କୃଷି ଓ କୃଷକଙ୍କ ପାଇଁ ସମବାୟ ଚିନ୍ତା ୪୫୫ କୋଟି ଟଙ୍କାର କୃଷି ଋଣ ଟାର୍ଗେଟ୍

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବାଲେଶ୍ୱର ଓ ଭଦ୍ରକ ସମବାୟ ବିଭାଗ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି କରିଛି। ୨୦୧୮-୧୯ କୃଷି ଖରିଫ ଚାଷ ପାଇଁ ଭଦ୍ରକ ଜିଲାର ୧୦୮ ଟି ସମବାୟ ସୋସାଇଟି କମିଟି ମାଧ୍ୟମରେ ୪୫୫ କୋଟି ଟଙ୍କାର କୃଷି ଋଣ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ୧୦୮ ଟି ସୋସାଇଟି ସଂପାଦକ ସେମାନଙ୍କ ନିଜ ସୀମିତ ଅଧୀନରେ ପଂଜିକରଣ ହୋଇଥିବା ଚାଷୀମାନଙ୍କୁ ଏହି ଋର ପ୍ରଦାନ ଆରମ୍ଭ କରିଛନ୍ତି। ୧୦୮ ଟି ସମିତି ଜରିଆରେ ମୋଟ ୧ ଲକ୍ଷ ୮ ହଜାର ୩୩୦ ଜଣ ଚାଷୀଙ୍କୁ ଏହି ୪୫୫ କୋଟି ଚାଷ ଋଣ ଦିଆଯିବ। ୨୦୧୭-୧୮ ଖରିଫ ବର୍ଷ ତୁଳନାରେ ଚଳିତ ଖରିଫ ବର୍ଷରେ ଜିଲାର ଚାଷୀଙ୍କ ପଂଜିକରଣ ସଂଖ୍ୟା କମିଯାଇଛି। ସଂପାଦକମାନଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଏହି ପଂଜିକରଣ କମିଥିବା ଆଲୋଚନା ହେଉଛି। ୨୦୧୭-୧୮ ବର୍ଷରେ ଖରିଫ ଚାଷ ପାଇଁ ୧ ଲକ୍ଷ ୩୦ ହଜାର ୮୦୦ ଚାଷୀଙ୍କ ପଂଜିକରଣ ହୋଇଥିବାବେଳେ ଚଳିତ ବର୍ଷ ଏହା ୧ ଲକ୍ଷ ୮ ହଜାର ୩୩୦ କୁ ଖସିଛି। ଯାହାକି ଗତବର୍ଷ ତୁଳନାରେ ୨୨.୪୭୦ ଜଣ ଚାଷୀ ଜିଲାରୁ କମି ଯାଇଛନ୍ତି। ଗତ ଖରିଫ ବର୍ଷରେ ଚାଷୀଙ୍କ ପାଇଁ ସମବାୟ ବିଭାଗ ୪୦୦ କୋଟି ୮୭ ଲକ୍ଷ ଟଙ୍କା ଋଣର ବ୍ୟବସ୍ଥା କରିଥିବାବେଳେ ସଂପାଦକମାନେ କିନ୍ତୁ ହେଳା କଲେ। ଯେଉଁଥିପାଇଁ ଏହି ୧ ଲକ୍ଷ ୩୦ ହଜାର ଚାଷୀଙ୍କ ପଂଜିକରଣ ମଧ୍ୟରୁ ମାତ୍ର ୯୬ ହଜାର ୮୨୫ ଜଣ ଚାଷୀଙ୍କୁ ୩୪୬ କୋଟି ୩୫ ଲକ୍ଷ ଟଙ୍କାର କୃଷିଋଣ ଦିଆଯିବାକୁ ସକ୍ଷମ ହୋଇଥିଲେ ଅଧିକାରୀମାନେ। ଗତବର୍ଷର ସଂପାଦକମାନଙ୍କ ଦାୟିତ୍ୱ ହିନତାକୁ ଲକ୍ଷ୍ୟ କରି ଚାଷୀଙ୍କ ପଂଜିକରଣ ସଂଖ୍ୟା ୨୨ ହଜାର କମାଇ ଦିଆଗଲା ଏବଂ ଋଣର ପରିମାଣ ବୃଦ୍ଧି କରାଗଲା। ଗତବର୍ଷ ୪୦୦ କୋଟି ଟାର୍ଗେଟ୍ ହୋଇଥିଲାବେଳେ ଚଳିତ ବର୍ଷ ୪୫୫ କୋଟି ଟଙ୍କା କୃଷି ଋଣର ବରାଦ ହୋଇଛି। ଏହି କୃଷି ଋଣର ଅପ୍ରେଲ ମାସ ଠାରୁ ଦେବା ଆରମ୍ଭ ହେଲେଣି। ଯାହାକି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଋଣ ଦେବା କାର୍ଯ୍ୟ ଚାଲିବ। ଏଠାରେ ସୂଚନାଥାଉକି କୃଷିଋଣର ସରଳୀକରଣ ସହିତ ସ୍ୱଳ୍ପ ସୁଧ ଏବଂ ରିହାତି ଅଂଶଧନ ଜରିଆରେ ଚାଷୀଙ୍କୁ ଏହି କୃଷି ଋଣ ଯୋଗାଇ ଦେବାକୁ ସମବାୟ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଋଣ ଅର୍ଥର ସର୍ବାଧିକ ୫ ପ୍ରତିଶତ ଅର୍ଥ ଚାଷୀଙ୍କୁ ଅଂଶଧନ ଦେବାକୁ ପଡୁଥିବା ବେଳେ ପରିବର୍ତ୍ତିତ ବ୍ୟବସ୍ଥାରେ ମଧ୍ୟକାଳୀନ କୃଷି ଋଣ ନିମନ୍ତେ ୫ ଲକ୍ଷ ଟଙ୍କାର କୃଷି ଋଣ ସକାଶେ ଚାଷୀଙ୍କୁ ୫ ଶହ ଟଙ୍କା, ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ସକାଶେ ୭୫୦ ଟଙ୍କା, ୧୦ ରୁ ୧୫ ଲକ୍ଷ ଟଙ୍କାର କୃଷିଋଣ ସକାଶେ ସର୍ବାଧିକ ଏକ ହଜାର ଟଙ୍କା ଅଂଶଧନ ଦେବାକୁ କୁହାଯାଇଛି। ସେହିଭଳି କ୍ଷୁଦ୍ର ଚାଷୀଙ୍କ ସକାଶେ ୫୦ ଲକ୍ଷ ଟଙ୍କାର ଋଣ ଲାଗି ଏକ ପ୍ରତିଶତ ଏବଂ ତଦୃର୍ଦ୍ଧ ଋଣ ଲାଗି ୨ ପ୍ରତିଶତ ଏବଂ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ ପାଇଁ ସର୍ବାଧିକ ୫ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଚଳିତ ବର୍ଷ ଚାଷୀଙ୍କୁ କେସିସି ମଧ୍ୟରେ ଆର୍ଥିକ ଋଣ ଛଡା ସାର, ବିହନ ଆଦି ଦ୍ରବ୍ୟ ଲାଗି ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏପରିକି ଚଳିତ ବର୍ଷ ସରକାର ଉଭୟ ଚାଷୀ ଏବଂ ଭାଗ ଚାଷୀଙ୍କ ପାଇଁ ଫସଲ ବୀମା ଏବଂ ବ୍ୟକ୍ତିଗତ ବୀମା ଯୋଜନା ଲାଗୁ କରିଛନ୍ତି।

Leave a Reply

Your email address will not be published. Required fields are marked *