କେନ୍ଦୁଝର: ଅଗଷ୍ଟ ୫ ତାରିଖର ବୃହତ୍ ଆଇନ ସେବା ଓ ସଚେତନତା ଶିବିରର ସଫଳତା ଉପରେ ଗୁରୁତ୍ୱ

କେନ୍ଦୁଝର ତା୧୨.୭୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ଆଗାମୀ ଅଗଷ୍ଟ ୫ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଏକ ବୃହତ୍ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହେବାଲାଗି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ସମନ୍ୱୟ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ବନାଲୀ ତ୍ରିପାଠୀ, ପି.ଡି ଡିଆର୍ଡିଏ ନୃସିଂହଚରଣ ସ୍ୱାଇଁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ସମ୍ବିତ କୁମାର ନାୟକ, କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଶୁ କଲ୍ୟାଣ କମିଟିର କର୍ମକର୍ତା, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରି କହିଥିଲେ ଯେ, ଏହାଦ୍ୱାରା ଜନସାଧାରଣ ଆଇନସେବା ସମ୍ପର୍କରେ ସଚେତନ ହେବା ସହ ହିତାଧିକାରୀମାନେ ଆଇନ ସେବାର ସୁଫଳ ଏବଂ ସରକାରଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାର ସୁଫଳ ପାଇପାରିବେ।

ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ବୃହତ୍ ଆଇନ ସେବା ଓ ସଚେତନତା ଶିବିର ଆୟୋଜନ କରାଯାଉଥିବା କହିଥିଲେ। ସମାଜର ବଂଚିତ, ଶୋଷିତ, ନିଷ୍ପେସିତ, ଗରିବ, ଅସହାୟ, ନିଃସହାୟ, ଶିଶୁୂ, ଭିନ୍ନକ୍ଷମ ଇତ୍ୟାଦି ବର୍ଗର ଲୋକଙ୍କୁ ଆଇନ ସେବା ଯୋଗାଇ ଦେବା ସହ ସେମାନଙ୍କୁ ତାଙ୍କର ଅଧିକାରୀ ସମ୍ପର୍କରେ ସଚେତନ କରାଇବା ପାଇଁ ନିରନ୍ତର ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କରୁଛି ଏବଂ ସଚେତନତା ଶିବିର ଆୟୋଜନ କରୁଛି।ୁ ଏପରି ବୃହତ୍ ଆଇନ ସେବା ଓ ସଚେତନା ଶିବିର ଦ୍ୱାରା ଜନସାଧାରଣଙ୍କୁ ବିଭିନ୍ନ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଇ ଏବଂ ସେମାନେ ଏହାର କିପରି ସୁଫଳ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ବିଶେଷ କରି ଅନୁସୂଚିତ ଜନଜାତି ମାନେ କିପରି କୌଣସି ଯୋଜନାରୁ ବଂଚିତ ନହେବେ, ସେମାନେ କିପରି ବିଭିନ୍ନ ଯୋଜନା ସର୍ମ୍ପକରେ ସଚେତନ ହୋଇ ଏହାର ସୁଫଳ ନେବେ ଶିବିରରେ ବ୍ୟବସ୍ଥା କରାଯିବ। ଏହି ଶିବିରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସିଧାସଳଖ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥ୍ା କରାଯିବ ବୋଲି କହିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀମତୀ ବନାଲୀ ତ୍ରିପାଠୀ ଏହି ବୈଠକରେ ସୂଚନା ଦେଇ କହିଥିଲେ ଯେ, ଲୋକମାନେ କିପରି ସହଜରେ ନ୍ୟାୟ ପାଇପାରିବେ ଓ କିପରି ନିଜର ଅଧିକାର ଜାଣିବା ସହିତ ବିଭିନ୍ନ ଯୋଜନାରେ ସହାୟତା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଉକ୍ତ ବୃହତ୍ ଆଇନ ସେବା ଓ ସଚେତନତା ଶିବିର ଆୟୋଜନ କରାଯିବ। ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ବିଶେଷ ଭାବେ ଶିଶୁ, ମହିଳା, ଭିନ୍ନକ୍ଷମ, ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, ରାସ୍ତା ଦୁର୍ଘଟଣା ଜନିତ କ୍ଷତିପୂରଣ, ଜଙ୍ଗଲ ଜମି ପଟା, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ ଓ କୁସଂସ୍କାର, ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ସେମାନଙ୍କୁ ସହାୟତା ତଥା ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ପୂରଣ ଇତ୍ୟାଦି ପ୍ରସଙ୍ଗ ଏହି ବୃହତ୍ ଶିବିରରେ ଅର୍ନ୍ତଭୁକ୍ତ କରାଯିବ। ପି.ଡି. ଡିଆର୍ଡିଏ ନୃସିଂହ ଚରଣ ସ୍ୱାଇଁ, ପି.ଏ ଆଇଟିଡିଏ, କେନ୍ଦୁଝର ସମ୍ବିତ କୁମାର ନାୟକ, କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ପ୍ରମୁଖ ବୃହତ୍ ଆଇନ ସେବା ଓ ସଚେତନତା ଶିବିରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହାପରେ ବୈଠକରେ ମେଗା ଆଇନ ସେବା ଓ ସଚେତନତା ଶିବିର ଆୟୋଜନର ପ୍ରସ୍ତୁତି ନିମନ୍ତେ ପ୍ରାରମ୍ଭିକ କାର୍ଯ୍ୟଖସଡ଼ା ଉପରେ ଆଲୋଚନା କରାଯାଇଥିଲା। ପି.ଏ.ଆଇ.ଟି.ଡି.ଏ କେନ୍ଦୁଝରଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ବିଭିନ୍ନ ବିଭାଗ ପକ୍ଷରୁ ସଚେତନତା ମଣ୍ଡପ ଖୋଲାଯିବା ସହିତ ଶିବିରରେ ଜନସାଧାରଣଙ୍କ ବହୁଳ ଯୋଗଦାନ ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ବିଭିନ୍ନ ସରକାରୀ ବିଭାଗ, ଶିଶୁ କଲ୍ୟାଣ କମିଟି, ବ୍ୟାଙ୍କ, ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମର ସାମିଲ କରାଯିବା ପାଇଁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *