ଓଡ଼ିଶା

କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ

କେନ୍ଦ୍ରାପଡା ୨୭/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ନିଲମ୍ବିତ ହେବା ପରେ ଶୁକ୍ରବାର ଅପରାହ୍ନରେ ଗରାପୁରସ୍ଥିତ ଗୋବରୀ ନଦୀକୂଳର ଅସ୍ଥାୟି ହେଲିପ୍ୟାଡରେ ତାଙ୍କ ହେଲିକେପ୍ଟର ଯୋଗେ ପହଁଚି ଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଥିଲା । ସେଠାରୁ ସାଂସଦ ଶ୍ରୀ ପଣ୍ଡା ଏକ ମଟରସାଇକେଲ ଶୋଭାଯାତ୍ରାରେ ତିନିମୁହାଁଣିସ୍ଥିତ ଶ୍ରୀରାମ ମନ୍ଦିରରେ ପହଁଚିବା ପରେ ତାଙ୍କୁ ସେଠାରେ କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଜ୍ଞାନରଞ୍ଜନ ମହାନ୍ତି,ବିଶ୍ୱଜିତ ଦାସ ପ୍ରମୁଖ ଫୁଲହାରଦେଇ ସ୍ୱାଗତ କରିଥିଲେ । ସେଠାରୁ ଶ୍ରୀ ପଣ୍ଡା ପ୍ରାୟ ୭୦ଟି ମଟର ସାଇକେଲର ଏକ ଶୋଭାଯାତ୍ରାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନକରି ଆଶ୍ରୀର୍ବାଦ ଭିକ୍ଷା କରିଥିଲେ । ସାଂସଦ ଶ୍ରୀ ପଣ୍ଡାଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି,ପ୍ରାକ୍ତନ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ସଲିମ ଖାନ,ଡଃ କଲ୍ପନା ମଲ୍ଲିକ,ଧୂମାତର ପ୍ରାକ୍ତନ ସରପଂଚ ନରହରି ପାଣି ବାରୋ ପଂଚାୟତର ପ୍ରାକ୍ତନ ସରପଂଚ ମହନି ଚରଣ ଆଚାର୍ଯ୍ୟ,ନିକିରାଇ ପଂଚାୟତର ପ୍ରାକ୍ତନ ସରପଂଚ ସରୋଜକାନ୍ତ ପଣ୍ଡା,ସେକ ଚନ୍ଦନ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସହର ରାସ୍ତାରେ ବିଭିନ୍ନ ସ୍ଥାନରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ନୂଆ ବସଷ୍ଟାଣ୍ଡରେ କାକଟମଙ୍ଗଳା କ୍ଲବର ସଭାପତି ବାବାଜୀ ବେହେରା ଫୁଲହାର ଦେଇ ସ୍ୱାଗତ କରିଥିଲେ । ସାଂସଦ ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ ଯେ ସେ ଷଡଯନ୍ତ୍ରକାରିଙ୍କ ଚକ୍ରାନ୍ତର ଶିକାର ହୋଇଛନ୍ତି । ତାଙ୍କର ଏଥିରେ କିଛି ଦୋଷ ନାହିଁ । ସେ ପ୍ରଥମେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ପରେ ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଯାହା ନିଷ୍ପତି ନେବେ । ଗରାପୁରଠାରୁ ଇଛାପୁର ପର୍ଯ୍ୟନ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା ଓ କେନ୍ଦ୍ରାପଡା ଉପ ଆରକ୍ଷୀ ଅଧିକ୍ଷକ ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରାୟ ୫ଶହ ସମର୍ଥକ ସାଂସଦ ଶ୍ରୀ ପଣ୍ଡାଙ୍କ ସହିତ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top