ଓଡ଼ିଶା

କେନ୍ଦ୍ରାପଡାରେ ବନ୍ଦର ଆଂଶିକ ପ୍ରଭାବ

କେନ୍ଦ୍ରାପଡା ୨୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କୁନ୍ଦୁଲି ଦୁଷ୍କର୍ମ ପିଡିତାଙ୍କ ଆତ୍ମହତ୍ୟାର ନିଆଁ ସାରା ରାଜ୍ୟରେ ଜଳିବାରେ ଲାଗିଛି। ଅନ୍ଧାରିମୁଲକର ଗଣପାଶବିକତା ଓ ଅତ୍ୟାଚାରର ଶିକାର ହେବାପରେ ପ୍ରଶାସନର ନିର୍ଯ୍ୟାତନାର କଷଟିରେ ଏକଶହ ଚାରିଦିନର ସଙ୍ଘର୍ଷ ଏବଂ ବ୍ୟବସ୍ଥାର ଚକ୍ରବ୍ୟୁହରେ ପେଶି ହୋଇ ଶାସନ ସମ୍ବେଦନଶୂନ୍ୟତାର ଶିକାର ରେ କୁନ୍ଦୁଲି ପିଡିତା ଆତ୍ମଦହନକୁ ସହ୍ୟ ନକରିପାରି ଜୀବନ ହାରିବା ସାରା ରାଜ୍ୟରେ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି କରିଛି। କୁନ୍ଦୁଲି ନିଆଁ ସାରା ରାଜ୍ୟରେ ଜଳୁଥିବା ବେଳେ ପୋଲିସ ପ୍ରଶାସନର ଉଦାସୀନତା ରାଜନୈତିକ ଛକାପଞ୍ଝା ଭିତରେ କୁନ୍ଦୁଲି ପିଡିତା ନୟାୟ ନପାଇ ଶେଷରେ ଆତ୍ମହତ୍ୟା କରିବା ଘଟଣା ସମାଜ ଓ ଶାସନ ପ୍ରତି ଚରମ କଳଙ୍କ ସୃଷ୍ଟି କରିଛି। ଏହି କୁନ୍ଦୁଲି ପିଡିତାର ଆତ୍ମହତ୍ୟା ପ୍ରତିବାଦରେ ଆଜି ଉଭୟ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। କଂଗ୍ରେସ ଦଳ ପକ୍ଷରୁ ଦୁହୁରିଆ ଓଭରବ୍ରିଜ ତଳେ ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ବିଶ୍ୱାଳ, ଜିଲ୍ଲା ପଛୁଆବର୍ଗ ସେଲର ଅଧ୍ୟକ୍ଷ ଫକିର ଚରଣ ଖଟୁଆ, ଚକ୍ରୋଡା ସରପଂଚ ବସନ୍ତ କୁମାର ରାଉତ, ମୀର ମୁର୍ଷିଦ ପ୍ରମୁଖ ରାସ୍ତା ବନ୍ଦ କରି ରାସ୍ତାରେ ବସିରହିଥିବା ବେଳେ ସେହି ପୋଲର ଅନ୍ୟପଟରେ ବିଜେପିର ବିଷ୍ଣୁ ଦାସ, ଉତ୍କଳ ପରିଡା, ଭୂବନମୋହନ ଜେନା, ସୁନାକର ବେହେରା, ଗଗନବିହାରି ସାହୁ, ନେହେରୁ ସାହୁ, ଦୁର୍ଯେ୍ୟାଧନ ସାହୁ ମନୋଜ ଦା.ଉପିନ ରାଉତ, ସୁଧିର ପରିଡା, ଦିଲ୍ଲିପ ଦାସ, କରୁଣାକର ସାହୁ, ବିକ୍ରମକେଶରି ରାଉତରାୟ, ମାଧବ ମଲ୍ଲିକ, ଲଲାଟ କେଶରୀ ସାମଲ, ଉଲ୍ଲାସ ନାୟକ, ଦେବାଶିଷ ପତି, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଦାସ, ଭୂବନ ସିଂ, ଅମୃତ ମହାନ୍ତି ପ୍ରମୁଖ ରାସ୍ତାରେ ବସିରହି ରାସ୍ତାକୁ ବନ୍ଦ କରିଦେଇଥିଲେ ଓ ଗୋପଛକରେ ମଧ୍ୟ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ସେହିପରି ୫ନମ୍ବର (କ) ଜାତୀୟ ରାଜପଥକୁ ଦୁହୁରିଆ ଠାରେ ଜିଲ୍ଲା ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀ, ପଦାରବିନ୍ଦ ମହାନ୍ତିଙ୍କ ସମେତ ଶତାଧିକ ବିଜେପିକର୍ମୀ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଅଟକି ରହିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ସଞ୍ଜୟ ରାଉତ, କମଳାକାନ୍ତ ବେହେରା ପ୍ରମୁଖ ବସିରହି କାର୍ଯ୍ୟାଳୟ ଭିତରକୁ ଯିବା ପାଇଁଥିବା ରାସ୍ତାକୁ ବନ୍ଦ କରିଦେଇଥିଲେ। ସେହିପରି ତିନିମୁହାଁଣି ଛକରେ ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ରାସ୍ତା ବନ୍ଦ କରାଯାଇଥିଲା। ବିଜେପି ପକ୍ଷରୁ ଦୁହୁରିଆରେ ପଥରୋଧ କରାଯିବା ସହିତ ସେଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରାଯାଇଥିଲା। ଶେଷରେ ଗୋପଛକସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଶୋଭାଯାତ୍ରା ପହଁଚିଥିଲା। କେନ୍ଦ୍ରାପଡା ସହରର ସରକାରୀ କାର୍ଯ୍ୟାଳୟ ଗୁଡିକ ଭିତରପଟୁ ତାଲା ପକାଇ କାମକରୁଥିବା ବେଳେ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା। କିନ୍ତୁ ଦୋକାନ ବଜାର ସବୁ ଖୋଲା ରହିଥିବା ଦେଖାଯାଇଥିଲା। ଅବଶ୍ୟ ସାଧାରଣ ଜନତାଙ୍କ ଚଳପ୍ରଚଳ ଖୁବ ନଗଣ୍ୟ ଥିଲା। ତେଣୁ ବନ୍ଦର ପ୍ରଭାବ ଆଂଶିକ ରହିଥିବା ଦେଖାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top