କେନ୍ଦ୍ରାପଡା ଜିଲ୍ଲା ଉପକୂଳ ନିୟନ୍ତ୍ରଣ ଅଂଚଳ ନକସା ଦୃଢୀକରଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି

କେନ୍ଦ୍ରାପଡା ୧୩/୬(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ଜିଲ୍ଲା ଉପକୂଳ ନିୟନ୍ତ୍ରଣ ଅଂଚଳ ନକସା ଦୃଢୀକରଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଜନଶୁଣାଣିରେ ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ.ଏ.ସି.ଏଫ.ଜି.ଆନନ୍ଦ କୁମାର, ମହାକାଳପଡା ରେଞ୍ଜ ଅଧିକାରୀ ବିଜୟ କୁମାର ପରିଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ମହାନ୍ତି, ଡେପୁଟୀ କଲେକ୍ଟର(ରାଜସ୍ୱ)ସୋନମ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଉପକୂଳ ନିୟନ୍ତ୍ରଣ ଯୋନ ଅନ୍ତର୍ଗତ ପରିବେଶଗତ ଆଇନ, ସାମୁଦ୍ରିକ ଜୈବ ବିବିଧତା, ସମୁଦ୍ର ଭୂବିଜ୍ଞାନ, ପରିବେଶଗତ ଅର୍ଥନୀତି, ସାମାଜିକ ଅର୍ଥନୀତି, ଦୂରସଂବେଦି, ଉପକୂଳ ଯାନ୍ତ୍ରିକ, ସହର ଯୋଜନା ଏବଂ ମତ୍ସ୍ୟପାଳନ ସହ ସଂପୃକ୍ତ ଅଂଚଳର ନକସା ଦୃଢୀକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପକୂଳ ନିୟନ୍ତ୍ରଣ ଅଂଚଳରେ(ସେ.ଆର.ଜେଡ.) ଉଚ୍ଚ ତରଙ୍ଗରେଖା ଠାରୁ ସମୁଦ୍ର ଆଡକୁ ୫ଶହ ମିଟର ଭୂଭାଗକୁ ଏଥିରେ ସାମିଲ କରାଯାଇଛି। ଉଚ୍ଚ ତରଙ୍ଗ ବା ଜୁଆରରେଖା ଠାରୁ ଜୁଆର ଦ୍ୱାରା ପ୍ରଭାବିତ ହେଉଥିବା ନିକଟବର୍ତ୍ତି ଜଳାଶୟ ଏବଂ ଏଚ.ଟି.ଏଲ.ସୀମା ଠାରୁ ଏକଶହ ମିଟର ପର୍ଯ୍ୟନ୍ତ ଜୁଆର ପ୍ରଭାବିତ ଜଳାଶୟର ପ୍ରସ୍ଥ ଯେଉଁଟି କମ ହେବ ସେହି ଭୂଭାଗରେ ସି.ଆର.ଜେଡ.ଲାଗୁ ହୋଇଥାଏ। ଯେଉଁ ନଦୀ ଗୁଡିକ ସମୁଦ୍ରରେ ପଡିଛି ତାର ସମୁଦ୍ର ଜୁଆର ଯେଉଁ ପର୍ଯ୍ୟନ୍ତ ମାଡିବ ତାହା କୋଷ୍ଟାଲ ଜୋନ ଭାବେ ପରିଗଣିତ ହେବ। କୋଷ୍ଟାଲ ଜୋନ ଅଂଚଳରେ ଶିଳ୍ପାୟନ କରାଯାଇପାରିବ ନାହିଁ। ସରକାରଙ୍କ ତରଫରୁ ଚିହ୍ନଟ କରାଯାଇଥିବା ଲୁଣାପାଣି ମାଡୁଥିବା ଅଂଚଳରେ କୈାଣସି ଅଭିଯୋଗ ଥିଲେ ସେ ସମ୍ପର୍କରେ ଜନସାଧାରଣ ସେମାନଙ୍କ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ। ପ୍ରସ୍ତୁତ କରାଯାଇଥିବା ନକସା ଆବଶ୍ୟକ ସ୍ଥଳେ ପରିବର୍ତ୍ତନ ହୋଇପାରିବ ବୋଲି ଜିଲ୍ଲାପାଳ ବୈଠକରେ ସଭ୍ୟମାନଙ୍କୁ ସ୍ପଷ୍ଟ କରିଥିଲେ। ନଦୀ ଗୁଡିକ ପାଖରୁ ଏକଶହ ମିଟର ପର୍ଯ୍ୟନ୍ତ ନିଜର ଜମି ଥିଲେ ମଧ୍ୟ ଚିଙ୍ଗୁଡି ଘେରୀ କରିବାକୁ ଅନୁମତି ମିଳିବ ନାହିଁ ବୋଲି ଚାଷୀମାନଙ୍କୁ ସଚେତନ କରାଯିବ। ସି.ଆର.ଜେଡ.ଅଂଚଳ ମତ୍ସ୍ୟଚାଷ ପାଇଁ କୈାଣସି ଅସୁବିଧା କରିବ ନାହିଁ କିନ୍ତୁ ଚିଙ୍ଗୁଡିଚାଷ ପାଇଁ ଚାଷୀମାନେ ସରକାରଙ୍କ ନିକଟରେ ପଞ୍ଜିକୃତ କରିବା ବାଧ୍ୟତାମୂଳକ। ସେହିପରି ଉପକୂଳ ନିୟନ୍ତ୍ରଣ ଅଂଚଳ ୧, ୨, ୩ ଓ ୪ର ସୀମାରେଖା ସମ୍ପର୍କରେ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ମତ୍ସ୍ୟ ଅଧିକାରୀ ମତ୍ସ୍ୟଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ପରିବେଶ ଓ ପରିସ୍ଥିତି ସମ୍ପର୍କରେ ସରକାରୀ ନିୟମ ଉପସ୍ଥାପନ କରିବା ସହିତ ମତ୍ସ୍ୟଚାଷ ଓ ଚୁଙ୍ଗୁଡିଚାଷ ଜନିତ ଲାଇସେନ୍ସ ପାଇଁ ଆବେଦନ ବିଷୟରେ ଆଲୋକପାତ କରିଥିଲେ। ମହାକାଳପଡା ଅଂଚଳର ଗୋବରୀ ନଦୀ, ମହାନଦୀ, ପଶ୍ଚିମ ମହାନଦୀ, ମାର୍ଶାଘାଇ ବ୍ଲକର ସି.ଆର.ଜେଡ.’୪’ ଅଂଚଳ ଜମ୍ବୁ, ଛପାଲି, ବଣପଦା, କଣ୍ଡରାପାଟିଆ, ଶାସନପଟା, କେନ୍ଦ୍ରାପଡା ବ୍ଲକର କିଆରବାଙ୍କ, ରାଜନଗର ବ୍ଲକର ସାତଭାୟା, ଗୁପ୍ତି, ମଗରକନ୍ଦା, ହୁକିଟେଲା, କଂସାରିଡିହା, ବ୍ରାହ୍ମଣୀ ନଦୀର ଗତିପଥ, ଡେରାବିଶ ବ୍ଲକର ଗୋବରୀ ନଦୀ, ଖରସ୍ରୋତା ନଦୀ ଗତିପଥ, ରାଜନଗର ବ୍ଲକର ନଳପାଇ, ଏକମାଣିଆ, ହଂସୁଆ ନଦୀ, ରାଜଗଡ, ମହିସାସୁର ଅଂଚଳ ପକ୍ଷୀ ପ୍ରଜନନ କେନ୍ଦ୍ର ଏବଂ ମହାକାଳପଡା, ରାଜନଗର ଓ ରାଜକନିକା ଅଂଚଳର ଜନସାଧାରଣଙ୍କ ମତାମତକୁ ସମ୍ମାନ ସୁରୁପ ବୈଠକରେ ଆଲୋଚନା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନର ଆଶଙ୍କା, ଝଡ, ବାତ୍ୟା, ସମୁଦ୍ର ପତନ ବୃଦ୍ଧି ଯୋଗୁ ସଙ୍କଟ ଦେଖାଦେଇଛି। ତେଣୁ ଉପକୂଳ ବର୍ତ୍ତୀ ଜନସାଧାରଣଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ଉପକୂଳ ଅଂଚଳର ପରିଚାଳନା ବ୍ୟବସ୍ଥା କରାଯାଇଛି। ଉପକୂଳ ପରିଚାଳନା ଜୋନରେ ସମୁଦ୍ର ଠାରୁ ଭୂଭାଗ ୫ଶହ ମିଟର, ଉପକୂଳ ନିୟନ୍ତ୍ରଣ ମଣ୍ଡଳ-୩ରେ ଉଚ୍ଚ ଜୁଆର ରେଖା ଠାରୁ ସ୍ଥଳଭାଗ ଆଡକୁ ୨ଶହ ମିଟର ଦୂରତା ପର୍ଯ୍ୟନ୍ତ ସ୍ଥାନକୁ ବିକାଶ ନିଷେଧାଂଚଳ ଭାବେ ଚିହ୍ନଟ କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କମିଟି ସଦସ୍ୟ, ମତ୍ସ୍ୟଜିବୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *