କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ପକ୍ଷରୁ ଓଏଏସ ଅଧିକାରୀ ସୁମନ୍ତ କୁମାର ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ୧୩/୩(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ଆଜି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ସୁମନ୍ତ କୁମାର ସାମନ୍ତରାୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ପ୍ରତିଷ୍ଠାତା ସଭାପତି ତଥା ସମବାୟବିତ ପ୍ରମୋଦ କୁମାର ସାହୁ ସୋସାଇଟି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଶ୍ରୀ ସାମନ୍ତରାୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ୫ହଜାର ଟଙ୍କା ପ୍ରୋତ୍ସାହନରାଶି ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ସୋସାଇଟିର ସଭାପତିଙ୍କ ସମେତ ସଂପାଦକ ପ୍ରହଲ୍ଲାଦ ସାହୁ, ଅତିରିକ୍ତ ସଂପାଦକ ଅରବିନ୍ଦ ସାହୁ, ସାଧାରଣ ପରିଚାଳକ ମନୋଜ ସାହୁ, ବୀମା ପରାମର୍ଶଦାତା କମଳାକାନ୍ତ ସୁଆର ଓ ନିର୍ଦ୍ଦେଶକ ସୁଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମ ପଂଚାୟତର ମଶାକଣି ଗ୍ରାମର ବାସୀନ୍ଦା ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ ସୁରଥ ଚନ୍ଦ୍ର ସାମନ୍ତରାୟଙ୍କ ପୁତ୍ର ସୁମନ୍ତ ନଳଦିଆ ଶାସନସ୍ଥିତ ଗ୍ରାମେଶ୍ୱର ବିଦ୍ୟାପୀଠରୁ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣର୍ ହୋଇ ପାରାଦୀପ କଲେଜରେ +୨ ବିଜ୍ଞାନ ପରୀକ୍ଷାରେ ଟପ୍ପର ହୋଇଥିଲେ। ଏହାପରେ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରୁ ବିଟେକର ବ୍ରାଞ୍ଚ ଟପ୍ପର ହୋଇଥିଲେ ଏବଂ କୋଲକତାରୁ ଏମବିଏରେ କୃତୀତ୍ୱର ସହିତ ଉର୍ତ୍ତୀର୍ଣ୍ଣ ହୋଇ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରି କରୁଥିବାବେଳେ ୨୦୧୫ ମସିହାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ସଦ୍ୟ ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ଶ୍ରୀ ସାମନ୍ତରାୟ ମେରିଟ ତାଲିକାର ୭୩ତମ ସ୍ଥାନରେ ରହି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଛନ୍ତି। ଜିଲ୍ଲା ପାଇଁ ଗୈାରବ ସୃଷ୍ଟି କରିଥିବାରୁ ତାଙ୍କୁ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରେଡିଟ କୋ-ଅପରେଟିଭ ସୋସାଇଟି ଜିଲ୍ଲାର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସମେତ ଜିଲ୍ଲାର ଗୈାରବ ବୃଦ୍ଧି କରୁଥିବା ମେଧାବୀ ଛାତ୍ରଛାତ୍ରୀ ଓ ସଫଳ ବ୍ୟକ୍ତତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରି ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି।

Leave a Reply

Your email address will not be published. Required fields are marked *