କୁନ୍ଦୁଲୀ ପୀଡିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ନୁହେଁ, ପ୍ରମାଣ ନଷ୍ଟ ପାଇଁ ଦାୟିତ୍ୱ ନେଇଛି କ୍ରାଇମବ୍ରାଂଚ: ବିଜେପି

– ଅକ୍ଟୋବର ୧୦ ତାରିଖରେ ଗଣ ଦୁଷ୍କର୍ମ ଓ ୧୨ରେ କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ପରେ ସନ୍ତୋଷ ଉପାଧ୍ୟାୟ କୁଆଡେ ଥିଲେ ?
– କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ପରେ ଦାୟିତ୍ୱ ମୁଣ୍ଡକୁ ନେଇ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଥର ଟିଏ ବି ନିଜେ ଦଳିତ ନାବାଳିକା ଝିଅକୁ କଥା ହେବାକୁ କାହିଁକି ସେ ଉଚିତ ମନେ କରି ନ ଥିଲେ ?
– ପୀଡିତାଙ୍କୁ ଆକ୍ଷେପ କରା ଯିବା ସହ ଏପରି ସମ୍ବେଦନଶୀଳ ଘଟଣାକୁ ଯୋଜନାବଦ୍ଧ ଭାବେ ଚପା ଯିବା ବେଳେ ଏଡିଜି ଉପାଧ୍ୟାୟ କଣ କରୁଥିଲେ ?
– କୁନ୍ଦୁଲି ପୀଡିତାଙ୍କ ହତ୍ୟାର ରକ୍ତରେ ନାଲି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ପାଇଁ ପ୍ରମାଣ ନଷ୍ଟ ଉଦ୍ୟମକୁ ଓଡିଶାବାସୀ ବରଦାସ୍ତ କରିବେ ନାହିଁ

ଭୁବନେଶ୍ୱର, ତା.୨୯/୦୧ (ଓଡ଼ିଆ ପୁଅ): କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ କୁନ୍ଦୁଲୀ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ନୁହେଁ ବରଂ ପ୍ରମାଣ ନଷ୍ଟ କରି ନବୀନ ସରକାରଙ୍କୁ ସୁରକ୍ଷା ଦେବାକୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଗତ ଅକ୍ଟୋବର ୧୦ ତାରିଖରେ ଗଣ ଦୁଷ୍କର୍ମ ଓ ୧୨ତାରିଖରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ପରେ ଶ୍ରୀ ଉପାଧ୍ୟାୟ କୁଆଡେ ଥିଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ପରେ ଏତେ ବଡ ସମ୍ବେନଦନଶୀଳ ଘଟଣାର ତଦନ୍ତ କରି ଦାୟିତ୍ୱ ମୁଣ୍ଡକୁ ନେଇ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ପୀଡିତାକୁ ଭେଟିବା ତ ଦୂର କଥା ଥରେଟିଏ ବି କଥା ହେବାକୁ ଏଡିଜି ଉପାଧ୍ୟାୟ ମହୋଦୟ କାହିଁକି ଉଚିତ ମନେ କରି ନ ଥିଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ପୀଡିତାର କୋହ ଶୁଣି ନ୍ୟାୟ ଦେବା ବଦଳରେ ଶାସକ ବିଜେଡିକୁ ସୁରକ୍ଷା ଦେବା ଆଳରେ ଉଭୟ ପୋଲିସ ଏବଂ ପ୍ରଶାସନ ଏକାଠି ହୋଇ କେତେବେଳେ ମିଛେଇ ତ କେତେବେଳେ ପାଗଳୀର ଆଖ୍ୟା ଦେବାର ପ୍ରଚେଷ୍ଟା କରାିଥିଲେ। ଏପରିକି କେତେବେଳେ ଚରିତ୍ର ଉପରେ ଆକ୍ଷେପ ତ କେତେବେଳେ ପ୍ରେମଜନିତ ଘଟଣା କହି ପୀଡିତାକୁ ଲଜ୍ଜିତ, ଅପମାନିତ, ଲାଂଛିତ ଓ ବଦନାମ ମଧ୍ୟ କରାଯାଇଛି। ଏପରି ସମ୍ବେଦନଶୀଳ ଘଟଣାକୁ ଯୋଜନାବଦ୍ଧ ଭାବେ ଚପାଯିବା ବେଳେ ଏଡିଜି ଉପାଧ୍ୟାୟ ମହଦୋୟ କଣ କରୁଥିଲେ ବୋଲି ଡ. ସାମନ୍ତସିଂହାର ଜବାବ ମାଗିଛନ୍ତି।

ରାଜ୍ୟ ଫୋରେନସିକ ଲ୍ୟାବ କ୍ରାଇମବ୍ରାଂଚ ଅଧିନରେ ପରିଚାଳିତ। ଗତ ୩ ମାସ ମଧ୍ୟରେ ୩ ପ୍ରକାରର ଭିନ୍ନ ରିପୋର୍ଟ ପ୍ରଦାନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯିବାର ଚକ୍ରାନ୍ତ କରାଯାଉଛି। ଏପରିକି ପୀଡିତା ସହ ଦୁଷ୍କର୍ମ ହୋଇଥିବାର ପ୍ରମାଣକୁ ନଷ୍ଟ କରାଯିବାକୁ ହୀନ ଚକ୍ରାନ୍ତ କରାଯାଉଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଦଳିତ ନାବାଳିକା ପୀଡିତାଟି ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥିବା ବେଳେ ସେତେବେଳେ କ୍ରାଇମବ୍ରାଂଚ ନାହିରେ ତେଲ ଦେଇ ଶୋଇଥିଲା କି ନାହିଁ ନିଜକୁ ଥରେ ପ୍ରଶ୍ନ କରିବାକୁ ଶ୍ରୀ ଉପାଧ୍ୟାୟଙ୍କୁ ଆହ୍ୱାନ ଜଣାଇଛନ୍ତି ଡ. ସାମନ୍ତସିଂହାର।

ଏବେ ନବୀନ ସରକାର ପୀଡିତାଙ୍କ ଆତ୍ମହତ୍ୟା ନେଇ ଅକଳରେ ପଡିଥିବା ବେଳେ କ୍ରାଇମବ୍ରାଂଚ ଏଡିଜି ଚଳ ଚଂଚଳ ହେଉଛନ୍ତି କାହିଁକି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଏବେ କୁନ୍ଦୁଲି ଟିମ ଯାଇ ପ୍ରମାଣ ନଷ୍ଟର ସନ୍ତୋଷ ଉପାଧ୍ୟାୟ ଉତରଦାୟୀ ରହିବେ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଓ ଖୋଦ ପୋଲିସ ଡିଜି ଜଣେ ପୀଡିତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗରେ ଦୋଷୀ। ତଦନ୍ତ ପୁରା ହେବା ପୂର୍ବରୁ ଏଡିଜି ମାନବାଧିକାର ପ୍ରଟେକ୍ସନ ସେଲ ଦୁଷ୍କର୍ମ ହୋଇ ନ ଥିବା କାହିଁକି କହିଲେ ଏବଂ ବର୍ତମାନ ଶ୍ରୀ ଉପାଧ୍ୟାୟ ଏହି ପ୍ରସଙ୍ଗରେ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

କୁନ୍ଦୁଲି ପୀଡିତାଙ୍କ ହତ୍ୟାର ରକ୍ତରେ ନାଲି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ପାଇଁ ପ୍ରମାଣ ନଷ୍ଟ ଉଦ୍ୟମକୁ ଓଡିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

Leave a Reply

Your email address will not be published. Required fields are marked *