍ଧ୍ୟାରେ ୪ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କେନ୍ଦ୍ରାପଡା ଜିଲ୍ଲା ଗୈାରବ ସମ୍ମାନ ପ୍ରଦାନ କରାଯାଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଏହି ସମ୍ବର୍ନ୍ଧନା ସଭା ସଭାପତି ଡଃ. ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ସାଂସଦ ବୈଷ୍ଣବ ଚରଣ ପରିଡା ମୁଖ୍ୟ ଅତିଥିଭାବେ, ପୂର୍ବତଟ ରେଳ ବିଭାଗର ସୂଚନା ଅଧିକାରୀ ନିରାକାର ଦାସ ମୁଖ୍ୟବକ୍ତା ଭାବେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ “ଓଡିଆ ସାହିତ୍ୟର ଅତୀତ ଓ ବର୍ତ୍ତମାନ” ଶୀର୍ଷକ ଆଲୋଚନା ଚକ୍ରରେ ସାହିତ୍ୟରେ ମାଟି, ପାଣି, ପବନ ଓ ଜୀବନର କଥା ପ୍ରକଟିତ ହେବା ସମୟ ଆସିଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ କୁଶଳତା ପ୍ରତିପାଦନ କରିଥିବା ଓ ଆନ୍ତର୍ଜାତୀକ ସ୍ତରରେ ଉଦୟ ଇଣ୍ଡିଆ ପତ୍ରିକାକୁ ଲୋକପ୍ରିୟ କରାଇ ପାରିଥିବା ଏହାର ସଂପାଦକ ଦୀପକ କୁମାର ରଥ, ବିଜ୍ଞାନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରି ଛାତ୍ର ବତ୍ସଳ ଅଧ୍ୟାପକ ଭାବେ ଆଦର୍ଶ ପାଲଟିଥିବା ଡଃ. ସେକ୍ ସମସୁର, ସ୍ୱାସ୍ଥ୍ୟସେବାରେ ପାରଦର୍ଶୀତା ଲାଭ କରିଥିବା ଡାଃ. ସ୍ନେହଲତା କାନୁନଗୋ ଓ ସାହିତ୍ୟ ଏକାଡେମୀ ପୁରଷ୍କୃତ ସାହିତ୍ୟିକ ଅନିଲ ଚନ୍ଦ୍ର ଦାସଙ୍କୁ “କେନ୍ଦ୍ରାପଡା ଗୈାରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଗାୟକ ଭୂଷଣ ଗୋପବଂଧୁ ନାଥଙ୍କ ରଚିତ କବିତା ସଂକଳନ “କବିତା କୁସୁମାଞ୍ଜଳି”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ଶୁଭ୍ରାଶୁଂ ଦାସ ସୂଚନା ପ୍ରଦାନ କରିଥିଲେ। ଶୈଳଜା ଶଙ୍କର ସାମଲ, କାକୁଲି ମଲ୍ଲିକ ଓ ନିରୁପମା ଦାସଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ନୃସିଂହ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ସପ୍ତଦଶ ପୁସ୍ତକମେଳା ୨୦୧୮ ନିମନ୍ତେ ସାହିତ୍ୟ ସଂଗୀତ ଓ ସମାଜସେବା କ୍ଷେତ୍ର ପାଇଁ ପୁସ୍ତକମେଳା ପୁରସ୍କାର ଘୋଷଣା କରାଯାଇଛି। ବିଶେଷକରି କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଯୁବ ପ୍ରତିଭାମାନଙ୍କୁ ପୁସ୍ତକମେଳା ଆୟୋଜନ କମିଟି ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଘୋଷଣା କରାଯାଇଛି। ପ୍ରତ୍ୟେକଙ୍କୁ ଉପାୟନ ମାନପତ୍ର ଓ ପୁସ୍ତକମେଳା ଟ୍ରଫି ଉଦ୍ୟାପନୀ ଉତ୍ସବରେ ପ୍ରଦାନ କରାଯିବ। ଡେରାବିଶ ବ୍ଲକ ଅଢଙ୍ଗା ମଲ୍ଲିକେଶ୍ୱରପୁର ଗ୍ରାମରେ ଜନ୍ମିତ ଗାଳ୍ପିକ ଡଃ. ଯଶୋବନ୍ତ ସାମଲ, ଉଚ୍ଚକୋଟିର ସଂଗୀତ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ କାଇପଡା ଗ୍ରାମ ଜନ୍ମିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶରତ କୁମାର ନାୟକ ଓ ସମାଜସେବା କ୍ଷେତ୍ରରେ ବରିଷ୍ଟ ଅବଦାନ ପାଇଁ ରାଜକନିକା ବ୍ଲକ ଦେଉଳୀ ଗ୍ରାମରେ ଜନ୍ମିତ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଜୟ କୁମାର ବେହୁରାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯିବ। ଗାଳ୍ପିକ ଡଃ. ସାମଲ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ସଂଗୀତଜ୍ଞ ଶ୍ରୀ ନାୟକ ଜଣେ ଉଚ୍ଚ କୋଟିର କଳାକାର, କଣ୍ଠଶିଳ୍ପୀ ଓ ସ୍ୱରସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଛନ୍ତି। ସେହିପରି ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ବେହୁରା ରାଜକନିକାରେ ଶିଷ୍ୟ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭଳି ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ନିମନ୍ତେ ତାଲିମ ପ୍ରଦାନ କରୁଛନ୍ତି। ନୁଆପିଢି ପାଇଁ ଏହି ବ୍ୟକ୍ତିତ୍ୱମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ହୃଦୟଙ୍ଗମ କରି ପୁସ୍ତକମେଳା ଆୟୋଜକ କେଏମ୍ ପକ୍ଷରୁ ଚୟନ କରାଯାଇଥିବା ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତରାୟଙ୍କ ଠାରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top