କେନ୍ଦୁଝର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ କର୍ମଚାରୀଙ୍କ ଶପଥ ଗ୍ରହଣ

କେନ୍ଦୁଝର ୩୦/୧୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଚଳିତ ଅକ୍ଟୋବର ୩୦ ରୁ ନଭେମ୍ବର ୦୪ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଚିରାଚରିତ ପ୍ରଥାରେ ଦୁର୍ନୀତି ନିବାରଣ ସଂପର୍କିତ ଶପଥ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ଶପଥ ପାଠ କରାଇଥିଲେ। ଏହି ସମାରୋହରେ ବାର୍ତ୍ତା ଦେଇ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରଧାନ କହିଥିଲେ ଯେ ଦୁର୍ନୀତି ଏକ ସାମାଜିକ ବ୍ୟାଧି, ଯାହା ଦେଶର ପ୍ରଗତିରେ ପ୍ରତିବନ୍ଧକ ହୋଇଥାଏ। ସଂପ୍ରତି ଦୁର୍ନୀତି କ୍ୟାନ୍ ସର ଭଳି ସମାଜର ପ୍ରତିଟି କ୍ଷେତ୍ରରେ ବ୍ୟାପିଚାଲିଛି। ଦୁର୍ନୀତି ନିବାରଣ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏକ ଦୁର୍ନୀତି ମୁକ୍ତ ସମାଜ ଓ ଦେଶ ଗଠନରେ ସେମାନେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ। ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖି ସେମାନଙ୍କ ଅନୁଷ୍ଠାନର ଗୌରବ ବର୍ଦ୍ଧନ କରିବା ସହିତ ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ଯୋଗାଇଦେବାକୁ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ପ୍ରାରମ୍ଭରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ.ଏସ୍ .ଡି. ରେଭିନ୍ୟୁ ଦାମୋଦର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। ସବୁଠାରୁ କୌତୁହଳର ବିଷୟ ହେଉଛି ଯେ, ପ୍ରତ୍ୟେକ ବର୍ଷ ରୁଟିନ କାର୍ଯ୍ୟଭଳି ଯଦିଓ ଦୁର୍ନିତି ନିବାରଣ ଲାଗି ଶପଥ ପାଠ କରାଯାଇ ଆସୁଥିଲେ ମଧ୍ୟ ଏହାଦ୍ୱାରା କେତେ ପରିମାଣରେ ଦୁର୍ନିତି କମିଛି କିମ୍ବା ବଢିଛି ଅନୁଶୀଳନ କରିବା ଦିଗରେ କେବେ ହିଁ କେହି ଆଗ୍ରହ ପ୍ରକାଶ ପ୍ରକାଶ କରନ୍ତି ନାହିଁ। ଯେଉଁଥି ପାଇିଁ ଏହି ଦୁର୍ନିତି ନିବାରଣ ସଂପର୍କିତ ଅଭିଯାନ କେବଳ ଶପଥ ପାଠ ମଧ୍ୟରେ ସିମୀତ ରହିଯାଇଛି।

Leave a Reply

Your email address will not be published. Required fields are marked *