କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ: ଜୟଦେବ ଜେନା

ଭୁବନେଶ୍ୱର ତା ୨୩.୧(ଓଡ଼ିଆ ପୁଅ)- କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟା ଘଟଣାରେ ବିଜେଡ଼ି ସରକାରର ଷଡଯନ୍ତ୍ର ସଫଳ ହୋଇଛି ବୋଲି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ଆପେକ୍ଷ କରିଛନ୍ତି। ନ୍ୟାୟପାଇଁ ଲଢ଼େଇରେ ଓଡ଼ିଶାର ଦଳିତ, ଆଦିବାସୀ ବିଫଳ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଗାଡ଼ରେ ବ୍ୟସ୍ତ ରହୁଛନ୍ତି। କୁନ୍ଦୁଲି ପୀଡ଼ିତାର ଶବ ଉପରେ ଆଦର୍ଶ ମୁଖ୍ୟମନ୍ତ୍ରୀର ମୁକୁଟ ଗ୍ରହଣ ହୋଇଛି। ବିଜେଡ଼ି ଶବ୍ଦକୋଷରେ ଆଦର୍ଶର ଅର୍ଥ ବଦଳିଯାଇଛି। ବିଜେପିଦଳ, କେନ୍ଦ୍ରସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିଏ କୁନ୍ଦୁଲି ଗଣଦୁଷ୍କର୍ମ ଦିନଠାରୁ ଏଯାଏଁ ନୀରବ ଥିଲେ ସେମାନେ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଜୀବନ୍ତ ଅବସ୍ଥାରେ ସହାନୁଭୂତି ଦେଲେ ନାହିଁ। ଏବେ ଖାଲି ରାଜନୈତିକ ଫାଇଦା ପାଇଁ ଆଖି ମଳୁଛନ୍ତି। କୁନ୍ଦୁଲି ପୀଡ଼ିତା ପ୍ରତି ନ୍ୟାୟ ଦାବି କରି କଂଗ୍ରେସ କ୍ରମାଗତ ଭାବେ ଆନ୍ଦୋଳନ କରିଆସୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୁନ୍ଦୁଲି ପୀଡ଼ିତା ପ୍ରସଙ୍ଗରେ ଏକାଠି ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପର୍ଯ୍ୟନ୍ତ ପୀଡ଼ିତାକୁ ସାକ୍ଷାତ କରିନାହାନ୍ତି। ବରଂ ମୁଖ୍ୟମନ୍ତୀ ଅପରାଧିକୁ ଘଣ୍ଟ ଘୋଡ଼ାଇବା ପାଇଁ ଷଡଯନ୍ତ୍ର ରଚନା କଲେ, ଅପରାଧିକୁ ସୁରକ୍ଷା ଦେଲେ। ଏ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫାଦେବା ଉଚିତ୍। କାରଣ ତାଙ୍କ ଅଧିନରେ ଥିବା ଗୃହବିଭାଗ ଏହି ଘଟଣାରେ ସଂପୂର୍ଣ୍ଣ ବିଫଳ ହୋଇଛି। କୁନ୍ଦୁଲି ଥାନା ଅଧିକାରୀ, କୋରାପୁଟ୍ ଏସ.ପି., ଡିଆଜି ସମସ୍ତଙ୍କୁ ଆମ୍ଭେ ଭେଟିଛୁ। ସମସ୍ତେ ଜାଣି ନଜାଣିବାର ଅଭିନୟ କରୁଥିଲେ। କୁନ୍ଦୁଲି ଘଟଣାର ୧୫ ମିନିଟ୍ ପରେ ଡିଜିପି କହିଲେ ଏଥିରେ ପୋଲିସ୍ କି ଜବାନ ମାନଙ୍କର ସଂପୃକ୍ତି ନାହିଁ। ଠାକୁର ଘରେ କିଏ, ନା ମୁଁ କଦଳି ଖାଇନି? କେରାପୁଟ ମୁଖ୍ୟ ଚିକିତ୍ସାଳୟରେ ଆମ୍ଭେ ପୀଡ଼ିତାକୁ ଭେଟିଥିଲୁ। ବୟାନ ବଦଳାଇବା ପାଇଁ ପୋଲିସ୍ କେମିତି ତାକୁ ଧମଚମକ ଦେଇଥିଲା, ତାହାସେ ଆମକୁ କାନ୍ଦି କାନ୍ଦି ଜଣାଇଥିଲା। ଘଟଣାକୁ ମିଥ୍ୟାରୂପ ଦେବାକୁ ପୁଲିସ୍ ପୀଡ଼ିତାର ସମ୍ପର୍କୀୟକୁ ଆଣି ଅତ୍ୟାଚାର କରିଥିଲା। ଦୋଷକୁ ସେମାନଙ୍କ ମୁଣ୍ଡରେ ଲଦିବାକୁ ଚାପ ପକାଇଥିଲା। ସରକାର ତାକୁ ଲାଞ୍ଚ ଯାଚିବା କଥା ପୀଡ଼ିତା ଏକ ଗଣମାଧ୍ୟମରେ ପ୍ରକାଶ କରିଥିଲା। ପୀଡ଼ିତା ଦୃଢ଼ୋକ୍ତି କରିଥିଲା ଯେ ଘଟଣା ମିଥ୍ୟା ପ୍ରମାଣିତ ହେଲେ ତାକୁ ଫାସିଦଣ୍ଡ ଦିଆଯାଉ। ସରକାର ପୀଡ଼ିତାର ସ୍ୱରକୁ ଚାପିଦେବାରେ ସଫଳହେଲେ। ଏହା ଆତ୍ମହତ୍ୟା ନୁହେଁ ହତ୍ୟା। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବେବିନା, ଇତିଶ୍ରୀ ର ଆତ୍ମା ନ୍ୟାୟ ପାଇଁ ଘୁରିବୁଲୁଛି। କୁନ୍ଦୁଲି ପୀଡ଼ିତା ଏବେ ମୃତ୍ୟୁପରେ ନ୍ୟାୟ ପାଇପାରିବତ। ନବୀନ ଓ ମୋଦୀ ସରକାର ଦଳିତ ଓ ଆଦିବାସୀର ଶତୃ ବୋଲି ଶ୍ରୀ ଜେନା କହିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *