କେନ୍ଦୁଝର: ବକ୍ସି ବାରିଗାଁ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

କେନ୍ଦୁଝର ୧୩.୬.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗରେ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବକ୍ସି ବାରିଗାଁ ଗ୍ରାମ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ) ହେମଲତା ମହାନ୍ତଙ୍କୁ କାର୍ଯ୍ୟରୁ ଜିଲ୍ଲାପାଳ ଆଶିଷ ଠାକରେ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କଠାରୁ ବିଭିନ୍ନ କିସ୍ତିରେ ପିଇଓ ହେମଲତା ମହାନ୍ତ ତାଙ୍କ ସ୍ୱାମୀ ଭରତ ଚନ୍ଦ୍ର ମହାନ୍ତଙ୍କ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ ଏବଂ ନିଜ ପଦବୀର ଅପବ୍ୟବହାର ସହିତ ଯେଉଁ ହିତାଧିକାରୀ ଟଙ୍କା ଦେଉ ନଥିଲେ ତାଙ୍କ ବିଲ୍ ପଇଠ କରିବାରେ ହଇରାଣ ହରକତ କରୁଥିବାର ସୂଚନା ପାଇ ଜିଲ୍ଲାପାଳ ଆଶିଷ ଠାକରେ ଏ ସମ୍ପର୍କରେ ତଦନ୍ତ କରିବାକୁ ହରିଚନ୍ଦନପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓ ହରିଚନ୍ଦନପୁର ମଧ୍ୟପୁର ଗ୍ରାମରେ ଏହି ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ବିଡିଓଙ୍କ ରିପୋର୍ଟ ଆଧାରରେ ଚଳିତ ଜୁନ୍ ୧୨ ତାରିଖରେ ଜିଲ୍ଲାପାଳ ପିଇଓ ହେମଲତା ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପିଡି ଡିଆର୍ଡିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ଗ୍ରାମୀଣ ଆବାସ ତଥା ଅନ୍ୟାନ୍ୟ ଯୋଜନାରେ ଯେଉଁମାନେ ଟଙ୍କା /ଉତ୍କୋଚ ମାଗୁଛନ୍ତି ଏ ସମ୍ପର୍କରେ ହିତାଧିକାରୀମାନେ ସିଧାସଳଖ ଜିଲ୍ଲାପାଳ, ପି.ଡି. ଡି.ଆର୍.ଡି.ଏଙ୍କୁ ଜଣାଇବାକୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *