କେନ୍ଦୁଝର : ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ

କେନ୍ଦୁଝର, ତା ୦୭.୦୬.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସାମାଜିକ ଚେତନାର ବାର୍ତ୍ତାବହ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଏବଂ ଜିଲ୍ଲାପାଳ ଆଶିଷ ଠାକରେ ମତବ୍ୟକ୍ତ କରିଛନ୍ତି। ଚଳିତ ଜୁନ୍ ୭ ତାରିଖ ଦିନ ନଗରଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିମାନଙ୍କର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଏହି ମତବ୍ୟକ୍ତ କରି ସମାଜର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆଶାକର୍ମୀମାନେ ନିଜକୁ ଜଣେ ଜଣେ ସାମାଜିକ ଯୋଦ୍ଧା ଭାବି ସମାଜର ବହୁମୂଲ୍ୟ ସେବା କରିବାକୁ ଆହ୍ୱାନ ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଉଦବୋଧନ ଛଳରେ କହିଥିଲେ ଯେ ଆଶାକର୍ମୀମାନେ ଯଥାର୍ଥରେ ସମାଜକୁ ଆଶାର କିରଣ ପ୍ରଦାନ କରୁଛନ୍ତି। ଖରା, ବର୍ଷା, ଶୀତକାକର ସହି ଅନେକ କଷ୍ଟ ସ୍ୱୀକାର ପୂର୍ବକ ମାଆ ଓ ଶିଶୁଙ୍କର ଯେଉଁ ସେବା କରୁଛନ୍ତି ତାର ପଟାନ୍ତର ନାହିଁ। ମା’ସିନା ନିଜ ସନ୍ତାନ ପାଇଁ କଷ୍ଟ ସହିଥାଏ, କିନ୍ତୁ ଆଶାକର୍ମୀମାନେ ଅନେକ ସନ୍ତାନ ପାଇଁ ଯେଉଁ କଷ୍ଟସ୍ୱୀକାର କରୁଛନ୍ତି ସେଥିପାଇଁ ପ୍ରଶଂସା ଯଥେଷ୍ଟ ହେବ ନାହିଁ ବୋଲି କହିବା ସହିତ ଆଶାମାନେ ଅଧିକ କ୍ରିୟାଶୀଳ ହୋଇ ନିଜର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ। ଗାଁରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛତାର ସୁଧାର କ୍ଷେତ୍ରରେ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ ଉଦବୋଧନ ଦେଇ ସାଧାରଣ ଲୋକମାନଙ୍କ ପାଇଁ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିମାନେ ଆଶା ଭରଷାର ବତୀଘର ବୋଲି କହିବା ସହିତ ସେମାନଙ୍କର କାର୍ଯ୍ୟ ପରିସରକୁ ଅଧିକ ସଂପ୍ରସାରିତ କରି ଜନସାଧାରଣଙ୍କୁ ମହନୀୟ ସେବା ଯୋଗାଇଦେବାରେ ନିୟୋଜିତ ରଖିବାକୁ ଆହ୍ୱାନ ଜଣାଇଥିଲେ। ବିଭିନ୍ନ ଯୋଜନା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ସେମାନଙ୍କର ଉଦ୍ୟମ ପ୍ରଶଂସନୀୟ। ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ଏ.ଏନ୍.ଏମ୍., ସ୍ୱୟଂ ସହାୟକ ଗୋଷ୍ଠୀ, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସିମିତି ସମ୍ମିଳିତ ଭାବେ ଅପହଞ୍ଝ ଇଲାକାରେ ସେବା ଯୋଗାଇଦେଲେ ଲୋକମାନଙ୍କ ମୁହଁରେ ହସ ଫୁଟିବ। ଜିଲ୍ଲାରେ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର ଏବଂ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଉଚ୍ଚପ୍ରଶଂସା କରି ଆଗାମୀ ଦିନରେ ଏହାର ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ସଂକଳ୍ପ ନେବାକୁ ଜିଲ୍ଲାପାଳ ଶ୍ରୀ ଠାକରେ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ସ୍ୱପ୍ନେଶ୍ୱର ଗଡନାୟକ ନିଜ ବକ୍ତବ୍ୟରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ରୂପାୟନ କରିବାରେ ସେମାନଙ୍କର ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ। ଏଡିପିଏଚଓ(ଏଫ୍.ଡବ୍ଲ୍ୟୁ.) ଡାଃ ସୁଧାଂଶୁ ଶେଖର ବଳ, ଏଡିପିଏଚଓ (ଭିବିଡି) ଡାଃ ଦେବେନ ଦାସ, ଏଡିପିଏଚଓ(ଟି.ବି.) ଡାଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦୟାନିଧି ସାହୁ ପ୍ରମୁଖ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜନସଚେତନତା ସୃଷ୍ଟି ପାଇଁ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲିପ କୁମାର ଦୁବେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ସ୍ୱାଗତ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରିବା ସହ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଏହି ସମ୍ମିଳନୀରେ ଆଶାକର୍ମୀମାନେ ନିଜ ଅଭିଜ୍ଞତା ବାଂଟି ଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରିବାର ନମୁନା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସମାଜର ବହୁମୂଲ୍ୟ ସେବା କରିଥିବା ୩ ଜଣ ଆଦର୍ଶ ଆଶାକର୍ମୀ ଯଥା ହରିଚନ୍ଦନପୁର ବ୍ଲକ୍ର ରାଇଡିହା ଗ୍ରାମର ମିନତୀ ମହାନ୍ତ, ହାଟଡିହି ବ୍ଲକ୍ର ସଢା ଗ୍ରାମର ଲତାମଣୀ ପାତ୍ର ଏବଂ ଝୁମ୍ପୁରା ବ୍ଲକ୍ର ଅର୍ଶଳା ଗ୍ରାମର ରେବତୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି ଭାବେ କେନ୍ଦୁଝରଗଡ ପୌରପାଳିକା ଅର୍ନ୍ତଗତ ଆଟପୁର ମହିଳା ଆରୋଗ୍ୟ ସମିତି ଏବଂ ବଡବିଲ ପୌରପାଳିକା ଅର୍ନ୍ତଗତ ୱେବ୍ରିଜ୍ ମହିଳା ଆରୋଗ୍ୟ ସମିତିଙ୍କୁ ପୁରସ୍କୃତ କରାଯାଇଥିଲା। ଏତଦ୍ବ୍ୟତୀତ ୧୩ଟି ବ୍ଲକ୍ର ୧୩ ଗୋଟି ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତା, ବିଭିନ୍ନ ସି.ଏଚ୍.ସି.ର ମେଡିକାଲ୍ ଅଫିସର, ପି.ଏଚ୍.ଇ.ଓ., ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର, ବ୍ଳକ୍ ଆକାଉଂଟ୍ ମ୍ୟାନେଜର, ବି.ଡି.ଏମ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସେବା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଦର୍ଶନୀ ମଣ୍ଡପ ମାନ ଖୋଲାଯାଇଥିଲା।

Leave a Reply

Your email address will not be published. Required fields are marked *