କୁନ୍ଦୁଲୀ ବ୍ଲକ ମୁଷାଗୁଡା ଗାଁରୁ ସରଜମିନ ତଦନ୍ତ କଲା ବିଜେପି ପ୍ରତିନିଧି ଦଳ: ତଦନ୍ତ କରି ଦୋଷୀ ପର୍ଯ୍ୟନ୍ତ ପହଂଚି ନ୍ୟାୟ ଦେବା ବଦଳରେ ମୂଳରୁ ରାଜ୍ୟ ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ସୁପରିକଳ୍ପିତ ଷଡଯନ୍ତ୍ର କରିଛି : ବିଜେପି

– ରାଜ୍ୟ ପୋଲିସ ଅପରାଧ ଠାରୁ ତଦନ୍ତ ଆରମ୍ଭ କରି ଅପରାଧୀ ପର୍ଯ୍ୟନ୍ତ ପହଂଚିବା ବଦଳରେ ମୂଳରୁ କିଛି ଲୋକଙ୍କୁ ଅପରାଧୀ ଆଖ୍ୟା ଦେଇ ସେମାନେ ଗଣ ଦୁଷ୍କର୍ମ କରିଥିବା ପ୍ରମାଣ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲା
– ଉଦ୍ୟମରେ ବିଫଳ ହେବା ପରେ ଗଣ ଦୁଷ୍କର୍ମ ହୋଇ ନାହିଁ କହିଥିଲା ପୋଲିସ
– କପୋଳକଳ୍ପିତ ଓ ମିଛ କଥାକୁ ପ୍ରଚାର କରି ସଂପୃକ୍ତା ପୀଡିତାକୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ଏକ ବାଧ୍ୟବାଧକତାର ପରିସ୍ଥିତି ସୃଷ୍ଟି କରିଯାଇଥିଲା
– କିଛି ଲୋକଙ୍କୁ ଥାନାରେ ଦୀର୍ଘ ଦିନ ଅଟକ ରଖି ଦୁଷ୍କର୍ମ କରିଥିବା ବୟାନ ଦେବା ପାଇଁ ବାଧ୍ୟ କରିବାକୁ ଚେଷ୍ଟା କରାଯାଇଥିଲା
– ସ୍ଥାନୀୟ ମେଡିକାଲ ଅଫିସର ଦୁଷ୍କର୍ମ ହୋଇ ନ ଥିବା ଡାକ୍ତରୀ ମାଇନା ପରେ ପ୍ରକାଶ କରିଥିବା ବେଳେ ଏପରି ସମ୍ବେଦନଶୀଳ ମାମଲାରେ ମେଡିକାଲ ବୋର୍ଡକୁ କାହିଁକି ହସ୍ତାନ୍ତର କରା ଗଲା ନାହିଁ ?
– ଫରେନସିକ ସାଇନ୍ସ ଲାବରୋଟରୀ ରିପୋର୍ଟରେ ଗଣଦୁଷ୍କର୍ମ ସ୍ପଷ୍ଟ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରିପୋର୍ଟ ଚୁଡାନ୍ତ ନୁହେଁ ବୋଲି କହି ଘଟଣାକୁ ଗୋଳାଇବାକୁ ଚେଷ୍ଟା
– ରାଜ୍ୟ ପୋଲିସର ଭୂମିକା ଏହି ମାମଲାରେ ସମ୍ପୂର୍ଣ ସଂଦିଗ୍ଧ ହୋଇଥିବା କାରଣରୁ ସିବିଆଇ ଦ୍ୱାରା ତଦନ୍ତ ଦାବି
– ଅଂଜନା ମିଶ୍ର ଗଣଦୁଷ୍କର୍ମ ରାଜ୍ୟରେ ବ୍ୟଭିଚାରୀ କଂଗ୍ରେସ ସରକାରକୁ କବର ଦେଇଥିଲା, ଏବେ ସସ୍ମିତା ଗଣଦୁଷ୍କର୍ମ ମାମଲାରେ ନବୀନ ସରକାରଙ୍କ ସଂଦିଗ୍ଧ ଭୂମିକା ରାଜ୍ୟବାସୀ ନବୀନ ସରକାରଙ୍କୁ କବର ଦେବାକୁ ମନ ବଳାଇଲେଣି

ଭୁବନେଶ୍ୱର, ତା.୨୭/୦୧ (ଓଡ଼ିଆ ପୁଅ): କୁନ୍ଦୁଲି ଗଣଦଷ୍କର୍ମ ପୀଡିତାଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ ତଦନ୍ତ କରି ଦୋଷୀ ପର୍ଯ୍ୟନ୍ତ ପହଂଚି ନ୍ୟାୟ ଦେବା ବଦଳରେ ମୂଳରୁ ରାଜ୍ୟ ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ସୁପରିକଳ୍ପିତ ଷଡଯନ୍ତ୍ର କରିଛି। ଏହା ଶ୍ରେଷ୍ଠ ପ୍ରଶାସକଙ୍କ ଶ୍ରେଷ୍ଠ ଷଡଯନ୍ତ ବୋଲି ସରଜମିନ ତଦନ୍ତ କରିବା ପରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରତିନିଧି ଦଳର ସଦସ୍ୟ ଓ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ କୁନ୍ଦୁଲି ବ୍ଲକ ମୁଷାଗୁଡା ଗାଁକୁ ଯାଇ ପରିବାର, ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମବାସୀ, ସ୍କୁଲର ଛାତ୍ର- ଛାତ୍ରୀ, ଶିକ୍ଷକଙ୍କ ସହ ବ୍ୟାପକ ଆଲୋଚନା କରିଥିଲା।

ରାଜ୍ୟ ପୋଲିସ ଅପରାଧ ଠାରୁ ତଦନ୍ତ ଆରମ୍ଭ କରି ଅପରାଧୀ ପର୍ଯ୍ୟନ୍ତ ପହଂଚିବା ବଦଳରେ ମୂଳରୁ କିଛି ଲୋକଙ୍କୁ ଅପରାଧୀ ଆଖ୍ୟା ଦେଇ ସେମାନେ ଗଣ ଦୁଷ୍କର୍ମ କରିଥିବା ପ୍ରମାଣ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ଏହି ଉଦ୍ୟମରେ ବିଫଳ ହେବା ପରେ ଗଣ ଦୁଷ୍କର୍ମ ହୋଇ ନାହିଁ ବୋଲି କପୋଳକଳ୍ପିତ ଓ ମିଛ କଥାକୁ ପ୍ରଚାର କରି ସଂପୃକ୍ତା ପୀଡିତାକୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ଏକ ବାଧ୍ୟବାଧକତାର ପରିସ୍ଥିତି ସୃଷ୍ଟି କରିଥିଲେ ବୋଲି ସରଜମିନ ତଦନ୍ତ ଆଧାରରେ ଶ୍ରୀ ପୁରୋହିତ କହିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ ସେମାନେ ତାଙ୍କ ଗସ୍ତ କାଳରେ ଗାଁର ୱାର୍ଡ ମେମ୍ବର ଡମୁ ଖେମୁଣ୍ଡୁ, ସଂପୃକ୍ତ ନାବାଳିକା ପଢୁଥିବା ସୁରସପଦର ସ୍କୁଲର ଛାତ୍ର- ଛାତ୍ରୀ, ଶିକ୍ଷକ, ପରିବାର ଓ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ପୋଲିସ ତପନ ଖରା, ଅର୍ଜୁନ ପଡାଇ, ସୋନୁ ଖେମୁଣ୍ଡୁ ଓ ପ୍ରତାପ ଛାତି ଏହି ବ୍ୟକ୍ତି ମାନଙ୍କୁ ଥାନାରେ ଦୀର୍ଘ ଦିନ ଅଟକ ରଖି ଦୁଷ୍କର୍ମ କରିଥିବା ବୟାନ ଦେବା ପାଇଁ ବାଧ୍ୟ କରିଥିବା ଓ ତପନ ଖରାଙ୍କୁ ଦଶ ଦିନ ଅଟକ ରଖି ଲାଇ ଡିଟେକ୍ଟର ପରୀକ୍ଷା କରି ଏହି ଦୋଷକୁ ନିଜ ମୁଣ୍ଡକୁ ନେବା ପାଇଁ ବାଧ୍ୟବାଧକତାର ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସତ୍ୱେ ସେମାନେ ଦୋଷ କରି ନାହାନ୍ତି ବୋଲି କହିଥିବା ସ୍ଥାନୀୟ ଲୋକଙ୍କ ସହ ପ୍ରତିନିଧି ଦଳର କଥାବାର୍ତ୍ତା ସମୟରେ ଏହା ସାମନାକୁ ଆସିଥିଲା।

ଶ୍ରୀ ପୁରୋହିତ କହିଛନ୍ତି ଯେ, ଏପରି ସମ୍ବେଦନଶୀଳ ମାମଲାରେ ମେଡିକାଲ ବୋର୍ଡକୁ ଏହି ମାମଲାକୁ କାହିଁକି ହସ୍ତାନ୍ତର କରାଗଲା ନାହିଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି।

ଏହି ଷଡଯନ୍ତ୍ରର ଅଙ୍ଗ ଭାବେ ରାଜ୍ୟ ସରକାରଙ୍କ ମାନବାଧିକାର ସେଲର ଡିଆଇଜି ଗଣଦୁଷ୍କର୍ମ ହୋଇ ନାହିଁ ବୋଲି ସାର୍ବଜନୀନ ବକ୍ତବ୍ୟ ଦେଇଛନ୍ତି। ରାଜ୍ୟ ଫରେନସିକ ସାଇନ୍ସ ଲାବରୋଟରୀ ନିଜର ରିପୋର୍ଟରେ ଗଣଦୁଷ୍କର୍ମ ସ୍ପଷ୍ଟ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ରିପୋର୍ଟ ଚୁଡାନ୍ତ ନୁହେଁ ବୋଲି କହି ଘଟଣାକୁ ଗୋଳାଇବାକୁ ଚେଷ୍ଟା କରା ଯାଇଛି।

ଶ୍ରୀ ପୁରୋହିତ କହିଛନ୍ତି ଯେ ମୂଳରୁ ଏହି ମାମଲାର ବିଧିବଦ୍ଧ ତଦନ୍ତ ହୋଇ ନାହିଁ। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାକୁ ପୁଣି ମୂଳରୁ ତଦନ୍ତ କରି ଅପରାଧ ଠାରୁ ଅପରାଧୀ ପର୍ଯ୍ୟନ୍ତ ପହଂଚିବା ପାଇଁ ଫୋ÷÷ଜଦାରୀ ତଦନ୍ତ ପରମ୍ପରା ଆଧାରରେ ସାନି ତଦନ୍ତ ଅତ୍ୟନ୍ତ ଜରୁରୀ। ରାଜ୍ୟ ପୋଲିସର ଭୂମିକା ଏହି ମାମଲାରେ ସମ୍ପୂର୍ଣ ସଂଦିଗ୍ଧ ହୋଇଥିବା କାରଣରୁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ ଅଂଜନା ମିଶ୍ର ଗଣ ଦୁଷ୍କର୍ମ ରାଜ୍ୟରେ ବ୍ୟଭିଚାରୀ କଂଗ୍ରେସ ସରକାରକୁ ହଟାଇବା ପାଇଁ ରାଜ୍ୟବାସୀଙ୍କୁ ଏକ କରି ଥିଲା। ରାଜ୍ୟରେ ପୁଣି ସସ୍ମିତାର ଗଣବଳାକ୍ରାର ଓ ଆଜି ଦିନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତଦନ୍ତକୁ ବାଟବଣା କରିବା ପାଇଁ ପୁଣି ସୁଚିନ୍ତିତ ଷଡଯନ୍ତ୍ର ରାଜ୍ୟବାସୀଙ୍କ ମନରେ ଘୋର ଆଘାତ ଦେଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି। ବିଂଶ ଶତାବ୍ଦୀର ଆରମ୍ଭରେ ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର କାରଣରୁ କଂଗ୍ରେସ ସରକାରକୁ ଓଡିଶାବାସୀ କବର ଦେବା ପରି ଆଜି ଦିନରେ ସେହି ପୃଷ୍ଠଭୂମିରେ ପୁଣି ଓଡିଶାବାସୀ ବର୍ତମାନ ନବୀନ ସରକାରକୁ କବର ଦେବା ପାଇଁ ମନ ବଳେଇ ସାରିଲେଣି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ବିଜେପି ନେତା ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *