ଓଡ଼ିଶା

କେନ୍ଦ୍ରାପଡା କଲେଜ ଜମି ଜବର ଦଖଲ ମାମଲା, ସଂଯୋଗିକରଣ ରାସ୍ତା ଖୋଳିଦେଲେ ଛାତ୍ର

କେନ୍ଦ୍ରାପଡା -୨୫/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଇନ ଭାବେ ଜବର ଦଖଲ କରି ସେହି ଜମି ଉପରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଘଟଣାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଜି ଗଭୀର ଅସନ୍ତୋଷ ସୃଷ୍ଟି ହେବା ସହ ତୀବ୍ର ଉତେଜନା ପ୍ରକାଶ ପାଇଛି। ଏହି କଲେଜର ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ଅତୀତରେ କଲେଜ କତୃପକ୍ଷ ଓ କଲେଜ ଛାତ୍ରସଂସଦ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏହି ସମସ୍ୟାର କୈାଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଜିବାରୁ ସେହି ଜବରଦଖଲ ଜମିରେ କୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶକୁ ଅବମାନନା କରି ଗୃହ ନିର୍ମାଣ କରାଯାଉଥିବାରୁ ଆଜି କଲେଜର ଛାତ୍ରସଂସଦ କର୍ମକର୍ତ୍ତା ଏବଂ ଶତାଧିକ ଛାତ୍ରମାନେ ସେହି ଜମିକୁ ସଂଯୋଗ କରୁଥିବା ରାସ୍ତାକୁ ମେସିନ ସହାୟତାରେ ଖୋଳି ଦେଇଥିବା ଦେଖାଯାଇଛି। ଦୀର୍ଘଦିନ ହେବ କଲେଜ ଜମି ଜବର ଦଖଲ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଲେ ବୋଲି କଲେଜ ଛାତ୍ର ସଂସଦ ସଭାପତି ଚିତ୍ତରଞ୍ଜନ ଦାସ କହିଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସହରର ମହିପାଳ ଗ୍ରାମର ପାଣୁ ଘଡାଇ ନାମକ ବ୍ୟକ୍ତି ନିସନ୍ତାନ ଥାଇ ମୃତ୍ୟୁବରଣ କରିବା ପରେ କଜଳା ମୈାଜାରେ ଥିବା ତାଙ୍କର ପ୍ରାୟ ଦୁଇଏକରଜମି ସରକାରୀ ଖାତାକୁ ଆସିଥିଲା। ସେହିଜମି ଦୀର୍ଘଦିନ ହେବ କେନ୍ଦ୍ରାପଡା କଲେଜ ଦଖଲରେଥିବା ସତ୍ୱେ ସେହି ପାଣୁ ଘଡାଇଙ୍କ ଉତ୍ତରାଧିକାରୀ ବୋଲି ଦାବିକରି ଜନୈକ ବେଙ୍ଗ ଜେନା ଏବଂ ଅନ୍ୟଜଣେ ମହିଳା ବାହାରି କୋର୍ଟରେ ମାମଲା ଦାୟର କରିଥିଲେ। କିନ୍ତୁ କୋର୍ଟରେ ଏହି ମାମଲାର ଫଇସଲା ହେବା ପୂର୍ବରୁ ପାଣୁଙ୍କ ଉତ୍ତରାଧିକାରୀ ବୋଲି ଦାବି କରୁଥିବା ମହିଳା ଜଣକ ବେଙ୍ଗଙ୍କୁ ପାଣୁଙ୍କ ଉତ୍ତରାଧିକାରୀ ବୋଲି ଗ୍ରହଣ କରିନେଇ ସେହି ମାମଲାରୁ ଓହରି ଗଲେ। ଏହାପରେ ବେଙ୍ଗଙ୍କ ମୃତ୍ୟୁପରେ ତାଙ୍କ ପୁଅ ବସନ୍ତ ଓ ରବିନ୍ଦ୍ର ମିଥ୍ୟା ଉତରାଧିକାରୀ ପ୍ରମାଣପତ୍ର ସହାୟତାରେ ଓ ତଦନାନ୍ତୀନ କେନ୍ଦ୍ରାପଡା ତହସିଲଦାର ଏବଂ ଭାରପ୍ରାପ୍ତ ସବରେଜିଷ୍ଟାର ଅର୍ଜ୍ଜୁନି ଚରଣ ସାହୁଙ୍କ ସହାୟତାରେ ସେହି ଜମିର ଗୋଟିଏ ପରେ ଗୋଟିଏ ପ୍ଲଟ ବିକ୍ରୀ କରିବାରେ ଲାଗିଲେ। ଅବଶ୍ୟ ତହସିଲଦାରଙ୍କ ଏଭଳି ବେଆଇନ ଜମିବିକ୍ରୀ ଓ ଦାଖଲଖାରଜ ମାମଲା ଜରିଆରେ କ୍ରେତାଙ୍କ ନାମରେ ରେକର୍ଡ କରିବା କାର୍ଯ୍ୟରେ ସହଯୋଗ କରିଥିବା ବଦଳରେ ତହସିଲଦାର ଶ୍ରୀ ସାହୁଙ୍କ ପତ୍ନୀ, ଝିଅ ଓ ସମ୍ପର୍କୀୟଙ୍କ ନାମରେ ସେହି ଜମିରୁ ପ୍ରାୟ ୫୦ଡିସିମିଲ ଜମିକୁ ବିକ୍ରୟ କବଲା କରିବାକୁ ପଡିଥିଲା ବସନ୍ତଙ୍କୁ। ଏହି ଘଟଣାକୁ ନେଇ ସେତେବେଳେ କଲେଜ ଛାତ୍ରସଂସଦ ପକ୍ଷରୁ ରାସ୍ତାରୋକ ଭଳି ଘଟଣା ଘଟିଥିଲା। ଅବଶ୍ୟ ସଂପୃକ୍ତ ତହସିଲଦାର ଏକ ଭିଜିଲାନ୍ସ ମାମଲାରେ ଜଡିତ ହୋଇ ଜେଲ ଯିବାଭଳି ଘଟଣା ଘଟିଥିଲା। ପରେ ପରେ ଏସପର୍କରେ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ଏହି ବେଆଇନ ଜମି ଖର୍ଦ୍ଦି ବିକ୍ରୀ ସମ୍ପର୍କିୟ ମାମଲାରେ କୈାଣସି ଦୃଷ୍ଟାନ୍ତମୁଳକ ପଦକ୍ଷେପ ଗ୍ରହଣ ନକରିବାରୁ କ୍ରମେ ସେହି ବେଆଇନ ଜମିକୁ ସଂପୃକ୍ତ ବ୍ୟକ୍ତିମାନେ ପୁନର୍ବାର ବିକ୍ରୀ କରିବା ଆରମ୍ଭ କରିଦେଲେ। ଯେଉଁଥି ପାଇଁ ଆଜି କଲେଜ ପରିସରରେ ଥିବା ସରକାରୀ ଓ କଲେଜ ଜମିସବୁ ଜବରଦଖଲ ହେବାରେ ଲାଗିଛି। ଯାହାକୁ ବିରୋଧ କରି କଲେଜର ଛାତ୍ରଛାତ୍ରୀମାନେ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ଦେଖାଦେଇଛି। ଘଟଣା ସ୍ଥଳରେ ଛାତ୍ର ସଂସଦର ସଭାପତିଙ୍କ ସହିତ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ସାଧାରଣ ସମ୍ପାଦକ ଅବିନାଶ ଦାସ, କ୍ରୀଡା ସମ୍ପାଦକ ବିବେକାନନ୍ଦ ସାମଲ, ବିରଂଚି ନାରାୟଣ ବାରିକ, ବାଦଲ କୁମାର ମଲ୍ଲିକ, ଆତ୍ମ ପ୍ରକାଶ ଦାସ, ବ୍ରଜେନ୍ଦୁ ମିଶ୍ର, ସୁଧାଂଶୁ ନାୟକ, ସାଗର ସୁନ୍ଦର ରାୟ, ବରଦା ପ୍ରଶନ୍ନ ମହାନ୍ତି, ସୈାମ୍ୟରଞ୍ଜନ ଜେନା, ଜଳଧର ସାହୁ, ପ୍ରାକ୍ତନ ଛାତ୍ର ସଂସଦ ସଭାପତି ପ୍ରଶନ୍ନଜିତ କୁଣ୍ଡଙ୍କ ନେତୃତ୍ୱରେ ଶତାଧିକଛାତ୍ର ଉପସ୍ଥିତ ଥିଲେ। ଘଟଣା ସ୍ଥଳରେ ଉତେଜନା ଯୋଗୁଁ ଟାଉନ ଥାନା ଅଧିକାରୀଙ୍କ ସମେତଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। କଲେଜର ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହେବା ସହ ପୁଣି ରାଜରାସ୍ତାକୁ ଓହ୍ଲାଇବାର ସମ୍ଭାାବନାକୁ ଏଡାଇ ଦିଆଯାଇ ନପାରେ। ତେଣୁ ଜିଲ୍ଲା ପ୍ରଶାସନ ଏକ୍ଷେତ୍ରରେ ବେଳହୁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top