କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଆଇନଗତ ବିବାଦ, ପୁଣି ଦାୟୀତ୍ୱ ନେଲେ ପୁରୁଣା କର୍ମକର୍ତ୍ତା

କେନ୍ଦୁଝର, ୧ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ସଂଖ୍ୟା ୭୪୨୫/୨୦୧୮(ଡବ୍ଲ୍ୟୁପିସି ନଂ ୮୭୩୧/୨୦୧୮) ମୁତାବକ କେନ୍ଦୁଝର ଜିଲ୍ଲା ପ୍ରଶାସନ ପୁଣି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ପୁରୁଣା କର୍ମକର୍ତ୍ତାଙ୍କୁ ଗୁରୁବାର ମଧ୍ୟାହ୍ନରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କେନ୍ଦୁଝର ସଦର ଉପଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା୨୬୧୪/ ୩୧.୦୫.୨୦୧୮ ଓ ସଂଖ୍ୟା ୨୬୧୨/୩୧.୦୫.୨୦୧୮ ଅନୁଯାୟୀ ମାଜିଷ୍ଟ୍ରେଟ ଡ୍ୟୁଟିରେ ସଦର ତହସିଲଦାର ଫିରୋଜ ଖାନ, ସହକାରୀ ଜିଲ୍ଲାପାଳ ରିଗାନ ଚନ୍ଦ୍ର ନାଏକ, ଅତିରିକ୍ତ ତହସିଲଦାର ମାନସ କୁମାର ଦଣ୍ଡପାଟ, ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ, ସହକାରୀ ଜିଲ୍ଲାପାଳ ସୁବୋଧ ଦାସ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ପୂର୍ବରୁ ସିଲ୍ କରାଯାଇଥିବା କୋଠରୀଗୁଡିକୁ ପୁଲିସ ଏବଂ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଖୋଲି ଦାୟୀତ୍ୱ ହସ୍ତାନ୍ତର କରିଥିଲେ। ଦାୟୀତ୍ୱ ହସ୍ତାନ୍ତର ସମୟରେ ସଂଘର ସଭାପତି ରାମଚନ୍ଦ୍ର ଭୂୟାଁ, ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ରାମଚନ୍ଦ୍ର ରାଉତ, ଯୁଗ୍ମ ସଂପାଦକ ପ୍ରଦୀପ କୁମାର ସାମନ୍ତ, କୋଷାଧ୍ୟକ୍ଷ ପ୍ରଭାତ କୁମାର ରାଉତଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେବ ଆଇନଗତ ଜାଲରେ ଛନ୍ଦି ହୋଇ ପଡିଥିବା କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ପୁରୁଣା କର୍ମକର୍ତ୍ତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଣି ଆଉଥରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦାୟୀତ୍ୱ ହସ୍ତାନ୍ତର କରିଛି। ବର୍ତ୍ତମାନର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗକୁ ନେଇ କିଛି ଅସନ୍ତୁଷ୍ଟ ଟ୍ରକ ମାଲିକ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ହସ୍ତକ୍ଷେପ କରି ମାନ୍ୟବର ହାଇକୋର୍ଟ କେନ୍ଦୁଝର ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଦର ଉପଜିଲ୍ଲାପାଳ ଉଭୟପକ୍ଷଙ୍କୁ ଡାକି ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଗଢିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଏଥିରେ ବର୍ତ୍ତମାନର କର୍ମକର୍ତ୍ତା ସହଯୋଗ ନକରିବାରୁ ପୁନର୍ବାର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ସହକାରୀ ଉପଜିଲ୍ଲାପାଳ ରିଗାନ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଏକ ଅନ୍ତରୀଣ କମିଟି ଗଠିତ ହୋଇ ଦାୟୀତ୍ୱ ହାତକୁ ନେଇଥିଲେ। ସଂଘର ଦୈନନ୍ଦିନ କାର୍ଯ୍ୟ ପ୍ରଶାସନିକ ଅଧିକାରୀମାନେ ବୁଝିବା ପରେ ଉପଦେଷ୍ଟାମାନଙ୍କୁ ଡାକି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ପୁରୁଣା କର୍ମକର୍ତ୍ତା ପୁନର୍ବାର ହାଇକୋର୍ଟର ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କ ଆଦେଶ ଉପରେ ରୋକ ଲଗାଇ ଦାୟୀତ୍ୱ ନେବାକୁ ସକ୍ଷମ ହୋଇଛନ୍ତି।

Leave a Reply

Your email address will not be published. Required fields are marked *