କେନ୍ଦୁଝର

କେନ୍ଦୁଝର : ୨୯ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା : ପ୍ରତି ବ୍ୟକ୍ତି ଜାଗ୍ରତ ଓ ସଚେତନ ହୁଅନ୍ତୁ : ଜିଲ୍ଲାପାଳ

କେନ୍ଦୁଝର ୨୫-୦୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସଡକ ଦୁର୍ଘଟଣା ଏଡାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଜାଗ୍ରତ ଓ ସଚେତନ ହେବାକୁ ଜିଲ୍ଲାପାଳ ଆଶିଷ ଠାକରେ ଆହ୍ୱାନ ଜଣାଇଛନ୍ତି। ୨୪ ତାରିଖ ମଙ୍ଗଳବାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରି ଜିଲ୍ଲାପାଳ ଏହି ଆହ୍ୱାନ ଜଣାଇଛନ୍ତି। ସମବେତ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ସମାଜର ବିଭିନ୍ନବର୍ଗର ଜନସାଧାରଣଙ୍କୁ ଉଦ୍ ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ ସଡକ ଦୁର୍ଘଟଣା ବର୍ତମାନ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି। ସଡକ ଦୁର୍ଘଟଣା ଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି। ଅନେକ କ୍ଷେତ୍ରରେ ଉଦାସୀନତା, ବେପରୁଆ ମନୋଭାବ ଏବଂ ଟ୍ରାଫିକ ନିୟମ ଭାଙ୍ଗି ଗାଡି ଚଳାଇବା ହିଁ ଦୁର୍ଘଟଣାର କାରଣ ହେଉଛି। ଏହାଦ୍ୱାରା ଅନେକ ପରିବାର ବେସାହାରା ହେଉଛନ୍ତି, ଦୁଃଖଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏଣୁ ପ୍ରତ୍ୟେକ ବ୍ୟକ୍ତି ସତର୍କତା ଅବଲମ୍ବନ ପୂର୍ବକ ଯାନ ଚଳାଇବାକୁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ନିବେଦନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଚାରର ବଳିଷ୍ଠ ମାଧ୍ୟମ ଭାବେ ବର୍ଣ୍ଣନା କରି ସେମାନେ ସଚେତନତା ଅଭିଯାନର ସମର୍ଥ ଧାରକ ହେବାକୁ କହିଥିଲେ। ଏତଦ୍ ବ୍ୟତୀତ ୨ ଚକିଆ ଯାନ ଚଳାଇବା ବେଳେ ସର୍ବଦା ହେଲମେଟ୍ ବ୍ୟବହାର, ୪ ଚକିଆ ଯାନରେ ଯାତାୟତବେଳେ ସର୍ବଦା ସିଟ୍ ବେଲଟ୍ ବ୍ୟବହାର କରିବା, ଅଧିକ ବେଗରେ ଗାଡି ନଚଳାଇବା ଇତ୍ୟାଦି ନିୟମ ଉପରେ ଜିଲ୍ଲାପାଳ ଆଲୋକପାତ କରି ଟ୍ରାଫିକ୍ ନିୟମ ଉଲ୍ଲଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ସଡକ ସୁରକ୍ଷା କମିଟି ଆନୁକୂଲ୍ୟରେ ଚଳିତ ଅପ୍ରେଲ୍ ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ୨୯ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଥିଲେ। ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀହର୍ଷ ମିଶ୍ର, ଆଂଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ଏମ୍ .ଭି.ଆଇ. ଜେ.କେ. ଭୋଇ, ଗଣମାଧ୍ୟମରେ ପ୍ରତିନିଧି ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଶୁଭାରମ୍ଭ ସମାରୋହରେ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରି ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଶୁଭାରମ୍ଭ କରାଯାଇଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସଂପର୍କରେ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top