କୃଷକମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ସ୍ୱୟଂ ରାଜ୍ୟ କୃଷିମନ୍ତ୍ରୀଙ୍କ ଅଂଚଳର ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା

ଭୁବନେଶ୍ୱର, ତା ୧୨/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଧାନର ଅଭାବି ବିକ୍ରି ଦେଖାଦେଇଛି। ମଣ୍ଡି ଗୁଡିକରେ ଅସାଧୁ ମିଲରଙ୍କ ଜୁଲମ ଚାଲିଛି। ବିଳମ୍ବରେ ମଣ୍ଡି ଖୋଲି ଅସାଧୁ ବେପାରୀମାନଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ କମ୍ ଦାମରେ ଧାନ ସଂଗ୍ରହ କରାଯାଉଛି। ଧାନ ମଣ୍ଡିଗୁଡିକରେ ବ୍ୟାପକ ଅବ୍ୟବସ୍ଥା ସହ ଏଫଏଏକ୍ୟୁ ଆଳ ଦେଖାଇ କ୍ୱିଂଟାଲ ପ୍ରତି ୩ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟ ଆଦି ବିଭିନ୍ନ ପ୍ରସଙ୍ଗରେ ବିଜେପି କୃଷକମୋର୍ଚ୍ଚା ରାଜ୍ୟବ୍ୟାପୀ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିଛି।

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ପିପିଲି ବ୍ଲକର ଜଇସିପାଟଣା, ଭାରତିପୁର, ପୁବାଶାସନ ଆଦି ମଣ୍ଡିଗୁଡିକୁ ଯାଇ କିପରି ଧାନ ସଂଗ୍ରହ ହେଉଛି ତାହାର ତଦାରଖ କରିଥିଲା। ରାଜ୍ୟର କୃଷି ମନ୍ତ୍ରୀଙ୍କ ଅଂଚଳରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏ ଅଂଚଳମାନଙ୍କରେ ଖୋଲା ଚାଷ ଜମିରେ ଧାନମଣ୍ଡି ଖୋଲାଯାଇଛି। ମଣ୍ଡି ଗୁଡିକରେ ଏଫଏଏକ୍ୟୁ ଆଳ ଦେଖାଇ କ୍ୱିଂଟାଲ ପ୍ରତି ୩ କେଜିରୁ ଉର୍ଦ୍ଧ ଧାନ କଟାଯାଉଛି। କେବଳ ଚଷା ପୁଅ କହି ନିଜର ଆତ୍ମ ପ୍ରଚାର କରୁଥିବା ମନ୍ତ୍ରୀଙ୍କ ଅଂଚଳ ଲକ୍ଷ୍ମୀନାରାୟଣପୁରରେ ଏପର୍ଯ୍ୟନ୍ତ ବି ଧାନ ମଣ୍ଡି ଖୋଲାଯାଇପାରିନାହିଁ। ଖୋଦ୍ କୃଷି ମନ୍ତ୍ରୀଙ୍କ ଅଂଚଳରେ ଏଭଳି ଅବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ଅପରାଗତାକୁ ସ୍ପଷ୍ଟଭାବରେ ପ୍ରମାଣିତ କରୁଛି ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ କହିଛନ୍ତି।

ଖାଦ୍ୟ ଯାଗାଣ ବିଭାଗ ତରଫରୁ ଧାନ ସଂଗ୍ରହକୁ ନେଇ ମଣ୍ଡି ଖୋଲାଯାଇଛି ବୋଲି କେବଳ ପ୍ରଚାର ହେଉଛି। ବାସ୍ତବରେ ଅସାଧୁ ମିଲରଙ୍କୁ ହାତବାରେସି କରି ରାଜ୍ୟ ଯୋଗାଣ ବିଭାଗ ଚାଷୀମାନଙ୍କୁ ଶୋଷଣ କରି ଚାଲିଛନ୍ତି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥିଲେ ମଧ୍ୟ ଚାଷୀ ତାର ଉଚିତ୍ ମୂଲ୍ୟ ନପାଇ ଅସାଧୁ ବେପାରୀଙ୍କୁ କମ୍ ଦାମରେ ଧାନ ବିକ୍ରି କରୁଛି। ମଣ୍ଡି ଗୁଡିକରେ ସଠିକ୍ ଢଙ୍ଗରେ ଧାନ ସଂଗ୍ରହ ହୋଇପାରୁନଥିବାରୁ ଚାଷୀମାନେ ଅସାଧୁ ମିଲରମାନଙ୍କ ଦା୍ୱରା ଶୋଷିତ ହେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଏହି ଅଭିଯାନରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଜିଲ୍ଲା ଉପସଭାପତି ଯନ୍ମଜେୟ ଜେନା, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଇଶ୍ୱର ପ୍ରସାଦ ଦାସ ମହତାବ, ମଣ୍ଡଳ ସଭାପତି ସୁଧାଶୁଂ ତ୍ରିପାଠୀ, ସଂଖ୍ୟାଲଘୁ ସେଲ୍ର ସାଧାରଣ ସଂପାଦକ ଶୟେଦ ରାଜା, ଲିଙ୍ଗରାଜ ବାରିକ ସମେତ ଯୁବ ମୋର୍ଚ୍ଚା ଓ ସଂଖ୍ୟାଲଘୁ ମୋର୍ଚ୍ଚାର କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *