କୃଷି ବିଭାଗର ଉଦାସୀନତା ଧାନ ବିହନ ଅଭାବରେ ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର,୨୯/୫ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ସ୍ୱତନ୍ତ୍ର ବ୍ୟୟ ବରାଦ କରୁଥିବା ବେଳେ ଧାନବିହନ ଅଭାବ ଯୋଗୁଁ ବାଲେଶ୍ୱରର ଚାଷୀ ଚଳିତ ଖରିଫ୍ ଋତୁରେ ବୁଣିନପାରି ମୁଣ୍ଡରେ ହାତଦେଇ ବସିଛନ୍ତି। ଜିଲ୍ଲାର ପଞ୍ଜୀକୃତ ବିହନ ବିକ୍ରୟ ଏଜେନ୍ସିକଙ୍କ ମନମୁଖୀ କାର୍ଯ୍ୟଧାରା ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଅଦ୍ୟାବଧି ମାତ୍ର ୨ ପ୍ରତିଶତ ଜମିରେ ଧାନ ବିହନ ବୁଣାଯାଇଥିବା ଜଣାଯାଇଛି। ବିହନ ନପାଇ ଚାଷୀମାନେ ବିହନ ବିକ୍ରୟକେନ୍ଦ୍ରରୁ ବାରମ୍ବାର ଫେରିବା ନେଇ ବିଭିନ୍ନ ମହଲରୁ ସ୍ୱର ଉଠିବା ପରେ ସଂପ୍ରତି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲା କୃଷି ବିଭାଗର ଅବ୍ୟବସ୍ଥିତ ସ୍ଥିତିକୁ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଆଜି ସ୍ୱତନ୍ତ୍ର ବୈଠକ ଆମନ୍ତ୍ରଣ ସହ କୃଷି ଉପ-ନିର୍ଦ୍ଦେଶକଙ୍କ ସମେତ କୃଷି ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ପାଇଁ ଆବଶ୍ୟକ ଧାନ ବିହନ ଚାଷୀଙ୍କଠାରେ ପହଞ୍ଚାଇବାକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରକାଶ ଥାଉକି ଜିଲ୍ଲାର ମୋଟ ୨ ଲକ୍ଷ ୫୦ ହଜାର୮୮୦ ହେକ୍ଟର ଜମିରେ ଖରିଫ୍ ଚାଷ ହେଉଥିବା ବେଳେ ପ୍ରତିବର୍ଷ ୧୨ ପ୍ରତିଶତ ଜମିରେ ଧାନ ବୁଣାଯାଇଥାଏ। ବାକି ୮୮ ପ୍ରତିଶତ ଜମିରେ ତଳି ରୁଆଯାଇଥାଏ। ମାତ୍ର ବିଭାଗୀୟ ଅଧିକାରୀ ଓ ପଞ୍ଜୀକୃତ ବିକ୍ରୟ ରିଟେଲର ବା ଏଜେନ୍ସିଙ୍କ ମଧୁଚନ୍ଦ୍ରିକା ଜିଲ୍ଲାର ଖରିଫ୍ ଚାଷରେ ଯେ ଅନ୍ତରାୟ ହୋଇଛି, ଏହା ଏବେ ସ୍ପଷ୍ଟ ହୋଇିଯାଇଛି। ବିଭାଗୀୟ ପ୍ରତିଶ୍ରୁତି ଅନୁସାରେ ବିହନ ଉପଲବ୍ଧ ହେଲେ ମଧ୍ୟ ଆସନ୍ନ ବର୍ଷାଋତୁ ଓ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଚଳିତ ଖରିଫ୍ ଚାଷରେ ବହୁ ଜମି ପଡ଼ିଆ ପକାଇବ ବୋଲି ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *