କେନ୍ଦ୍ରରେ ମୋଦି ସରକାରର ୪ବର୍ଷ ପୂର୍ତ୍ତି ଅବସରରେ ହିସାବ ଦେବାକୁ ୨୬ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ: ବିଜେପି

– କଟକ ବାଲିଯାତ୍ରା ପଡିଆରେ ବିଶାଳ ଜନସମାବେଶ କରି ଓଡିଶାବାସୀଙ୍କୁ ସମ୍ବୋଧନ କରିବେ
– ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଦେଇଥିବା ମିଶନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ

ଭୁବନେଶ୍ୱର, ତା.୧୯/୦୫ (ଓଡ଼ିଆ ପୁଅ) : କେନ୍ଦ୍ରରେ ମୋଦୀ ସରକାର ୪ ବର୍ଷ ପୂରଣ ହେବା ଅବସରରେ ଆସନ୍ତା ୨୬ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କଟକ ବାଲିଯାତ୍ରା ପଡିଆରେ ବିଶାଳ ଜନସମାବେଶ କରି ଓଡିଶାବାସୀଙ୍କୁ ସମ୍ବୋଧନ କରିବେ। ଏଥି ସହ ମୋଦି ସରକାରର ପ୍ରଥମ ପାଳିର ୪ ବର୍ଷ ପୂର୍ତି ଅବସରରେ ଦେଶର ହୋଇଥିବା ବିକାଶର ଚିଠା ଓ ହିସାବ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିବେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।

ପୂର୍ବ ଭାରତର ରାଜ୍ୟମାନଙ୍କ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡିଶାର ଜନତାଙ୍କୁ ହୃଦୟରେ ରଖିବା ସହ ସର୍ବଦା ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ସେଥିପାଇଁ ଅନ୍ୟ ରାଜ୍ୟ ତୁଳନାରେ ପ୍ରଧାନମନ୍ତ୍ରୀ ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଶ୍ରୀ ମୋଦୀ ପୂର୍ବରୁ ରାଉରକେଲା, ବରଗଡ, ପାରାଦୀପ ଏବଂ ବାଲେଶ୍ୱର ଗସ୍ତ କରିସାରିଛନ୍ତି।

ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଦେବାକୁ ମନସ୍ଥ କରିସାରିଲେଣି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଦେଇଥିବା ମିଶନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *