କେନ୍ଦୁଝର ରେ ଗଡ଼ିଲା ପରୀ ରଥ: ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଶିଶୁ ନିର୍ଯାତନା ରୋକିବା ପାଇଁ ବାଂଟିବ ସଚେତନତାର ବାର୍ତ୍ତା

କେନ୍ଦୁଝର ତା ୨୮.୫.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ଏବଂ ଶିଶୁ ନିର୍ଯାତନା ରୋକିବା ପାଇଁ କେନ୍ଦୁଝର ଜିଲ୍ଲାରେ ପରୀରଥ ପରିକ୍ରମା ଆରମ୍ଭ କରିଛି। ଏହି ଉପଲକ୍ଷେ ଜିଲ୍ଲା ପୋଲିସ୍ ଆନୁକୂଲ୍ୟରେ ଚଳିତ ମଇ ୨୮ ତାରିଖ ଦିନ କେନ୍ଦୁଝର ଷ୍ଟାଡିୟମ୍ଠାରେ ପରୀରଥ ପରିକ୍ରମାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଏହି ସମାରୋହରେ ଉଦବୋଧନ ଦେଇ ସମାଜର ପ୍ରତ୍ୟେକ ବ୍ୟକ୍ତି ନାବାଳିକା ଦୁଷ୍କର୍ମ ଏବଂ ଶିଶୁ ନିର୍ଯାତନା ରୋକିବା ପାଇଁ ସକରାତ୍ମକ ମନୋଭାବ ନେଇ ସାମାଜିକ ଦାୟିତ୍ୱବୋଧ ନିଭାଇବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ଭୂମିକା ନିଭାଇବାକୁ ଆହ୍ମାନ ଜଣାଇଥିଲେ। ଭାଷଣ ପ୍ରସଙ୍ଗରେ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା କହିଥିଲେ ଯେ, ସେ ଜୀବନତମାମ ନାରୀ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି। ନାବାଳିକା ତଥା ନାରୀମାନଙ୍କର ସୁରକ୍ଷା ପାଇଁ ଅନେକ ଆଇନକାନୁନ ଓ କୋଠର ଦଣ୍ଡ ବିଧାନ ବ୍ୟବସ୍ଥା ଥିଲେ ହେଁ ସେମାନଙ୍କ ପ୍ରତି ନିର୍ଯାତନା, ପାଶବିକ ଅତ୍ୟାଚାର ବଢିଚାଲିଛି ଯାହାକି ଘୋର ଲଜ୍ଜାଜନକ, ନିନ୍ଦନୀୟ। ଏଣୁ ଏପରି ଘୃଣ୍ୟ କାର୍ଯ୍ୟର ଅନ୍ତ ଘଟାଇବା ପାଇଁ ସମସ୍ତ ବ୍ୟକ୍ତି ଅଙ୍ଗୀକାର ହୋଇ କାର୍ଯ୍ୟ କଲେ ଏପରି ମହତ୍ୱ ଅଭିଯାନ ସଫଳ ହୋଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ ଉଦ୍୍ବୋଧନ ଦେଇ କହିଥିଲେ ଯେ, ନାବାଳିକା ଯୌନ ନିର୍ଯାତନା ଓ ଶିଶୁ ନିର୍ଯାତନା ସାମ୍ପ୍ରତିକ ପରିସ୍ଥିତିରେ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି। ଶିଶୁ କନ୍ୟା ଦୁଷ୍କର୍ମ ଏବଂ ଶିଶୁ ନିର୍ଯାତନା ମାମଲା ମଧ୍ୟରୁ ୯୩ ପ୍ରତିଶତ ନିଜ ପରିବାର, ପଡ଼ୋଶୀ ଏବଂ ସମ୍ପର୍କୀୟମାନଙ୍କ ଦ୍ୱାରା ହୋଇଥାଏ ଯାହା ଅମାନବୀୟ। ନାବାଳିକାମାନଙ୍କର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ଏହି ମହତ୍ୱପୂର୍ଣ୍ଣ ସଚେତନତା ଅଭିଯାନର ସଫଳତା ପାଇଁ ଗୋଷ୍ଠୀ ସଚେତନତା ଉପରେ ଗୁରୁତ୍ୱ ଆରୋପ କରି ପରିବାରରୁ ଏହି ସଚେତନତା ଅଭିଯାନ ଆରମ୍ଭ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ। ଏସ୍ପି ଜୟନାରାୟଣ ପଙ୍କଜ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ପରୀ ରଥ ପରିକ୍ରମାର ଉଦ୍ଦେଶ୍ୟ, ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଜିଲ୍ଲାରେ ନାବାଳିକା ଯୌନ ନିର୍ଯାତନା ଓ ଶିଶୁ ନିର୍ଯାତନା ରୋକିବା ପାଇଁ ଏହି ଅଭିଯାନକୁ ଏକ ଗଣ ଅଭିଯାନରେ ପରିଣତ କରିବା ପାଇଁ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିବା ସହ ସମାଜର ସବୁ ବର୍ଗର ଜନସାଧାରଣ ଅଙ୍ଗୀକାରବଦ୍ଧ ହୋଇ ସହଯୋଗ କରିବାକୁ ନିବେଦନ କରିଥିଲେ। ଏତଦ୍ବ୍ୟତୀତ କେନ୍ଦୁଝର ଜିଲ୍ଲାରେ ଆଗାମୀ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ “ପରୀ ପାଇଁ କଥାଟିଏ” ଶୀର୍ଷକ ଉପରେ ପରୀ ରଥ ପରିକ୍ରମା, ଲୋକକଳା/ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି, ପ୍ରଚାରପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ। ଏହାପରେ ପାଲା ଗାୟକ ଶ୍ରୀ ଲୋକନାଥ ସାହୁ ଓ ସାଥୀଙ୍କ ଦ୍ୱାରା ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ଅତିଥିମାନେ ପତାକା ହଲାଇ ପରୀ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ନୋଡାଲ ଅଧିକାରୀ ପି.କେ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ଘାଟନୀ ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ସୂଚରାରୂପେ ସମ୍ପାଦିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ ଉଦ୍ଘାଟନୀ ସମାରୋହର ସଂଯୋଜନା କରିଥିଲେ। ଏହି ସମାରୋହରେ ବିିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ/ସଙ୍ଗଠନର କର୍ମକର୍ତା, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଙ୍ଗଠନ, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତା ତଥା ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇଥିଲେ। ପ୍ରଥମ ଦିନରେ ରଥ ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ, ବାଂଶପାଳ ବ୍ଲକର ଶୁଆକାଟି, କାଂଜିପାଣି, ତେଲକୋଇ ଅଂଚଳ ପରିକ୍ରମା କରିବ। ମଇ ୨୯ ତାରିଖ ଦିନ ଝୁମ୍ପୁରା, ଜୁରୁଡ଼ି, ଯୋଡ଼ା ଅଂଚଳ, ମଇ ୩୦ ତାରିଖ ଦିନ ଭଦ୍ରାସାହି, ବଡ଼ବିଲ, ଲୋଇଡ଼ାପଦା, ବଲାଣୀ ଅଂଚଳ, ମଇ ୩୧ ତାରିଖ ଦିନ ଚମ୍ପୁଆ, ରିମୁଳି, ଉଖୁଣ୍ଡା, ତୁରୁମୁଙ୍ଗା ଅଂଚଳ, ଜୁନ୍ ୧ ତାରିଖ ଦିନ ପାଟଣା, ଭଗାମୁଣ୍ଡା, ପଣ୍ଡାପଡ଼ା ଅଂଚଳ, ଜୁନ୍ ୨ ତାରିଖ ଦିନ ଢେଙ୍କିକୋଟ, ଘଟଗାଁ, ପଦନା, ଜୁନ୍ ୩ ତାରିଖ ଦିନ ଘସିପୁରା, ଆନନ୍ଦପୁର ଏବଂ ଜୁନ ୪ ତାରିଖ ଦିନ ଛେନାପଦୀ, ହାଟଡ଼ିହି, ବଉଳା ଏବଂ ସୋସୋ ଅଂଚଳରେ ପରିକ୍ରମା କରି ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ଏବଂ ଶିଶୁ ନିର୍ଯାତନା ରୋକିବା ନେଇ ସଚେତନତା ସୃଷ୍ଟି କରିବ। “ପରୀ ରଥ” ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ କଳାକାରମାନଙ୍କ ଦ୍ୱାରା ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ।

Leave a Reply

Your email address will not be published. Required fields are marked *