ଓଡ଼ିଶା

କୃଷିଋଣ ଯୋଗାଣରେ ରାଜ୍ୟ ସମାବାୟ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି ହେବା ପ୍ରସଙ୍ଗରେ ଏଜିସିଏସ ଅଡିଟ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର: ବିଜେପି

– କେବଳ କାଗଜ କଲମରେ ଚାଷୀମାନଙ୍କୁ ଋଣ ଦିଆଯାଇଛି
– ଓଡିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କୁ ଅବସର ପରେ ମଧ୍ୟ ପୁନଃ ନିଯୁକ୍ତି ଦେବା ପାଇଁ କେଉଁ ଗଡଫାଦର ନିର୍ଦ୍ଦେଶ ଦେଇଥିଲେ ?

ଭୁବନେଶ୍ୱର, ତା ୦୮/୯ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଋଣ ଅର୍ଥକୁ ରାଜ୍ୟସରକାରଙ୍କ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ବାଟମାରଣା କରିଚାଲିଛନ୍ତି। କେବଳ କାଗଜ କଲମରେ ଚାଷୀମାନଙ୍କୁ ଋଣ ଦିଆଯାଇଛି। ରାଜ୍ୟସରକାର ନାବାର୍ଡର ଅର୍ଥକୁ ହେରଫେର କରିଛନ୍ତି। ଏହା ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିର ଆଉ ଏକ ନିଦର୍ଶନ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସମବାୟ ବିଭାଗ ଦ୍ୱାରା ହୋଇଥିବାର ଦୁର୍ନୀତିକୁ ଶାସକ ଦଳର ପୂର୍ବତନ କୃଷି ମନ୍ତ୍ରୀ ଦାମ ରାଉତ ସ୍ପଷ୍ଟ କରିଛନ୍ତି। ସେହିପରି ସମବାୟ ବ୍ୟାଙ୍କ ଋଣରେ ୭୦୦ ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅଣଚାଷ ପାଇଁ କୋଟି କୋଟି ଟଙ୍କା ଋଣ ପ୍ରଦାନ କେବଳ କାଗଜ ପତ୍ରରେ ସୀମିତ ରହିଛି। ରାଜ୍ୟ ସମବାୟ ବିଭାଗ ଅଧିନରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କଗୁଡିକ କେନ୍ଦ୍ରୀୟ ସଂସ୍ଥା ନାବାର୍ଡରୁ ଚାଷୀଙ୍କ ପାଇଁ ରିହାତି ସୁଧ ହାରରେ ଋଣ ଆଣି ରାଜ୍ୟରେ ଥିବା ୨୭୮୦ଟି ପ୍ରାଥମିକ ସମବାୟ ସଂସ୍ଥା ମାଧ୍ୟମରେ କୃଷି ଋଣ ପ୍ରଦାନ କରିଥାଏ।। ରାଜ୍ୟ ସରକାର ରବି ଓ ଖରିଫ ଫସଲ ପାଇଁ ଚାଷୀଙ୍କୁ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ୨୦୧୦ ମସିହାରୁ ସଂଯୁକ୍ତ ଚାଷୀ ଗୋଷ୍ଠୀ (ଜେଏଲଜି)ଙ୍କ ମାଧ୍ୟମରେ ଚାଷୀମାନଙ୍କୁ ଯେତିକି ଋଣ ପ୍ରଦାନ କରାଯାଇଥିଲା, ତାହାର ୭୦ ଭାଗ ଅର୍ଥ ହେରଫେର ହୋଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ତାଳରୁ ତଳିପା ଯାଏଁ ଗ୍ରାସ କରିଛି। ପୂର୍ବରୁ ଓଡିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡା ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହିଥିବାର ପ୍ରମାଣ ମିଳିଛି। ମୁଖ୍ୟ ଶାସନ ସଚିବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ସମବାୟ ବ୍ୟାଂକର ଗତ ବୋର୍ଡର ନିର୍ଦ୍ଦେଶକମାନେ ଶ୍ରୀ ପଣ୍ଡାଙ୍କ ନାମରେ କରିଥିବା କଂପୁ୍ୟଟର କିଣାରେ ୩୫ କୋଟି ଟଙ୍କାର ଦୁର୍ନିତୀର ଅଭିଯୋଗକୁ ରାଜ୍ୟ ସରକାର ଘଂଟ ଘୋଡାଇ ରଖିଥିଲେ। ତେବେ ଓଡିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ଅବସର ପରେ ମଧ୍ୟ ତାଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ କେଉଁ ଗଡଫାଦର ନିର୍ଦ୍ଦେଶ ଦେଇଥିଲେ ରାଜ୍ୟସରକାର ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମବାୟ ବିଭାଗରେ କେତେ ଦୁର୍ନୀତି ହୋଇଛି ରାଜ୍ୟସରକାର ସ୍ପଷ୍ଟ ନକରି ତୁଷାର ପଣ୍ଡା ଗଣମାଧ୍ୟମରେ ସ୍ପଷ୍ଟିକରଣ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମବାୟ ବିଭାଗର ଅଡିଟ କରୁଥିବା ଏଜିସିଏସଙ୍କ ଗତ ୨୦୧୦ରୁ ୨୦୧୮ ମସିହା ଯାଏଁ ୮ ବର୍ଷର ରିପୋର୍ଟକୁ ସର୍ବସାଧାରଣ କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top