କୁଷ୍ଠ ରୋଗ ଚିହ୍ନଟ ଅଭିଯାନରେ ସାମିଲ ହେବେ ୨୫୯୦ ସ୍ୱେଚ୍ଛାସେବୀ

ସମ୍ବଲପୁର, ୨୧/୧୦ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): କୁଷ୍ଠ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ଅଭିଯାନ ଆସନ୍ତା ୨୩ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୫୯୦ ଜଣ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନେଇ ୧୧୩୬ଟି ଟିମ୍ ଗଠନ କରାଯାଇଛି। ଏହି ଅଭିଯାନରେ ଜିଲ୍ଲା ଓ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଯାଇ କର୍ମୀମାନେ ସେହି ପରିବାରର ଲୋକଙ୍କ ପରୀକ୍ଷା କରିବା ସହିତ କୁଷ୍ଠର କୌଣସି ଲକ୍ଷଣ ଦେଖାଦେଲେ କିମ୍ବା ଏ ନେଇ ସନ୍ଦେହ ହେଲେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସେହି ରୋଗୀଙ୍କ ପୁନଃପରୀକ୍ଷାର ବନ୍ଦୋବସ୍ତ କରାଇବେ। ରୋଗରେ ଆକ୍ରାନ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏମଡ଼ିଟି ଔଷଧ ଯୋଗାଇ ଦିଆଯିବ। ଏହି ଔଷଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହେବ। ଅଭିଯାନରେ ସମସ୍ତ ପିଆରଆଇ ସଦସ୍ୟ ଓ ସାଧାରଣ ଲୋକ ସାମିଲ ହୋଇ କୁଷ୍ଠମୁକ୍ତ ସମାଜ ଗଠନ ପାଇଁ ଉଦ୍ୟମ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ପରିଷଦର ସଭାପତିଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଅଭିଯାନକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୯ଟା ସମୟରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ଜିଲ୍ଲାପାଳ ଶ୍ରୀ ବର୍ମା ଉଦ୍ ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *