ଓଡ଼ିଶା

କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏ ସରକାର କ୍ରମାଗତ ଭାବରେ ରାଷ୍ଟ୍ରୀୟ ସ୍ତରର ମର୍ଯ୍ୟାଦାସଂପନ୍ନ ସଂସ୍ଥା ଓ ଅନୁଷ୍ଠାନଗୁଡିକର ଅବମୂଲ୍ୟାୟନ କରିଚାଲିଛନ୍ତି – ବିଜୟ ନାୟକ

ଭୁବନେଶ୍ୱର, ୪/୭/୨୦୧୮(ଓଡ଼ିଆ ପୁଅ): କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏ ସରକାର କ୍ରମାଗତ ଭାବରେ ରାଷ୍ଟ୍ରୀୟ ସ୍ତରର ମର୍ଯ୍ୟାଦାସଂପନ୍ନ ସଂସ୍ଥା ଓ ଅନୁଷ୍ଠାନଗୁଡିକର ଅବମୂଲ୍ୟାୟନ କରିଚାଲିଛନ୍ତି। ବିଜେପି ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ଅନେକ ସଂସ୍ଥାର ନାମ, ଢାଞ୍ଚା ଓ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ କରିଚାଲିଛନ୍ତି। ଏଥିରେ ଏବେ ସାମିଲ ହୋଇଛି ଜାତୀୟ ଅନୁସୂଚିତ ଜନଜାତି କମିଶନ। ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ରାଜନୀତିକରଣ, ଜନଜାତିଙ୍କ ସ୍ୱାର୍ଥର ପରିପନ୍ଥୀ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

ପୋଲାଭରମ୍‌ପ୍ରକଳ୍ପକୁ ନେଇ ବିଜେଡି ସରକାରଙ୍କ ଆଭିମୁଖ୍ୟ ପ୍ରଥମରୁ ସ୍ପଷ୍ଟ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ତା’ପରେ କେନ୍ଦ୍ରରେ ଏନ୍‌ଡିଏ ସରକାର ଏହି ପ୍ରକଳ୍ପକୁ ଆହୁରି ଆଗକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ଓଡ଼ିଶାର ଦାବି ପ୍ରତି ଅଣଦେଖା କରି, ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କ ସମସ୍ୟାକୁ ବେଖାତିର କରି କେନ୍ଦ୍ର ସରକାର ପୋଲାଭରମ୍‌ପ୍ରକଳ୍ପ କାମକୁ ଆଗେଇ ନେବାରେ ସବୁ ପ୍ରକାର ସହଯୋଗ କରିଚାଲିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜନଜାତିଙ୍କ ସଂପର୍କରେ ଶେଷ ରିପୋର୍ଟ ଏବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ରାଷ୍ଟ୍ରପତିଙ୍କୁ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ଏଥିରେ ଓଡ଼ିଶାର ମାଲକାନଗିରିରେ ରହୁଥିବା ଓ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅନୁସୂଚିତ ବିସ୍ଥାପିତଙ୍କ ସଂପର୍କରେ କିଛି ନାହିଁ। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବ। ମୋଟ ଉପରେ ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ। ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ଓଡ଼ିଶାର ଜନଜାତିଙ୍କ ଜୀବନ ଏବଂ ଜୀବିକା ଉପରେ ଏହାର ପ୍ରଭୂତ ପ୍ରତିକୂଳ ପ୍ରଭାବ ପଡ଼ିବ। କିନ୍ତୁ ଆୟୋଗ ତାଙ୍କ ରିପୋର୍ଟରେ ରାଷ୍ଟ୍ରପତିଙ୍କୁ ଏହା ଜଣାଇନାହାନ୍ତି। ଓଡ଼ିଶାର ଜନଜାତିଙ୍କ ସ୍ୱାର୍ଥର ସୁରକ୍ଷା ଯେପରି ଜାତୀୟ ଆୟୋଗର କାର୍ଯ୍ୟ ନୁହେଁ। ଏଭଳି ଆଚରଣ ଭବିଷ୍ୟତରେ ଭୟାନକ ପରିସ୍ଥିତି ସୃଷ୍ଟି କରିବ। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କେନ୍ଦ୍ର ବିଜେପି ସରକାରଙ୍କ ହାତବାରିସୀ ସାଜି ଓଡ଼ିଶାର ଜନଜାତିଙ୍କ ବିରୋଧରେ ଏଭଳି ବ୍ୟବହାର କରିଛନ୍ତି। ଏହା ମାଧ୍ୟମରେ ଆୟୋଗ ନିଜର ମାନ ଓ ମର୍ଯ୍ୟାଦା ହରାଇଛନ୍ତି। ଆୟୋଗଙ୍କ ପକ୍ଷପାତିତା ଓ ପାତର ଅନ୍ତର ଭାବ ନିହାତି ନିନ୍ଦନୀୟ। ଆଗାମୀ ଦିନରେ ପୋଲାଭରମ୍‌ପ୍ରକଳ୍ପରେ କ୍ଷତିଗ୍ରସ୍ତ ଜନଜାତିର ଲୋକମାନଙ୍କ କ୍ରୋଧର ପରିଣାମ ଉଭୟ କେନ୍ଦ୍ର ସରକାର ଓ ଆୟୋଗ ଭୋଗିବେ ବୋଲି ଶ୍ରୀ ନାୟକ ଚେତାଇ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top