ଓଡ଼ିଶା

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ରକ୍ଷକ ସାଜିଛି ଭକ୍ଷକ : ଧର୍ମେନ୍ଦ୍ର ପ୍ରଧାନ

– ଅଞ୍ଜନା ମିଶ୍ର ମାମଲାରେ ଫୋରେନ୍ସିକ୍ ଯାଂଚ ରିପୋର୍ଟ ଚାପି ଦିଆଯାଇଥିବାବେଳେ କୁନ୍ଦୁଲିର ଦଳିତ ଝିଅ ସସ୍ମିତା ମାମଲାରେ ମଧ୍ୟ ସମାନ କଥା ଶାସକ ଦଳ କରୁଛି
– କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଲାଲ ହୋଇଛି
– ଖୋଦ୍ ଡିଜି ପୋଲିସ, ଡିଆଇଜି ମାନବାଧିକାର ସୁରକ୍ଷା, କୋରାପୁଟ ଏସ୍ ପି ଓ ସର୍ବୋପରି ଗୃହମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆତ୍ମହତ୍ୟା ମାମଲାରେ ଦୋଷୀ
– ‘ନ ତଥା ବାଧତେ ସ୍କନ୍ଧଃ ବାଧତି ବାଧତେ’ ପରି ମୃତ୍ୟୁ ପରେ ମଧ୍ୟ ସଂପୃକ୍ତ ପୀଡିତା ସରକାର ଓ ସରକାରୀ ଦଳର ପ୍ରବକ୍ତାମାନଙ୍କ ଦ୍ୱାରା ଦୋଷୀ ଭାବେ ଚିତ୍ରଣ କରାଯିବାକୁ ଚେଷ୍ଟା କରା ଯାଉଛି ତାହା ଆହୁରି ଦୁଃଖ ଦାୟକ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାରେ ନିଶାସକ୍ତ ଓ ମଦମସ୍ତ, ଓଡ଼ିଆ ଲୋକଙ୍କ କୋହକୁ ବୁଝିପାରୁ ନାହାଁନ୍ତି, ଏହାର ଅଭିଶାପ ପଡ଼ିବ
– ହରିୟାଣା ସରକାର ପରି ସତସାହସ ଓ ନୈତିକତା ଥିଲେ ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ ଜାନୁଆରୀ (ଓଡ଼ିଆ ପୁଅ) – କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ରକ୍ଷକ ଭକ୍ଷକ ସାଜିବା ବିଡମ୍ବନାର ବିଷୟ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ପଟିଆ ଅଂଚଳର ଶିଖରଚଣ୍ଡୀ ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ ଏହା କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଞ୍ଜନା ମିଶ୍ର ମାମଲାରେ ଫୋରେନ୍ସିକ୍ ଯାଂଚ ରିପୋର୍ଟ ଚାପି ଦିଆଯାଇଥିବାବେଳେ କୁନ୍ଦୁଲିର ଦଳିତ ଝିଅ ସସ୍ମିତା ମାମଲାରେ ମଧ୍ୟ ସମାନ କଥା ଶାସକ ଦଳ କରୁଛି। ରିପୋର୍ଟକୁ ସରକାର ଚାପି ଦେବାକୁ ଅପଚେଷ୍ଟା କରୁଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଂଜନା ମିଶ୍ର ମାମଲା ସାମନାକୁ ଆସିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିଲେ। ମାତ୍ର ସେତେବେଳେ ଓଡିଶାର ରାଜରାସ୍ତାରେ ଏହି ମାମଲାକୁ ନେଇ ଲଢେଇ ହୋଇଥିଲା। ଏ ବିଷୟରେ ତାଙ୍କୁ କେତେ ଖବର ଅଛି ଜଣା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଲାଲ ହୋଇଛି। ରକ୍ଷକ ଭକ୍ଷକ ହେବା ପ୍ରଜାତନ୍ତ୍ରରେ ବିଡ଼ମ୍ବନା।ସେ କହିଛନ୍ତି ଯେ ଖୋଦ୍ ଡିଜି ପୋଲିସ, ଡିଆଇଜି ମାନବାଧିକାର ସୁରକ୍ଷା, କୋରାପୁଟ ଏସ୍ ପି ଓ ସର୍ବୋପରି ଗୃହମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆତ୍ମହତ୍ୟା ମାମଲାରେ ଦୋଷୀ।

ସେ କହିଛନ୍ତି ଯେ ସଂସ୍କୃତ କଥା ‘ ନ ତଥା ବାଧତେ ସ୍କନ୍ଧଃ ବାଧତି ବାଧତେ’ ପରି ମୃତ୍ୟୁ ପରେ ମଧ୍ୟ ସଂପୃକ୍ତ ଦଳିତ ଝିଅକୁ ସରକାର ଓ ସରକାରୀ ଦଳର ପ୍ରବକ୍ତାମାନଙ୍କ ଦ୍ୱାରା ଯେଭଳି ଭାବେ କଡା ଶବ୍ଦରେ ଦୋଷୀ ଭାବେ ଚିତ୍ରଣ କରାଯିବାକୁ ଚେଷ୍ଟା କରା ଯାଉଛି ତାହା ଆହୁରି ଦୁଃଖ ଦାୟକ।

ସେ କହିଛନ୍ତି ଯେ ଏହା ଏକ ସାମାଜିକ ବ୍ୟାଧି। ଆଗରୁ ମଧ୍ୟ ହୋଇଛି। ତେବେ ଏହି ମାମଲାରେ ଯେପରି ଭାବେ ଗଣଦୁଷ୍କର୍ମ ପୀଡ଼ିତାକୁ ପାଗଳି କୁହାଗଲା, ପ୍ରେମ ଜନିତ ବ୍ୟପାର କୁହାଗଲା ତାହା ଦୁଃଖଦ। ଏବେ ଏବେ ପରିବାର ସଦସ୍ୟଙ୍କ ଆବେଗ ଓ ଦୁଃଖଭରା ବକ୍ତବ୍ୟ ଗଣମାଧ୍ୟମରେ ଆସିଛି। ଏପରି ସଭ୍ୟ ସମାଜରେ ହୋଇପାରେ ଚିନ୍ତା କରି ହେଉନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାରେ ନିଶାସକ୍ତ ଓ ମଦମସ୍ତ। ଓଡ଼ିଆ ଲୋକଙ୍କ କୋହକୁ ବୁଝିପାରୁ ନାହାଁନ୍ତି। ଏହାର ଅଭିଶାପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଦେବା ନାମରେ ବିଜେଡିର ଲୋକ ମାନେ ଜଣେ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି। ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଇଛନ୍ତି। ଯଦି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଏଇଆ ଥିଲା ତେବେ ଏହାଠାରୁ ବଡ କଳାଦିନ ଓଡିଶାରେ କିଛି ହୋଇ ନ ପାରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୁନ୍ଦୁଲୀ ଝିଅ ପୋଲିସ ପୋଷାକଧାରୀଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହେବାର କିଛି ଘଂଟା ପରେ ଖୋଦ ଡିଜି ଘଟଣାକୁ ଘୋଡାଇବାକୁ ଆରମ୍ଭ କଲେ। ଶାସକ ଦଳ ତରଫରୁ ବିଶେଷ କରି ଡିଜିଙ୍କ ପକ୍ଷରୁ ବାରମ୍ବାର କୁହାଗଲା ଏପରି ଘଟଣା ହୋଇ ନାହିଁ। ସଂପୃକ୍ତ ପୀଡିତା ଚାରି ମାସ ଧରି ମାନସିକ ଯନ୍ତ୍ରଣା ଭୋଗିବା ପରେ ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ସଂସ୍ଥା ମାନଙ୍କ ଠାରୁ ସାର୍ଟିଫିକେଟ ଆଣି ନିଜ ପିଠି ଥାପଡାଉଛନ୍ତି। ପୀଡିତା ନିଜେ ଡିଜି ଲାଂଚ ଜାଚିଥିଲେ ବୋଲି ସ୍ୱୟଂ ଅଭିଯୋଗ ଆଣିଥିଲେ। ଏବେ କିଛି ଶାସକ ଦଳର ବନ୍ଧୁ ମାନେ ଜୁଡିସିଆଲ କମିଶନ ବସାଇଛୁ ବୋଲି ବିତଣ୍ଡା ଯୁକ୍ତି କରୁଛନ୍ତି। ଏଠାରେ ଅଭିଯୋଗ ମୁଖ୍ୟମନ୍ତ୍ରୀ, ପୋଲିସ ମହା ନିର୍ଦେଶକ, ଏଚଆରପିସି, ଡିଆଇଜି ଓ କୋରାପୁଟ ଏସପିଙ୍କ ବିରୁଦ୍ଧରେ ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାନ ଦୁଷ୍କର୍ମ ମାମଲାରେ ହରିଆଣା ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କର ନୈତିକତା ଓ ସତସାହସ ଥିଲେ ସିବିଆଇ ତଦନ୍ତ କରାନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top