କେନ୍ଦୁଝର: ଅପ୍ରେଲ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ: ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ

କେନ୍ଦୁଝର, ୨୨ା୪: (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଚଳିତ ଅପ୍ରେଲ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସଡକ ସୁରକ୍ଷା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ଜୟନାରାୟଣ ପଙ୍କଜ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସଂପର୍କରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ମିନି କନଫରେନ୍ସ ହଲଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଅପ୍ରେଲ ୨୩ ତାରିଖ ଦିନ ଜନ ଗହଳି ସ୍ଥାନ ଏବଂ ଦୂର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ, ୨୪ ତାରିଖ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ସଂଗଠନ, ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ। ଏତଦ୍ବ୍ୟତୀତ ଅପ୍ରେଲ ୨୪ ତାରିଖ ପୂର୍ବାହ୍ନ ୯ଘଟିକା ସମୟରେ ବ୍ଲକସ୍ତରରେ କନିଷ୍ଠବର୍ଗ(୪ର୍ଥରୁ ୭ମ ଶ୍ରେଣୀ) ଓ ବରିଷ୍ଠ(୮ମରୁ +୨) ବର୍ଗରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଅପ୍ରେଲ ୨୫ ତାରିଖ ପୂର୍ବାହ୍ନ ୧୦ଘଟିକାରେ ଡିଏନ୍ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ଲକସ୍ତରରେ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ, ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କୁ ସଙ୍ଗରେ ରଙ୍ଗ ଓ ତୁଳୀ ଆଣିବାକୁ ସୂଚନା ଦିଆଯାଇଛି। ସେହିପରି ଅପ୍ରେଲ ୨୬ ତାରିଖ ଦିନ ଗାଡି ଚାଳକ ସଂଘ ଓ ଗାଡି ମାଲିକ ସଂଘର କର୍ମକର୍ତାଙ୍କୁ ନେଇ ନଗରଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହେବ। ଅପ୍ରେଲ ୨୭ ତାରିଖରେ ବଡବିଲଠାରେ ମଧ୍ୟ ଗାଡିଚାଳକ ସଂଘ ଏବଂ ଗାଡି ମାଲିକ ସଂଘର କର୍ମକର୍ତାଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯିବ। ଅପ୍ରେଲ ୨୮ ତାରିଖରେ କେନ୍ଦୁଝର ସହରର ନୂଆ ବସଷ୍ଟାଣ୍ଡ ଓ କରଞ୍ଜିଆ ବସଷ୍ଟାଣ୍ଡଠାରେ ଗାଡି ଚାଳକମାନଙ୍କର ଆଖି ପରୀକ୍ଷା ଶିବିର ଅନୁଷ୍ଠିତ ହେବ ଏବଂ ଆର୍.ଟି.ଓ, ପୋଲିସ ଏବଂ ଅବକାରୀ ବିଭାଗର ଅଧିକାରୀ/କର୍ମଚାରୀଙ୍କ ଦ୍ୱାରା ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ ମିଳିତ ଚଢାଉ ଅଭିଯାନ ହେବ। ଅପ୍ରେଲ ୨୯ ତାରିଖରେ ବଡବିଲ ସହରରେ ମଧ୍ୟ ତଦନୁରୂପ କାର୍ଯ୍ୟକ୍ରମ ହେବ। ଅପ୍ରେଲ ୩୦ତାରିଖରେ ନଗରଭବନଠାରେ ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ସମୟରେ ସଡକ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲେ ହେଁ ଅନେକ କ୍ଷେତ୍ରରେ ଉଦାସୀନତା ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଦୂର୍ଘଟଣା ଘଟୁଛି। ଏଣୁ ଟ୍ରାଫିକ୍ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଭୟ ଜିଲ୍ଲାପାଳ ଏବଂ ଏସ୍ପି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *