କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢାଉ ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବ୍ୟାପକ ଦେଶୀ-ବିଦେଶୀ ମଦ ଜବତ୍, ୧୧ ଗିରଫ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଚଢାଉ କରାଯାଇ ଭଦ୍ରକ ସହରର କୁଆଁସସ୍ଥିତ ସୁଇପର କଲୋନୀ ଛକରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ସହ ଜଣେ ଯୁବକକୁ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅବକାରୀ କମିଶନର ପ୍ରଶାନ୍ତ କୁମାର ସେନାପତିଙ୍କ ଗୁଇନ୍ଦା ସୂତ୍ରରୁ ଆଧାର କରି ଡେପୁଟି କମିଶନର ମୃଣାଳକାନ୍ତି ଦାସଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଅଧିକାରୀ ଅମରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ କୁଆଁସ ସୁଇପର କଲୋନୀ ଛକରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ବଂଇଶୀ ମୁଖୀଙ୍କ ପୁତ୍ର ସନ୍ତୋଷ ଠାରୁ ୨୦ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ସେହିଭଳି କାଳୀପୂଜାକୁ ଆଖି ଆଗରେ ରଖି ଏହି ଜିଲାର ଭଣ୍ଡାରିପୋଖରୀ, ଚାନ୍ଦବାଲି, ଭଦ୍ରକ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ପୁରୁଣାବଜାର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ ଜଣଙ୍କୁ ଗିରଫ କରାଯିବା ସହ ଦୁଇଟି ମୋଟର ସାଇକେଲ୍, ୩୮୦ ଲିଟର ଦେଶୀ ରନ୍ଧାମଦ, ୬୪ ବୋତଲ ଆସ୍କାଫଟି, ୧୩୨ ବୋତଲ ବିଦେଶୀ ମଦ, ୫୪ ବୋତଲ ବିୟର ଜବତ କରାଯାଇଛି। ଏହି ଚଢାଉରେ ଏସ୍ଆଇ ଗାଲୁରାମ ସୋରେନ୍, ଏଏସ୍ଆଇ ନିରଂଜନ ବେହେରା, କନେଷ୍ଟବଳ କିଶୋର ରାଉତ, ଚନ୍ଦ୍ରଭାନୁ ଦାସ, ପୂର୍ଣ୍ଣଜିତ୍ ମହାପାତ୍ର, ଅର୍ଚ୍ଚନା ନାୟକ ଓ ରାଜେଶ କିଶାନ ପ୍ରମୁଖ ସାମିଲ ଥିଲେ। ଗିରଫ ହୋଇଥିବା ସନ୍ତୋଷ ଦୀର୍ଘଦିନ ଧରି ଏ ବ୍ୟବସାୟ ଚଳାଇ ଆସୁଥିବା ବିଷୟ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସିପେକ୍ଟର ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାରେ ସନ୍ତୋଷକୁ ଆଜି ନାରକୋଟିକ୍ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି। ତେବେ ଭଦ୍ରକରେ ବ୍ରାଉନସୁଗାର ସମେତ ବିଭିନ୍ନ ପ୍ରକାରର ଚୋରା ଓ ଉତ୍କଟ ନିଶା କାରବାର ବୃଦ୍ଧି ପାଇଚାଲିଥିବାବେଳେ, ଜିଲ୍ଲା ଅବକାରୀ ବିଭାଗ ଏହାର କୌଣସି ଟେର ପାଇ ପାରୁନାହିଁ। ଫଳରେ ଏସମସ୍ତ ଚୋରା ବେପାରୀଙ୍କ ସହିତ ଅବକାରୀ ବିଭାଗର ଭିତିରି ସମ୍ପର୍କ ଥିବା ସହରରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *