କେତେ ଜୀବନ ଗଲେ ଚେତିବ ପ୍ରଶାସନ ;ମରଣଯନ୍ତା ପାଲଟିଛି ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ

ଯାଜପୁର-୧୧/୧(ଓଡିଆ ପୁଅ /ଏ.ରାଉତ) ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ଦୈନଦିନ ବହୁ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ହାନି ଘଟୁଛି। ପାରାଦୀପରୁ ଦୈତାରୀ ମାଇନ୍ସ ପର୍ଯନ୍ତ ଲମ୍ବିଥିବା ଏହି ଜାତୀୟ ରାଜପଥ ଏକ ବ୍ୟସ୍ତ ବହୁଳ ରାଜପଥରେ ପରିଣତ ହୋଇଛି। ଏହି ରାଜପଥ ଦେଇ ଶହଶହ ଭାରିଯାନ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ପାରାଦୀପ ପୋର୍ଟକୁ ଯାଇଥାଏ। ସେହିପରି ପାରାଦୀପରୁ ମଧ୍ୟ ଅନେକ ମାଲ୍ ବୋଝେଇ ଟ୍ରକ କଳଙ୍ଗନଗର ଶିଳ୍ପାଞ୍ଚଳକୁ ଆସିଥାଏ। ଅନ୍ୟ ପକ୍ଷରେ ଧର୍ମଶାଳା ଅଞ୍ଚଳର ଚଣ୍ଡିଖୋଲରୁ କବାଟବନ୍ଧ ପର୍ଯ୍ୟନ୍ତ ରହିଥିବା କଳାପଥର ଖାଦାନରୁ ଶହଶହ ହାଇୱା ଓଭର ଲୋଡିଂ କରି ଏହି ଜାତୀୟ ରାଜପଥ ଦେଇ ବିଭିନ୍ନ ସ୍ଥାନକୁ ପରିବହନ ହୋଇଥାଏ। ଏପରିକି କିଛି ଅସାଧୁ ବ୍ୟବସାୟୀ ପାହାଡରୁ ଟ୍ରାକ୍ଟର ଯୋଗେ ପଥର ଆଣି ରାଜରାସ୍ତା କଡରେ ପକାଇ ଲୋକମାନଙ୍କ ଦ୍ୱାରା ସ୍ପଲ ତିଆରି କରୁଥିବା ଦେଖିବାକୁ ମିଳୁଛି। ଫଳରେ ଜାତୀୟ ରାଜପଥ ବିପଦପୂର୍ଣ୍ଣ ରୂପଧାରଣ କରୁଛି। ଯାହାଦ୍ୱାରା ବହୁ ଦୁର୍ଘଟଣା ଦୈନିକ ଘଟି ଲୋକମାନଙ୍କ ଜୀବନହାନି ଘଟୁଛି। ଏ ସଂପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ ୨୦୧୫ରେ ରାଜପଥକୁ ସଂପ୍ରସାରଣ କରିବା ନିମନ୍ତେ ୮୫୦ କୋଟି ଟଙ୍କାର ଟେଣ୍ଡର କରାଯାଇଥିଲା। ଏହାକୁ ଆଇସୋଲେକ୍ସ କୋରସାନ ନାମକ ଏକ ବିଦେଶୀ କମ୍ପାନୀ ଟେଣ୍ଡର ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ଚଣ୍ଡିଖୋଲ ଠାରୁ କବାଟବନ୍ଧ ପର୍ଯନ୍ତ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରିଥିଲା। ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ଫଳରେ ସଂପୃକ୍ତ କମ୍ପାନୀକୁ ୨୦୧୭ ମସିହାରେ କାର୍ଯ୍ୟରୁ ନିବୃତ କରାଯାଇଥିଲା। ସେହି ଦୁଇବର୍ଷ ମଧ୍ୟରେ ସଂପ୍ରସାରଣ କାର୍ଯ୍ୟ କରିବା ନିମନ୍ତେ ଦୁଇପଟ ରାସ୍ତାକୁ କାଟି ମରମ, ମାଟି, ବାଲି, ପଥର ଓ ଚିପ୍ସ ମେଟାଲ ଆଦି ଠୁଳକରି ଅଧପନ୍ତରିଆ କାର୍ଯ୍ୟ କରିଥିବାରୁ ଯାତାୟତ କରିବାରେ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିବାରେ ଲାଗିଛି। ଗତ ୩୦ ତାରିଖ ଦିନ ଏକ ମର୍ମଦୁନ୍ତ ଦୁର୍ଘଟଣାରେ ୪ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ତାର କିଛିଦିନ ପୂର୍ବରୁ ଚଢେଇଧରା ତଳଛକ ନିକଟରେ ଏକ ବାଇକ ଆରୋହୀର ମୃତ୍ୟୁ ହୋଇଥିଲା। ଏହିଭଳି ଭାବରେ ମୃତ୍ୟୁ ହାର ବଢିବାରେ ଲାଗିଥିଲେ ମଧ୍ୟ ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି ଦାୟିତ୍ୱ ଥିବାଭଳି ଜଣାଯାଏ ନାହିଁ। ଯଦି ଏହି ରାଜପଥର ସଂପ୍ରସାରଣ କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରାନଯାଏ ତେବେ ଏହିଭଳି ଦୁର୍ଘଟଣାରେ ଅନେକ ଜୀବନ ହାନୀ ଘଟୁଥିବା। ପ୍ରକାଶ ଥାଉକି ଏହାକୁ ଦୃଷ୍ଟିରେ ନଭେମ୍ବର ୨ ତାରିଖ ଆଜକୁ ୨ମାସ ତଳେ ବ୍ରାହ୍ମଣୀ ସେତୁ ସୁରକ୍ଷା ଅଭିଯାନ ପକ୍ଷରୁ ବ୍ରାହ୍ମଣୀ ସେତୁ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। ବ୍ରାହ୍ମଣୀ ସେତୁର ମରାମତି ଓ ଜାତୀୟ ରାଜପଥର ସଂପ୍ରସାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାନେଇ ମଞ୍ଚ ପକ୍ଷରୁ ବହୁବାର ଲିଖିତ ଅଭିଯୋଗ ହୋଇଥିଲା। ତାହା କାର୍ଯ୍ୟକାରୀ ନହେବାରୁ ମଞ୍ଚ ରାଜରାସ୍ତାକୁ ଓହ୍ଲାଇଥିଲା। ୬ ଘଣ୍ଟାକାଳ ଗାଡି ମୋଟର ବନ୍ଦ ହେବାରୁ କଳିଙ୍ଗନଗର ଏଡିଏମ୍ ଓ ଜାତୀୟ ରାଜପଥର ଜେନେରାଲ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ସେତୁ କାର୍ଯ୍ୟ ୧୫ ଦିନ ଓ ୪୫ ଦିନ ମଧ୍ୟରେ ରାଜପଥ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ମଞ୍ଚ ତାର ନିଷ୍ପତ୍ତିରୁ ଓହରିଥିଲା। ମାତ୍ର ୨ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେତୁ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ଜାତୀୟ ରାଜପଥର ମରାମତି କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଯଦି ଏହିଭଳି ଭାବରେ କାର୍ଯ୍ୟ ଚାଲେ ତେବେ ଅନେକ ନୀରିହ ଲୋକଙ୍କ ଜୀବନ ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପରେ। ଏହାକୁ ବିଚାରକୁ ନେଇ ସେତୁ ସୁରକ୍ଷା ଅଭିଯାନ ପୁନଶ୍ଚ ଆନ୍ଦୋଳନକୁ ଓହ୍ଲାଇ ବୋଲି ସଜବାଜ ଚଳାଇଛି ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *