କୃଷି ସମବାୟ ସମିତି ଓ ଲ୍ୟାମ୍ପସ ପ୍ରତିନିଧି କର୍ମଚାରୀ ସମବାୟ ସମିତି ବୈଠକ

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଓଡିଶାର ୨୭୦୮ପ୍ରାଥମିକ କୃଷି ସମବାୟ ସମିତି ଲ୍ୟାମ୍ପସ ମଧ୍ୟରୁ ୨୪୯୪ଟି ପ୍ରାଥମିକ ସମିତି ଓ ୨୧୪ଟି ଲ୍ୟାମ୍ପସର ସଭାପତି ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ କାଦୁଅପଡା ସ୍ଥିତ ତୁଳସୀଗାଦୀ ପୀଠରେ ଏକ ସମବାୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ କେଳୁଚରଣ ଜଗଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ସଭାପତି ଲିଙ୍ଗରାଜ ମଲ୍ଲ, ଜଗତସିଂହପୁର ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଦାସ, ନିର୍ବାଚିତ ସଭାପତି ସୁବାଷ ଦାସ, ୟୁନିୟନ ସାଧାରଣ ସଂପାଦକ ସୁକାନ୍ତ ଦାସ, ବିଶ୍ୱନାଥ ମହାରଣା ଓ ଜିଲ୍ଲା ସଂପାଦକ ନିରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ୫ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ। ଓଡିଶାର କୃଷକ ମାନଙ୍କର ଆଧାର ସିଡିଂ, ଜମାଖାତା ଖୋଲିବା, ଶସ୍ୟ ବୀମା କରାଇବା, ଭାଉଚର ଏଣ୍ଟ୍ରି, ଚାଷୀଙ୍କ ଅନଲାଇନ ପେମେଣ୍ଟ, ଚାଷୀ ପଞ୍ଜିକରଣ, ବିହନ ବିକ୍ରୀ ଓ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମିତି ଓ ଲ୍ୟାମ୍ପସ କର୍ମଚାରୀମାନଙ୍କୁ ସରକାର ବାରମ୍ବାର ଅବହେଳା କରୁଛନ୍ତି। ବିଗତ ୧୧ସେପ୍ଟେମ୍ବରରୁ ୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଆନ୍ଦୋଳନ ସମୟରେ ଏକ ମାସ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ମିଳିଥିଲେ ମଧ୍ୟ ଦାବି ପୁରଣ କରାଯାଇନାହିଁ। ତେଣୁ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ଗୁଡିଙ୍କୁ କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦେବା ଓ ସେମାନଙ୍କ ଦରମା ରାଜ୍ୟ ସରକାର ବହନ କରିବା, ସମିତି ଓ ଲ୍ୟାମ୍ପସର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଭତ୍ତା ପ୍ରଦାନ କରିବା, ଅବସରକାଳୀନ ବୟସସୀମା ୬୨କୁ ବୃଦ୍ଧି କରିବା ସହିତ ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ, ସମବାୟ ବିଭାଗର ତ୍ରସ୍ତରୀୟ ବ୍ୟବସ୍ଥା ଉଚ୍ଛେଦ ଓ ସମିତି, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କକୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ମାନ୍ୟତା ଦେବା ଏବଂ ଓଡିଶା ରାଜ୍ୟ ସମବାୟ ସମିତି ନିମନ୍ତେ ସଂଘ କାର୍ଯ୍ୟାଳୟ ପାଇଁ ସରକାରୀ କାର୍ଯ୍ୟାଳୟ ଓ ଗୃହ ପ୍ରଦାନ ପାଇଁ ଦାବି କରାଯାଇଥିଲା। ଉକ୍ତ ଦାବି ଗୁଡିକ ପୁରଣ କରା ନଗଲେ ଆନ୍ଦୋଳନ କରାଯିବା ସହିତ ସମସ୍ତ କ୍ଷତି ପାଇଁ ବିଭାଗୀୟ କର୍ତ୍ତୁପକ୍ଷ ଓ ସରକାର ଦାୟୀ ରହିବେ ବୋଲି ବୈଠକରେ ସ୍ଥିର କରାଯାଇଥିଲା।

Leave a Reply

Your email address will not be published. Required fields are marked *