କେନ୍ଦୁଝର: ଡି.ଏମ୍ .ଏଫ୍ .ର ସପ୍ତମ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ଜିଲ୍ଲାପାଳଙ୍କ ତାଗିଦ

କେନ୍ଦୁଝର ୩୦.୦୬.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଡିଏମ୍ ଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ)ର ସପ୍ତମ ଟ୍ରଷ୍ଟ ବୋର୍ଡ ବୈଠକ ଚଳିତ ମାସ୍ ୨୭ ତାରିଖ ଗୁରୁବାରଦିନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ, ପିଡି ଡିଆର୍ ଡିଏ ନୃସିଂହ ଚରଣ ସ୍ୱାଇଁ, ଡିଏଫ୍ ଓ କେନ୍ଦୁଝର ସନ୍ତୋଷ ଯୋଶୀ, ଆନନ୍ଦପୁର ଡିଏଫ୍ ଓ ଅଜିତ ଶତପଥୀଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଦସ୍ୟ/ସଦସ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଡିଏମ୍ ଏଫ୍ ର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେବା ସହ ଡିଏମ୍ ଏଫ୍ ଅଧିନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଗତ ତା ୨୫/୧୧/୨୦୧୭ରିଖରେ ଅନୁଷ୍ଠିତ ହୋଇଥିବା ଡିଏମ୍ ଏଫ୍ ର ଷଷ୍ଠ ଟ୍ରଷ୍ଟ ବୋର୍ଡ ବୈଠକରେ ଅନୁମୋଦନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ଏହା ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା। ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଂଟର ଦ୍ୱାରା ସର୍ଭେ କରାଯାଇ ଚିହ୍ନଟ କରାଯାଇଥିବା ଖଣି ପ୍ରଭାବିତ ଅଂଚଳର ଗ୍ରାମମାନଙ୍କୁ ଅର୍ନ୍ତଭୁକ୍ତ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନୁମୋଦନ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ମନ୍ଥରତା ଦେଖା ଯାଉଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା। ଡିଏମ୍ ଏଫ୍ ଅର୍ଥରେ ହାତକୁ ନିଆଯାଉଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀଠାକରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ କରିଥିଲେ। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ନୟନ କିପରି ସଠିକ୍ ଭାବେ ସମ୍ପୂର୍ଣ୍ଣ ହୋଇପାରିବ ସେଥିପାଇଁ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ଅଧିକ କର୍ମଚାରୀ ନିୟୋଜିତ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଖଣି ପ୍ରଭାବିତ ଅଂଚଳରେ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଡିଏମ୍ ଏଫ୍ ଅର୍ଥରେ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ମଡେଲ ଏଷ୍ଟିମେଟ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା। ରାସ୍ତା କାର୍ଯ୍ୟ ନିମନ୍ତେ ଆବଶ୍ୟକ ସ୍ଥଳେ ବନ ବିଭାଗ ତରଫରୁ ଅନୁମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବନଖଣ୍ଡ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଡିଏମ୍ ଏଫ୍ ଅନୁଦାନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ଉପରେ ବୈଠକରେ ବିଶଦ ଭାବେ ସମୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *