କେନ୍ଦୁଝର ପର୍ଯ୍ୟଟନ ମାନଚିତ୍ରକୁ ଫେରି ପାରିଲାନି ଭୀମକୁଣ୍ଡ

ପାଟଣା, ତା୦୯/୧୦(ଓଡ଼ିଆ ପୁଅ/ଅଭିମନ୍ୟୁ)ପୂଣ୍ୟତୋୟା ବୈତରଣୀର ଭୀମକୁଣ୍ଡକୁ କେନ୍ଦୁଝର ଜିଲ୍ଲାର ବୋଲି ସମସ୍ତଙ୍କୁ ଜଣାଥିବାବେଳେ ୨୦୦୪ ବେଳକୁ ଏହା ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା। ଭୀମକୁଣ୍ଡ କେନ୍ଦୁଝର ଜିଲ୍ଲାର ହୋଇଥିବାବେଳେ ଏହା ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରକୁ ଚାଲିଯାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କୀଚକେଶ୍ୱରୀ ମନ୍ଦିର(ଖିଚିଂ) ତ୍ରୁଟିପୂର୍ଣ୍ଣ ଭାବରେ ମଧ୍ୟ କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲା। ଐତିହାସିକ ନଥିପତ୍ରର ତର୍ଜମା ନକରି ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରାଯାଇଥିବା ସେହି ସମୟରେ ସ୍ପଷ୍ଟ ହୋଇଥିବା ଜାଣି ରାଜ୍ୟ ପର୍ଯ୍ୟଟନ ବିଭାଗ ଖିଚିଂ ମନ୍ଦିରକୁ ପୁନଃ ମୟୁରଭଞ୍ଜ ପର୍ଯ୍ୟଟନ ମାନଚିତ୍ରରେ ରଖି ବିବାଦର ଅବସାନ ଘଟାଇଥିଲା। କିନ୍ତୁ ଭୀମକୁଣ୍ଡ କ୍ଷେତ୍ରରେ ତାହା ହେଲା ନାହିଁ। ବୈତରଣୀର ଭୀମକୁଣ୍ଡକୁ ମୟୁରଭଞ୍ଜ ସୀମା ଲାଗିଥିବାରୁ ଏକ୍ଷେତ୍ରରେ କେନ୍ଦୁଝରର ଦାବିକୁ ଉପେକ୍ଷା କରାଗଲା। ମୟୁରଭଞ୍ଜ ଗେଜେଟରେ ଭୀମକୁଣ୍ଡ ସଂପର୍କରେ ଉଲ୍ଲେଖ ଥିବାରୁ କେନ୍ଦୁଝରର ଦାବି ଉପେକ୍ଷିତ ହେଲା ବୋଲି ଜଣାପଡିଲା। ତେବେ ଭୀମକୁଣ୍ଡକୁ ଆକର୍ଷଣୀୟ କରିବାରେ ସେହି ଜିଲ୍ଲାର ସୀମାକୁ ଉନ୍ନତୀକରଣ କରିବାରେ ମୟୁରଭଞ୍ଜ ଜିଲାର ଅବଦାନକୁ ଅସ୍ୱୀକାର କରାଯାଇ ନ ପାରେ। କିନ୍ତୁ ଭୀମକୁଣ୍ଡ ମୁଖ୍ୟ ଗଣ୍ଡ ଯେ କେନ୍ଦୁଝର ଜିଲ୍ଲାର ଏହା ଅତ୍ୟନ୍ତ ସ୍ପଷ୍ଟ। ଗଣ୍ଡରେ କେହି ପ୍ରାଣ ହରାଇଥିଲେ ଘଟଗାଁ ଥାନା ଏହାର ତଦନ୍ତ କରୁଥିବା ଘଟଣା ଏହାର ଏକ ଛୋଟ ପ୍ରମାଣ ହୋଇଥିବାବେଳେ ପୁରୁଣା କେନ୍ଦୁଝର ଗେଜେଟରେ କେନ୍ଦୁଝର ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପଠାଇଥିବା ଭୀମକୁଣ୍ଡର ଫଟୋ ସ୍ଥାନ ପାଇଥିବା ଘଟଣାକୁ ଆଖି ଆଗରେ ରଖି ପୁନଃ ପାଟଣା ବ୍ଲକ ଅଞ୍ଚଳରେ ଭୀମକୁଣ୍ଡକୁ ନେଇ ଆନ୍ଦୋଳନ ପାଇଁ ବୁଦ୍ଧିଜୀବୀମାନେ ଏକାଠି ହେଉଥିବା ଜଣାପଡିଛି। ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ଗ୍ରାମରେ ଭୀମକୁଣ୍ଡ ଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ କେନ୍ଦୁଝର ପର୍ଯ୍ୟଟନ ମାନଚିତ୍ରରେ ଭୀମକୁଣ୍ଡକୁ ସ୍ଥାନ ଦେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *