କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩ହଜାର ୧୧୬ ପରୀକ୍ଷାର୍ଥୀ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଶୁକ୍ରବାରଠାରୁ କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି ପରୀକ୍ଷା କେନ୍ଦ୍ରରେ ୨୩ହଜାର ୧୧୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଏଥିମଧ୍ୟରୁ ୨୧ହଜାର ୧୫ଜଣ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବାବେଳେ ଏକ୍ସ ରେଗୁଲାରରେ ୫୬୫ଜଣ, ମଧ୍ୟମାରେ ୪୧୮ଜଣ ମଦ୍ରାସାର ୨୩୭ଜଣ ଏବଂ ମୁକ୍ତ ସ୍କୁଲର ୮୮୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି । ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ରଖାଯିବା ପାଇଁ ଜିଲ୍ଲାରେ ୯ଟି ନୋଡାଲ ସେଣ୍ଟର କାର୍ଯ୍ୟ କରୁଛି । ସେଥିମଧ୍ୟରୁ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଟକୁରା ଉଚ୍ଚ ବିଦ୍ୟାଳୟ, ମହାକାଳପଡାର କେଆରବାଙ୍କ ପଂଚାୟତ ହାଇସ୍କୁଲ, ପଟ୍ଟାମୁଣ୍ଡାଇର କଷଣ ଅଣ୍ଟା ପଂଚାୟତ ହାଇସ୍କୁଲ, ଆଳିର ଆଳି ଉଚ୍ଚ ବିଦ୍ୟାଳୟ, ରାଜକନିକାର ଆର୍.ଏନ୍. ହାଇସ୍କୁଲ, ରାଜନଗର ରାଜନଗର ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରୁଛି । ପ୍ରତ୍ୟେକ ନୋଡାଲ ସେଣ୍ଟରରେ ଜଣେ ଭାରପ୍ରାପ୍ତ ନୋଡାଲ ଅଧିକାରୀ ଓ ଜଣେ ଭାରପ୍ରାପ୍ତ ଉପନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନୋଡାଲ ସେଣ୍ଟର ଗୁଡିକରୁ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଁଚିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୯ଟି ବ୍ଲକ ସମେତ ଦୁଇଟି ପୈାରାଞ୍ଚଳର ୧୦୪ଟି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ରାଜକନିକା ବ୍ଲକରେ ୧୧ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ଆଳି ବ୍ଲକର ୧୨ଟି, ରାଜନଗର ବ୍ଲକର ୧୪ଟି, ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି, ମହାକାଳପଡା ବ୍ଲକର ୧୦ଟି, ମାର୍ଶାଘାଇ ବ୍ଲକର ୮ଟି, ଗରଦପୁର ବ୍ଲକର ୧୧ଟି, ଡେରାବିଶ ବ୍ଲକର ୧୨ଟି, କେନ୍ଦ୍ରାପଡା ବ୍ଲକ ଓ ପୈାରାଚଂଳର ୧୩ଟି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିଭଳି ରାଜନଗର ବ୍ଲକର ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକର ଗୋଟିଏ, ମାର୍ଶାଘାଇ ବ୍ଲକର ଗୋଟିଏ ଓ କେନ୍ଦ୍ରାପଡା ପୈାରାଞ୍ଚଳର ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଦ୍ୱତୀୟ ସିଟିଙ୍ଗରେ ମଧ୍ୟମା ଓ ମଦ୍ରାସା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଜିଲ୍ଲାର ୧୦୪ଟି ପରୀକ୍ଷାକେନ୍ଦ୍ର ମଧ୍ୟରୁ ୧୭ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ପ୍ରଶ୍ନପତ୍ର ଓ ଉତରଖାତା ରଖାଯାଉଥିବା ୯ଟି ନୋଡାଲ ସେଣ୍ଟର ପାଇଁ ୧/୪ ଏପିଆର ପୋଲିସ ଫୋର୍ସ ମୃତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ର ଗୁଡିକ ପାଇଁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଦୁଇଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସେଣ୍ଟ୍ରାଲ ସ୍କ୍ୱାର୍ଡର ତିନୋଟି ଟିମ୍ କେନ୍ଦ୍ରାପଡା ଜିଲ୍ଲାର ମାଟ୍ରିକ ପରୀକ୍ଷା କେନ୍ଦ୍ର ଗୁଡିକ ଅଚାନକ ପରିଦର୍ଶର୍ନ କରିବେ ବୋଲି ବୋର୍ଡର୍ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସିସିଟିଭି କିମ୍ବା ଭିଡିଓ ରେକଡିଂ କରାଯିବାର ସରକାରୀ ବ୍ୟବସ୍ଥା କରାଯାଇନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *