ଓଡ଼ିଶା

କେନ୍ଦୁଝର: ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ“ପୋଷକ”ର ଶୁଭାରମ୍ଭ କଲେ ମନ୍ତ୍ରୀ

କେନ୍ଦୁଝର ୧-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିକର କରିବା ଉଦ୍ଦେଶ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ଆନୁକୂଲ୍ୟରେ ପୋଷକ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ କରିଛନ୍ତି ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଜିଲ୍ଲା ପ୍ରଶାସନ ଓ ଡି.ଏମ୍ .ଏଫ୍ .ର ମିଳିତ ଆନୁକୂଲ୍ୟରେ ଡି.ଏନ୍ . ହାଇସ୍କୁଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଉଦ୍ ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ପାତ୍ର ପ୍ରଚଳିତ ମଧ୍ୟାହ୍ନ ଭୋଜନକୁ ଅଧିକ ଋଚିପୂର୍ଣ୍ଣ ଓ ପୁଷ୍ଟିକର କରିବା ଉଦ୍ଦେଶ୍ୟରେ ଡି.ଏମ୍ .ଏଫ୍ . ସୌଜନ୍ୟରେ ପୋଷକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଖାଇବା ପାଇଁ ପ୍ରତ୍ୟହ ଅଣ୍ଡା ଯୋଗାଣ କରିବା ଏକ ଉଲ୍ଲେଖନୀୟ ଓ ଅଭିନନ୍ଦନୀୟ ପଦକ୍ଷେପ ବୋଲି କହିଥିଲେ। ଏହାଦ୍ୱାରା ପିଲାମାନେ ଅଧିକ ପୁଷ୍ଟିକର ଖାଦ୍ୟ ପାଇ ପାରିବେ, ଯାହାକି ସେମାନଙ୍କର ଶାରିରୀକ ଓ ମାନସିକ ବିକାଶରେ ସହାୟକ ହେବ। ଏହା ପିଲାଙ୍କୁ ପାଠପଢା ଦିଗରେ ଅଧିକ ମନ ନିବେଶ କରିବା ଦିଗରେ ସହାୟକ ହେବ। ସମଗ୍ର ଓଡିଶାରେ କେନ୍ଦୁଝର ଜିଲ୍ଲାରେ ଏହା ଏକ ଅଭିନବ ପଦକ୍ଷେପ ବୋଲି କହିବା ସହିତ ଏଥି ନିମନ୍ତେ ଜିଲ୍ଲାପାଳଙ୍କ ସକରାତ୍ମକ ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ। ପୋଷକ କାର୍ଯ୍ୟକ୍ରମ ପାଇଁ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀମାନେ ନିଜକୁ ଭାଗ୍ୟବାନ ମନେ କରି ଭଲ ପାଠ ପଢିବା ସହିତ କେନ୍ଦୁଝର ଜିଲ୍ଲା ଓ ରାଜ୍ୟର ସୁନାମବର୍ଦ୍ଧନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଜଣାଇଥିଲେ। ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ସହିତ ପାଠପଢା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ସହିତ ଭଲ ପାଠ ପଢି ଭଲ ମଣିଷ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ହୃଷିକେଶ ନାଏକ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର, ପିଡି ଡିଆରଡିଏ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୋଷକ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛ ବୋଲି କହିଥିଲେ। ଜିଲ୍ଲାପାଳ ଶ୍ରୀ ଠାକରେ ନିଜ ଅଭିଭାଷଣରେ କହିଥିଲେ ଯେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୌଜନ୍ୟରେ ପୋଷକ କାର୍ଯ୍ୟକାରୀ କରାଯାଇଛି। ପ୍ରଚଳିତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଦୁଇଦିନ ଯଥା – ବୁଧବାର ଓ ଶନିବାର ଅଣ୍ଡା ଖାଉଥିଲେ। ପୋଷକ ସାମିଲ୍ ହେବ ଫଳରେ ଛାତ୍ରଛାତ୍ରୀମାନେ ଆଉ ଚାରିଦିନ ଯଥା – ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ଅଣ୍ଡା ଖାଇବେ। ଏହାର ସୁପରିଚାଳନା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଶିକ୍ଷା ବିଭାଗୀୟ ଅଧିକାରୀ, କ୍ଷେତ୍ର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି, ମଧ୍ୟାହ୍ନ ଭୋଜନ ଯାଂଚ କମିଟି, ଏହି ବ୍ୟବସ୍ଥାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ। ଏତଦ୍ ବ୍ୟତୀତ ପରବର୍ତ୍ତୀ ପର୍ଯ୍ୟାୟରେ ପୋଷକ କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆ ପୋଷକ ଯୁକ୍ତ ଖାଦ୍ୟ ସାମଗ୍ରୀ ଓଡିଶା ମିଲେଟ୍ ମିଶନ ସହାୟତାରେ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବାର ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପିଲାମାନଙ୍କୁ ଦେଶର ଭବିଷ୍ୟତ ଭାବେ ଅବିହିତ କରି ପୋଷକଯୁକ୍ତ ଖାଦ୍ୟ ବିଦ୍ୟାର୍ଥୀମାନଙ୍କର ପୋଷକଜନିତ ସମସ୍ୟାକୁ ଦୂର କରିବା ସହିତ ଏକ ସୁସ୍ଥକର, ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ମୋ ସ୍କୁଲ୍ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆକ୍ସିସ୍ ବ୍ୟାଙ୍କ ସୌଜନ୍ୟରେ ମନ୍ତ୍ରୀ ଶ୍ରୀ ପାତ୍ର ଡି.ଏନ୍ . ହାଇସ୍କୁଲ୍ ପାଇଁ ଶହେଟି ଖାଇବା ଥାଳି ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top