କୁନ୍ଦୁଲି ପିଡିତାଙ୍କୁ ନ୍ୟାର୍ଯ୍ୟନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ପୋଡି

କେନ୍ଦ୍ରାପଡା ୨୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ କାରନାମାର ଝଲକ ହେଉଛି କୁନ୍ଦୁଲି ପିଡିତାର ଆତ୍ମହତ୍ୟା ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ନବୀନ ସରକାରର ଅତ୍ୟାଚାର ସହିନପାରି ଶେଷରେ କୁନ୍ଦୁଲି ପିଡିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା ବୋଲି ଜିଲ୍ଲା ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀ ଆଜି କୁନ୍ଦୁଲି ପିଡିତାର ଆତ୍ମହତ୍ୟା ବିରୋଧରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତବ୍ୟ ରଖିଥିଲେ। ଗଣ ଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପିଡିତାକୁ ତୁରନ୍ତ ନ୍ୟାର୍ଯ୍ୟନ୍ୟାୟ ପ୍ରଦାନ କରିବା ପାଇଁ ସେ ଦାବି କରିବା ସହିତ ଏଥିରେ ବିଳମ୍ବ ହେଲେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାରା ଜିଲ୍ଲାରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଉପସଭାନେତ୍ରୀ ଶ୍ରୀମତୀ ସେଠୀ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ। ଏହି ଉପଲକ୍ଷେ ସହରର ଶାନ୍ତସାହି ଶିଶୁମନ୍ଦିର ନିକଟରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ବନ୍ଧା ହୋଇଥିବା ଏକ କୋକେଇ ଶୋଭାଯାତ୍ରାରେ ପୁରୁଣା ବସଷ୍ଟାଣ୍ଡକୁ ଆସି ସେଠାରେ ପ୍ରତିବାଦ ସଭାକରିବା ପରେ ସେହି କୋକେଇ ସମେତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକାକୁ ପୋଡିଥିଲେ। ଏହି କାର୍ଯ୍ୟକ୍ରମରେ ମନୋସ୍ୱିନି ଜେନା, ଅନୁସୟା ମଲ୍ଲିକ, ରଶ୍ମିତା ସାମଲ, ଗୀତାଞ୍ଜଳୀ ସେଠୀ, ଚାମେଲି ଓଝା, ସରୋଜିନି ଦାସ, ଅନ୍ନପୂର୍ଣ୍ଣା ମଲ୍ଲିକ, ଭାରତୀ ସାମଲ, ସରସ୍ୱତୀ ବେହେରାଙ୍କ ସମେତ ଶତାଧିକ ବିଜେପି ମହିଳା କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *